ଶୀତଳପଡ଼ାର ୫ ଯୁବକ ନିଖୋଜ ମାମଲା : ଡ୍ରେନ୍‌ରୁ ସବୁ ଶବ ଉଦ୍ଧାର

ରାଉରକେଲା : ଦୀର୍ଘ ୮ ଦିନର ତଲାସୀ ଅଭିଯାନ ପରେ ରାଉରକେଲା ଶୀତଳପଡ଼ା ବସ୍ତିର ନିଖୋଜ ପାଞ୍ଚ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଆଜି ପୂର୍ବାହ୍ନ ୮ଟାରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତକାଲିର ଫର୍ମୁଲା ଅନୁସାରେ ଲୁହା ରଡ୍‌ରେ ସର୍ଭିଲାନ୍ସ କ୍ୟାମେରା ଲଗାଇ ଡ୍ରେନ୍‌ ଭିତରକୁ ପ୍ରବେଶ କରାଯାଇଥିଲା। ଆର୍‌ଏସ୍‌ପି ଅଗ୍ନିଶମ ବିଭାଗ କର୍ମଚାରୀମାନେ ବାହାରେ କମ୍ପ୍ୟୁଟର ସ୍କ୍ରିନ୍‌ରେ କ୍ୟାମେରାରୁ ଉତ୍ତୋଳିତ ଭିଡ଼ିଓ ଚିତ୍ର ନିରୀକ୍ଷଣ କରି ମୃତ ଶରୀର ସ୍ଥିତି ଜାଣିବା ପରେ କଣ୍ଟା ଲଗାଇ ଶବ ବାହାର କରିଥିଲେ। ଆଜି ପ୍ରଥମ ଶବଟି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଉଦ୍ଧାର ହୋଇଥିଲା। ଏହାର ପ୍ରାୟ ୪ ଘଣ୍ଟାଏ ପରେ ଅପରାହ୍ନ ୨ଟା ବେଳେ ଆଉ ଗୋଟିଏ ମୃତ ଶରୀର ମିଳିଥିଲା। ଶେଷ ମୃତଦେହକୁ ସଂଧ୍ୟା ପ୍ରାୟ ସାଢେ ୬ଟା ବେଳେ ଉଦ୍ଧାର କରାଯାଇଥିଲା। ସବୁ ମୃତଦେହ ପଚି ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକର କଙ୍କାଳରେ ଲାଗି ରହିଥିବା ପୋଷାକ ଓ ଜୋତା ସମ୍ଭାବ୍ୟ ଚିହ୍ନଟର ଏକମାତ୍ର ମାଧ୍ୟମ।

ପ୍ରକାଶଥାଉକି, ଗତ ୩ ତାରିଖରେ ଶୀତଳପଡ଼ାର ୪ ଯୁବକ କ୍ରୀଷ୍ଣା ବଢ଼େଇ (୨୩), ସୁରେଶ ସିଂ (୨୫), ସୂରଜ କୁର୍‌ମି (୨୮) ଓ ରାଜୁ ନାଏକ (୨୭) ଘରୁ ବାହାରିଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବି ସେମାନଙ୍କ କୌଣସି ସନ୍ଧାନ ମିଳି ନଥିଲା। ନିଖୋଜ ଯୁବକମାନଙ୍କ ସନ୍ଧାନ ନେବାକୁ ପଡ଼ାର ଗେହେନୁ ଲୋହାର (୨୬) ସମେତ ୫ ଜଣ ଗତ ୪ ତାରିଖ ସକାଳେ ଆର୍‌ଏସ୍‌ପି ୯ ନମ୍ବର ଆଉଟ୍‌ଫଲ୍‌ ଡ୍ରେନ୍‌ ନିକଟକୁ ଯାଇଥିଲେ। ଗେହେନୁ ଓ ଜଣେ ନାବାଳକ ଡ୍ରେନ୍‌ ଭିତରକୁୁ ପଶିଥିଲେ। ଡ୍ରେନ୍‌ ଭିତରୁ ନାବାଳକର ଚିତ୍କାର ଶୁଣିବାରୁ ବାହାରେ ଥିବା ୩ ଜଣ ଭିତରକୁ ପଶି ନାବାଳକକୁ ବୋହୋସ ଅବସ୍ଥାରେ ଉଦ୍ଧାର କରିଥିଲେ। ଗେହେନୁ ଭିତରେ ରହି ଯାଇଥିଲେ।

ସମ୍ବନ୍ଧିତ ଖବର