ସବୁ ବିଭାଗ ଏକ ଟିମ୍‌ ଭାବେ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ

ନଗର ଉନ୍ନୟନ ବିଭାଗର ରୂପାନ୍ତର ଉପକ୍ରମ ସମୀକ୍ଷା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଗର ଉନ୍ନୟନ ବିଭାଗର ପ୍ରମୁଖସଚିବ ଜି.ମାଥିଭାଥନନ୍ ବିଭିନ୍ନ ରୂପାନ୍ତର କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ। ନଗର ଉନ୍ନୟନ ବିଭାଗର ସୂଚନା ଅନୁଯାୟୀ,ରାଜ୍ୟର ୧୬% ଲୋକ ସହରାଞ୍ଚଳରେ ବସବାସ କରନ୍ତି ଏବଂ ସେଥିରୁ ୪୦% ଅଞ୍ଚଳରେ ପିଇବା ପାଣିର ସୁବିଧା ନଥିଲା। ୪ଲକ୍ଷ ଘରେ ଶୌଚାଳୟ ନଥିଲା। ନିଭାଗର ରୂପାନ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ରାଜ୍ୟର ୮୪% ଘରକୁ ପାଇପ୍ ପାଣି ଯୋଗାଯାଇପାରିଛି। ଏବେ ୧୦ଲକ୍ଷ ଲୋକଙ୍କ ଘରକୁ ପାଇପ୍ ପାଣି ଯୋଗାଯାଉଛି। ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏବେ ରାଜ୍ୟର ୨୪ଟି ସହରରେ ଏହା ଆରମ୍ଭ ହୋଇଛି।

ସେହିପରି ମଳମୂତ୍ର ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିପାରିଛି । ବର୍ତ୍ତମାନ ରାଜ୍ୟର ୧୦୦ଟି ସହରରେ ୧୦୩ଟି ସିପେଜ୍ ବିଶୋଧନାଗାରରେ ଦିନକୁ ୧୮୦୦ କିଲୋ ଲିଟର ମଳ ବିଶୋଧନ କରାଯାଉଛି। ଏଥିରେ କମ୍ ଖର୍ଚ୍ଚରେ ସାଧାରଣ ଜ୍ଞାନକୌଶଳ ପ୍ରୟୋଗରେ ଗୋଷ୍ଠୀ ସହଭାଗିତାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି। ମୁକ୍ତା ଯୋଜନାରେ ରାଜ୍ୟ ବାହାରେ କାମ କରୁଥିବା ୫ଲକ୍ଷ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦିଆଯାଇଛି। ଏଥିରେ ୨ହଜାର କୋଟି ବିନିଯୋଗରେ ୨୨୫୦୦ଟି ପ୍ରକଳ୍ପ କରାଯାଇଛି। ୧୫ହଜାର ଏସ୍‌ଏଚ୍‌ଜିକୁ କାମ ତଦାରଖ ଦାୟିତ୍ବ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଏହି ସଫଳତାର କାହାଣୀ ଶୁଣିବା ପରେ କହିଛନ୍ତି ଯେ, ସବୁ ବିଭାଗ ମିଳିମିଶି ଏକ ଟିମ୍‌ ଭଳି କାମ କଲେ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିବା ସହ ରାଜ୍ୟର ବିକାଶ ହୋଇପାରିବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କହିଥିଲେ ଯେ, ସହରାଞ୍ଚଳର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଜନସାଧାରଣ ସହରର ମୌଳିକ ସୁବିଧା ପାଇପାରିଲେ ହିଁ ରୂପାନ୍ତରଣର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ। ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଓଡ଼ିଶାରେ ବଡ଼ବଡ଼ କମ୍ପାନିକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନଯାଇ ଗୋଷ୍ଠୀ ସହଭାଗିତାରେ କରାଯାଇଛି। ଏହା ହିଁ ଓଡ଼ିଶାର ରୂପାନ୍ତରଣର ବୈଶିଷ୍ଟ୍ୟ। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର