୨୦ରୁ ଚାଲିବ ସବୁ ବିଭାଗ : ସବୁ ବିଭାଗର ଗ୍ରୁପ୍‌-ଏ ଅଧିକାରୀ ଅଫିସ ଆସିବେ

ଗ୍ରୁପ୍‌-ବି, ସି ଓ ଡି ଅଧିକାରୀଙ୍କ ପାଇଁ ରୋଷ୍ଟର୍‌ ବ୍ୟବସ୍ଥା, ସାଧାରଣ ପ୍ରଶାସନ ବିଭାଗର ସାନି ନିର୍ଦ୍ଦେଶନାମା

ଭୁବନେଶ୍ବର : ତାଲାବନ୍ଦ ଅବଧି ସମୟରେ ସରକାରୀ ସେବା ଯେପରି ଅତି ମାତ୍ରାରେ ବ୍ୟାହତ ନ ହେବ, ସେଥିପାଇଁ ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଚାଲିଛନ୍ତି। ଆସନ୍ତା ୨୦ ତାରିଖଠାରୁ ସବୁ ବିଭାଗର ଗ୍ରୁପ୍‌-ଏ ବର୍ଗର ଅଧିକାରୀମାନେ ଅଫିସ୍‌ ଆସିବେ। ଏହାସହିତ ଅତି ଜରୁରୀ ଓ ଆଂଶିକ ଜରୁରୀ ବିଭାଗର ଗ୍ରୁପ୍‌-ବି, ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି ଅଧିକାରୀଙ୍କ ପାଇଁ ରୋଷ୍ଟର୍‌ ବ୍ୟବସ୍ଥା ଲାଗୁ କରାଯିବ। ଏ ନେଇ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମାକୁ ବଦଳାଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ସାନି ପରିବର୍ତ୍ତିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

କରୋନା ସଂକ୍ରମଣକୁ ପ୍ରତିହତପାଇଁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ସରକାର ପୂର୍ବରୁ ୧୧ଟି ବିଭାଗକୁ ଅତି ଜରୁରୀ, ୧୩ଟି ଆଂଶିକ ଜରୁରୀ ଓ ୧୭ଟି ଅଣ ଜରୁରୀ ବିଭାଗରେ ବିଭକ୍ତ କରିଥିଲେ। ଅତି ଜରୁରୀ ବିଭାଗର ସମସ୍ତ କର୍ମଚାରୀ ଦୈନିକ ଅଫିସ ଆସୁଥିବା ବେଳେ ଆଂଶିକ ଜରୁରୀ ବିଭାଗରେ ୧୦% ଓ ଅଣ ଜରୁରୀ ବିଭାଗର କର୍ମଚାରୀମାନେ ଆଦୌ ଅଫିସ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସରକାରଙ୍କ ସାନି ନିଷ୍ପତ୍ତି ଅନୁଯାୟୀ, ଅଣ ଜରୁରୀ ବିଭାଗକୁ ହଟାଇ ଦିଆଯାଇଛି। ଅତି ଜରୁରୀ ବିଭାଗଗୁଡ଼ିକ ଅପରିବର୍ତ୍ତିତ ରହିଥିବା ବେଳେ ଓ ୩୦ଟି ବିଭାଗକୁ ଆଂଶିକ ଜରୁରୀ ବର୍ଗରେ ସାମିଲ କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ ଓ ଇଏସ୍‌ଆଇ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରୁପ୍‌-ବି, ସି ଓ ଡି ବର୍ଗର ଅଧିକାରୀମାନେ ରୋଷ୍ଟର୍‌ ଆଧାରରେ ୫୦% ଅଫିସ୍‌ ଆସିବେ। ସେହିପରି ଆଂଶିକ ଜରୁରୀ ବିଭାଗ ଅଧୀନରେ ଆସୁଥିବା ଏହିସବୁ ବର୍ଗର ଅଧିକାରୀମାନେ ରୋଷ୍ଟର୍‌ ଆଧାରରେ ୩୩% ଅଫିସ ଆସିବେ।

ସମ୍ବନ୍ଧିତ ଖବର