୨୧ ଜିଲ୍ଲା ପରିଷଦ ସଭାପତି ମହିଳା
୧୨ ଜିଲ୍ଲା ପରିଷଦ ସଭାପତି ଓବିସି ବର୍ଗର
ରାୟଗଡ଼ାର ସରସ୍ବତୀ ସର୍ବକନିଷ୍ଠ ସଭାପତି

Advertisment

ଭୁବନେଶ୍ୱର : ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି ବିଜେଡି। ରବିବାର ହୋଇଥିବା ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ଦଳ ସବୁ ଆସନ ବାଜି ମାରିନେଇଛି। ୭୬୬ଟି ଜିଲ୍ଲା ପରିଷଦ ଜୋନ୍ ପାଇଥିବା ବିଜେଡି ପାଇଁ ପରିଷଦ ହାସଲ କରିବା କଷ୍ଟକର ନଥିଲା। କିନ୍ତୁ ସଭାପତି ପଦ ପାଇଁ ଏକାଧିକ ଆଶାୟୀ ଦଳକୁ ଅକଳରେ ପକାଇଥିଲେ। ତେବେ ସଭାପତି ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ସଫଳ ଗୋଟି ଚାଳନା ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମୁଣ୍ଡ ଟେକିବାକୁ ସୁଯୋଗ ଦେଇନଥିଲା। ଶେଷରେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦଳ ଭାବେ ବିଜେଡି ସବୁ ଜିଲ୍ଲା ପରିଷଦ ସଭାପତି ଆସନ ହାତେଇଛି। ଏପରିକି ସାରା ଦେଶରେ ଏକ ଆଞ୍ଚଳିକ ଦଳ ଭାବେ ଏପରି ସଫଳତା ବିରଳ। ବିଜେଡିର ଏହି ଐତିହାସିକ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଏବଂ ଶକ୍ତିଶାଳୀ ଭୋଟରଙ୍କ ଅପାର ବିଶ୍ବାସର ଫଳ ବୋଲି ଦଳ ପକ୍ଷରୁ କୁହାଯାଇଛି।

ରବିବାର ଦିନ କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀରେ ବିରୋଧୀ ଦଳ ପ୍ରାର୍ଥୀ ଦେଇଥିଲେ। କୋରାପୁଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ୩ଟି ଭୋଟ୍‌ରେ ଓ ମୟୂରଭଞ୍ଜରେ ଜେଏମଏମ୍ ପ୍ରାର୍ଥୀଙ୍କୁ ୫୦ଟି ଭୋଟରରେ ବିଜେଡି ପ୍ରାର୍ଥୀ ପରାସ୍ତ କରିଥିଲେ। ସେହିଭଳି କେନ୍ଦୁଝର ଓ ପୁରୀରେ ବିଜେପି ପ୍ରାର୍ଥୀ ଯଥାକ୍ରମେ ୩୦ ଓ ୨୭ ଖଣ୍ଡ ଭୋଟ୍‌ରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାଜୟ ବରଣ କରିଥିଲେ। ଅନ୍ୟ ୨୬ଟି ଜିଲ୍ଲାରେ ବିଜେଡି ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସବୁ ଜିଲ୍ଲା ପାଇଁ ବିଜେଡି ସଭାପତି ଗୋଟିଏ ନାମ ମନୋନୀତ କରି ଜଉମୁଦ ଲଫାଫାରେ ପଠାଇଥିଲେ। ନିର୍ବାଚନ ପୂର୍ବରୁ ବିଜେଡିର ଜିଲ୍ଲା ପରିଷଦ ସଦସ୍ୟମାନଙ୍କର ବୈଠକ ଡକାଯାଇ ସେହି ଲଫାଫା ଖୋଲାଯାଇ ନାମ ଘୋଷଣା କରାଯାଇଥିଲା। ସମସ୍ତେ ତାହାକୁ ଗ୍ରହଣ କରିନେଇଥିଲେ। କୌଣସି ସ୍ଥାନରେ ବିଦ୍ରୋହ ଦେଖିବାକୁ ମିଳି ନ ଥିଲା।

publive-image

ଜିଲ୍ଲା ପରିଷଦ ସଭାପତି ମନୋନୟନ ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଦିଗକୁ ଗୁରୁତ୍ବ ଦେଇଥିବା ଲକ୍ଷ୍ୟ କରାଯାଇଛି। ବି‌ଶେଷ କରି ଯୁବ ବର୍ଗ ଓ ମହିଳାଙ୍କୁ ନେତୃତ୍ବ ନେବାର ସୁଯୋଗ ମିଳିଛି। ୭୦% ଆସନରେ ଅର୍ଥାତ୍ ୨୧ଟି ଜିଲ୍ଲାରେ ମହିଳାମାନେ ଜିଲ୍ଲା ପରିଷଦ ସଭାପତି ଭାବେ ମନୋନୀତ ହୋଇଛନ୍ତି। ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମହିଳା ଜିଲ୍ଲାଗୁଡ଼ିକରେ ଶୀର୍ଷ ସ୍ଥାନକୁ ଯାଇଛନ୍ତି, ଯାହା କି ସାରା ଦେଶରେ ଏକ ରେକର୍ଡ। ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା ଥିଲେ ବି ତାହା ଠାରୁ ଅଧିକ ମହିଳାଙ୍କୁ ମନୋନୀତ କରି ବିଜେଡି ମହିଳାଙ୍କ ସଶକ୍ତୀକରଣ ପାଇଁ କାମ କରୁଛି ବୋଲି ନବୀନ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା ଦ୍ବାରା ଭବିଷ୍ୟତରେ ମହିଳା ଭୋଟର୍‌ଙ୍କୁ ବିଜେଡି ନିଜ ପାଖରେ ରଖିବାକୁ ସକ୍ଷମ ‌ହୋଇପାରିବ।

ସେହିପରି ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟିରେ ୪୦ବର୍ଷରୁ କମ୍‌ ବୟସର ସଭାପତି ଅଛନ୍ତି। ଜିଲ୍ଲା ପରିଷଦ ସଭାପତିମାନଙ୍କର ହାରାହାରି ବୟସ ୪୧ବର୍ଷ ରହିଛି। ଏହାସହ ଶିକ୍ଷାଗତ ଯୋଗ୍ୟତାକୁ ଅଗ୍ରାଧିକାର ଦିଆଯାଇଛି। ୨୬ଜଣ ଜିଲ୍ଲା ପରିଷଦ ସଭାପତି ଅତି କମ୍‌ରେ +୨ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏଥିରୁ ୧୮ ଜଣ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି। ଜିଲ୍ଲାଗୁଡ଼ିକରେ ଉତ୍ତମ ଲୋକସମ୍ପର୍କ ଥିବା ଏବଂ କୌଣସି ଅପରାଧିକ ମାମଲା ନଥିବା ଜିଲ୍ଲାର ଶିକ୍ଷିତ ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ମନୋନୀତ କରି ସେମାନଙ୍କ ହାତରେ ନେତୃତ୍ବ ପ୍ରଦାନ କରିଛନ୍ତି। ସେହିପରି ସବୁଠାରୁ କନିଷ୍ଠ ଜିଲ୍ଲା ପରିଷଦ ସଭାପତି ଭାବେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ୨୩ବର୍ଷ ବୟସ୍କା ସରସ୍ବତୀ ମାଝୀଙ୍କୁ ମନୋନୀତ କରାଯାଇଛି। ସେ ବିଏସ୍‌ସିରେ ସ୍ବାତକ କରିଛନ୍ତି। ଦୁର୍ଗମ ଅଞ୍ଚଳ ଉପରେ ଗୁରୁତ୍ବ ଦେଇ ମାଲକାନଗିରିରେ ଜିଲ୍ଲା ପରିଷଦ ସଭାପତି ଭାବେ ସ୍ବାଭିମାନ ଅଞ୍ଚଳର ସମାରି ଟାଙ୍ଗୁଲଙ୍କୁ ଚୟନ କରାଯାଇଛି। ସମ୍ବଲପୁର ଜିଲ୍ଲା ଜିଲ୍ଲା ପରିଷଦ ସଭାପତି ଭାବେ ବାମରା ବ୍ଲକରୁ ଆସିଥିବା କୁମୁଦିନି ନାୟକଙ୍କୁ ବଛାଯାଇଛି। ରାଜ୍ୟର ବଡ଼ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାରେ (ନବରଙ୍ଗପୁର ଜିଲ୍ଲା ବ୍ୟତୀତ) ମହିଳାମାନେ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି। ୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କ ସମେତ) ୧୨ଟିରେ ଓବିସି ପ୍ରାର୍ଥୀ (୬୭%) ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି। ନିଜ ଜିଲ୍ଲା ଗଞ୍ଜାମରେ ଶ୍ରୀ ପଟ୍ଟନାୟକ ଜିଲ୍ଲା ପରିଷଦ ସଭାପତି ଭାବେ ଜଣେ ଓବିସି ମହିଳା ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି।