ସମସ୍ତ ବିଦ୍ୟୁତ କର୍ମଚାରୀଙ୍କର ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ରେ ପ୍ରଭାବିତ ହେବାକୁ ଥିବା ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ବିଦ୍ୟୁତ କର୍ମଚାରୀମାନଙ୍କର କୋଭିଡ ପରୀକ୍ଷା କରାଯିବ। ଏ ନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ପୌରସଂସ୍ଥା, ମହାନଗର କମିସନର ଓ ଜିଲ୍ଲା ସିଡିଏମଓମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି।

ଚିଠିରେ ଶ୍ରୀ ମହାପାତ୍ର ଉଲିଛନ୍ତି କି ବାତ୍ୟା ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ବିଦ୍ୟୁତ ସରବରାହ ପୁନରୁଦ୍ଧାର ପାଇଁ ଟିପିସିଓଡିଏଲ୍‌ ଓ ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ୧୦ ହଜାରରୁ ୧୨ ହଜାର ବିଦ୍ୟୁତ କର୍ମଚାରୀ ବିଭିନ୍ନ ଜିଲ୍ଲା ପାଇଁ ନିୟୋଜିତ ହେବେ। ଏସବୁ କର୍ମଚାରୀମାନଙ୍କ ଭିତରେ ଯେପରି କୋଭିଡ ସଂକ୍ରମଣ ନ ବ୍ୟାପିବ, ସେଥିପାଇଁ ପୂର୍ବରୁ ସମସ୍ତ କର୍ମଚାରୀମାନଙ୍କର ରାପିଡ ଆଣ୍ଟିଜେନ୍‌ ପରୀକ୍ଷା (ର୍ୟାଟ୍‌) କରାଯିବ। ଯାହାଫଳରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସୁରୁଖୁରୁରେ ଚାଲିବ। ଏହାକୁ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର