୧ ଅଗଷ୍ଟରେ ସମ୍ବଲପୁରୀ ପୋଷାକ ପିନ୍ଧିବେ ସବୁ କର୍ମଚାରୀ
ସମ୍ବଲପୁର: ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଉଛି। ଆସନ୍ତା ଅଗଷ୍ଟ ୧ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇ ସମ୍ବଲପୁରୀ ଦିନ୍ ଉପଲକ୍ଷେ ସମସ୍ତ ସରକାରୀ କର୍ମଚାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ପାଇଁ ଗତକାଲି ବରଗଡ଼ ଜିଲ୍ଲାପାଳ ଏକ ଆଦେଶ ଜାରି କରିଥିବା ବେଳେ ଆଜି ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ସମାନ ନିର୍ଦ୍ଦେଶାନାମା ଜାରିକରି ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ନିଜ ନିଜ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପତ୍ର ଲେଖି କର୍ମଚାରୀମାନଙ୍କୁ ସମ୍ବଲପୁରୀ ବସ୍ତ୍ର ପିନ୍ଧିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଏହି ଖବର ସମସ୍ତ ସମ୍ବଲପୁରୀ ପ୍ରେମୀ ତଥା ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ନିଷ୍ପତ୍ତି ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ସାମଗ୍ରିକ ବିକାଶ ପାଇଁ ଏକ ମାଇଲ ଖୁଣ୍ଟ ପ୍ରମାଣିତ ହେବା ସଙ୍ଗେ ସଙ୍ଗେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ମଞ୍ଚର ବରିଷ୍ଠ ମାର୍ଗଦର୍ଶକ ତଥା ସମ୍ବଲପୁରୀ ଦିନ୍ର ସଂଯୋଜକ ଡ. ପ୍ରମୋଦ ରଥ, ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା ପ୍ରମୁଖ ଉଭୟ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିପରି ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଉପରୋକ୍ତ ଆଦେଶ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି।
ଗତକାଲି ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏହି ମର୍ମରେ ଏକ ଦାବିପତ୍ର ଦିଆଯାଇଥିଲା। ଜିଲ୍ଲାପାଳ ଉକ୍ତ ଦାବିପତ୍ରକୁ ଗ୍ରହଣ କରି ଆଜି ସମସ୍ତ କର୍ମଚାରୀଙ୍କୁ ସମ୍ବଲପୁରୀ ବସ୍ତ୍ର ପିନ୍ଧିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ସମ୍ବଲପୁରୀ ଏକତା ମଞ୍ଚ ସ୍ବାଗତ କରୁଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କହାଯାଇଛି। ଏଥି ସହିତ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କୁ ମଧ୍ୟ ସମ୍ବଲପୁରୀ ଦିନକୁ ସ୍ଵତନ୍ତ୍ର ଛୁଟି ଘୋଷଣା କରିବା ନେଇ ବି ଦାବିପତ୍ର ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ସମୀର ବାବୁ, ଚନ୍ଦ୍ରଶେଖର ନାୟକ, ସୂର୍ଯ୍ୟ ଗୁରୁ, ରାମଶଙ୍କର ମିଶ୍ର, ମୋହିତ ନାୟକ, କଳ୍ପନା ମିଶ୍ର, ହାସିମ୍ ରାଜା, ରାଜୀବ ସାହୁ, ତ୍ରିଲୋଚନ ତ୍ରିପାଠୀ, ବିନାୟକ ରାମ, ମିଳନ ହୋତା ପ୍ରମୁଖ ଉପସ୍ଥିତ ଥିଲେ।