ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର ରେଂଗାଲି ପ୍ରତ୍ୟେକ ନିର୍ବାଚନରେ ନୂଆ ଚେହେରାକୁ ସୁଯୋଗ ଦେଇଆସୁଛି। କଂଗ୍ରେସ, ବିଜେଡି ପରେ ଗତ ନିର୍ବାଚନରେ ବିଜେପିକୁ ରେଂଗାଲିବାସୀ ବିଧାନସଭାକୁ ପଠାଇଛନ୍ତି। ତେବେ, ଏଥର ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବହୁତ ଲମ୍ବା ଥିବା ବେଳେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଅସ୍ପଷ୍ଟ ରହିଛି। ଅପରପକ୍ଷରେ ଏବେ ବିଜେପି ରାଜ୍ୟ ଉପସଭାପତି ଥିବା ବିଧାୟକ ନାଉରୀ ନାୟକ ଏଥର ପୁଣି ଦଳୀୟ ଟିକଟ ପାଇବା ନିଶ୍ଚିତ ରହିଛି।
ଆଗରୁ ରେଂଗାଲି ବ୍ଲକ ଅଂଚଳର ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ଅଧୀନରେ ରହିଥିଲା। ବିଧାନସଭା କ୍ଷେତ୍ର ପୁନର୍ଗଠନ ପରେ ୨୦୦୯ ମସିହାରେ ରେଂଗାଲି ନୂଆ ବିଧାନସଭା କ୍ଷେତ୍ର ରୂପେ ଜନ୍ମ ନେଇଥିଲା। ଏବେ ରେଂଗାଲି ଓ ଧନକଉଡ଼ା ବ୍ଲକ୍ର ସମଗ୍ର ଅଂଚଳ ସହିତ ମାନେଶ୍ବର ବ୍ଲକ୍ର କିଛି ପଞ୍ଚାୟତ ରେଂଗାଲି ବିଧାନସଭା କ୍ଷେତ୍ରରେ ରହିଛି। ପୁନର୍ଗଠନ ପରେ ପ୍ରଥମ ଥର ପାଇଁ ୨୦୦୯ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗର୍ଡ଼ିଆ ବିଶାଳ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ତତ୍କାଳୀନ ବିଧାୟକ ଶ୍ରୀ ଗର୍ଡ଼ିଆ କଂଗ୍ରେସରୁ ପୁଣି ଥରେ ପ୍ରାର୍ଥୀ ହୋଇଥିଲେ। ହେଲେ, ସେ ବିଜେଡି ପ୍ରାର୍ଥୀ ରମେଶ ପଟୁଆଙ୍କଠାରୁ ପରାଜିତ ହୋଇଥିଲେ। ଜାତି ପ୍ରମାଣପତ୍ର ପ୍ରସଂଗକୁ ନେଇ ବିଧାୟକ ରମେଶ ପଟୁଆ ବିବାଦୀୟ ହୋଇପଡ଼ିଥିବାରୁ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ବିଜେଡି ରୀନା ତନ୍ତୀଙ୍କୁ ପ୍ରାର୍ଥୀ କରିଥିଲା।
ତେବେ, ରୀନା ବିଜେପି ପ୍ରାର୍ଥୀ ନାଉରୀ ନାୟକଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୯ ମସହା ନିର୍ବାଚନରେ କଂଗ୍ରେସ ପୂର୍ବତନ ବିଧାୟକ ଶ୍ରୀ ଗର୍ଡ଼ିଆଙ୍କ ବଦଳରେ ବାଳକୃଷ୍ଣ ରୋହିଦାସଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର, ବାଳକୃଷ୍ଣଙ୍କ ଭୋଟ ୧୦ ହଜାର ବି ଡେଇଁ ପାରିନଥିଲା। ଏଭଳି ସ୍ଥିତିରେ ଦୁର୍ଯ୍ୟୋଧନ ଗର୍ଡ଼ିଆ ଏବଂ ବାଳକୃଷ୍ଣ ରୋହିଦାସଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ କିମ୍ବା ନୂଆ ଚେହେରା ଦେବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଶିଳ୍ପାଞ୍ଚଳ ହୋଇଥିବାରୁ ବିଜେଡିର ସବୁ ଗୋଷ୍ଠୀର ଆଖି ଏହି ବିଧାନସଭା କ୍ଷେତ୍ର ଉପରେ ରହିଛି। ଗୋଷ୍ଠୀ ବିବାଦ ଯେତିକି ରହିଛି, ଆଶାୟୀଙ୍କ ସଂଖ୍ୟା ମଧ୍ୟ ସେତିକି ଲମ୍ବା। ଆଶାୟୀ ତାଲିକାରେ ପୂର୍ବତନ ବିଧାୟକ ରମେଶ ପଟୁଆ, ଇଂ.ଗାନ୍ଧୀ ବେହେରା, ସୁଦର୍ଶନ ହରିପାଲ, ରୀନା ତନ୍ତି, ଦିଲୀପ ଦୁରିଆ, ପ୍ରମୁଖ ଆଶାୟୀ ଦୌଡ଼ରେ ରହିଥିବା ବେଳେ ଯୁବ ସମାଜସେବୀ ଅମର ତାଣ୍ଡିଆ ଏବଂ ପ୍ରଶାସନିକ ଅଧିକାରୀ ବସନ୍ତ ହାତୀଙ୍କ ନାମ ବି ଚର୍ଚ୍ଚାରେ ରହିଛି। ଗୋଷ୍ଠୀ ବିବାଦ କାରଣରୁ ଜଣେ ନିରପେକ୍ଷ ବ୍ୟକ୍ତିଙ୍କୁ ଟିକେଟ ଦଳ ପାଇଁ ବିଜୟ ଆଶା ଅଧିକ ରହିବ ବୋଲି ଚର୍ଚ୍ଚା ଚାଲିଛି।
ରେଂଗାଲି ବିଧାନସଭା କ୍ଷେତ୍ରର ମତଦାତା କ୍ଷମତାସୀନ ଦଳ ବିପକ୍ଷରେ ଭୋଟ ଦେଇ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ନିର୍ବାଚିତ କରିଆସିଛନ୍ତି। କେବଳ ସେତିକି ନୁହେଁ, ଜିଲ୍ଲା ପରିଷଦ ନିର୍ବାଚନରେ ବି ଏହା ପ୍ରତିଫଳିତ ହୋଇଛି। ମୁଖ୍ୟତଃ ଗତ ୨ଟି ଜିଲ୍ଲା ପରିଷଦ ନିର୍ବାଚନରେ ଏଭଳି ଘଟିଥିବା ଦେଖିବାକୁ ମିଳିଛି। ପ୍ରଥମ ଦୁଇ ଜଣ ବିଧାୟକଙ୍କ ରାଜନୈତିକ ନିଷ୍ପତ୍ତି ହେଉକି ଅନ୍ୟ କୌଣସି କାମ ମୁଖ୍ୟତଃ ନିଜର ତଥାକଥିତ ପରାମର୍ଶଦାତାଙ୍କ ଉପରେ ନିର୍ଭର କରୁଥିଲେ। ସେମାନଙ୍କ ତୁଳନାରେ ବର୍ତ୍ତମାନର ବିଧାୟକ ନାଉରୀ ନାୟକ ନିଜ ବିଧାନସଭା କ୍ଷେତ୍ରରେ ବେଶ୍ ସକ୍ରିୟ ରହିଛନ୍ତି। ଏହା ବ୍ୟତୀତ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଂଗଦବେ ଏବଂ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ଅନୁପସ୍ଥିତିରେ ସଂପୃକ୍ତ ଅଂଚଳରେ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥିବା ଦେଖିବାକୁ ମିଳିଛି। ଏହା ସତ୍ତ୍ବେ ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କୁ ନିଜ ଅଂଚଳରେ ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ କଣ ହେବ, ଏବେଠୁ ଆକଳନ କରିବା କଷ୍ଟକର ବ୍ୟାପାର ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।