୧୦୪ରୁ ଫୋନ ଆସିଲେ ଏହାକୁ ନଉଠାଇଲେ ହେବ ମାମଲା ରୁଜୁ

ଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ପାଇଁ ୧୦୪ ହେଲପ୍‌ଲାନ୍‌ ନମ୍ବର ବ୍ୟବସ୍ଥା କରିଛନ୍ତି। ଏହି ନମ୍ବରରେ କୋଭିଡ ସଂକ୍ରାନ୍ତରେ ତଥ୍ୟ ମିଳିପାରୁଛି। କିନ୍ତୁ କିଛି ଲୋକ ଏହାକୁ ଅଣଦେଖା କରୁଥିବାରୁ, ରାଜ୍ୟ ସରକାର ଏବେ ଶକ୍ତ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି ଯେ, ୧୦୪ରୁ ଫୋନ୍‌ ଆସିଲେ ଯଦି କେହି ଏହାକୁ ଗ୍ରହଣ ନ କରନ୍ତି, ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ଯେ, ବିଦେଶ ଫେରନ୍ତା ଏଥି ପାଇଁ ସହଯୋଗ କରନ୍ତୁ। ୧୦୪ ନମ୍ବର ସହିତ ସେମାନେ ପଂଜୀକରଣ କରିଥିବା ମୋବାଇଲ ନମ୍ବରକୁ ସବୁବେଳେ ଅନ୍‌ ରଖନ୍ତୁ। ପଂଜୀକୃତ ନମ୍ବର ସୁଇଚ ଅଫ୍‌ ରଖିବା  ଅପରାଧ ଅଟେ। କାରଣ ହୋମ୍‌ କ୍ୱାରେଣ୍ଟାଇନରେ ରହୁଥିବା ବିଦେଶ ଫେରନ୍ତାଙ୍କ ସ୍ଥିତି ସଂପର୍କରେ ରାଜ୍ୟ ସରକାର ସବୁବେଳେ ଅବଗତ ରହୁଛନ୍ତି।

 

ସ୍ୱାସ୍ଥ୍ୟ ବିଭାଗର ଟୁଇଟରେ କୁହାଯାଇଛି ଯେ, ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତି ଯଦି ୧୦୪ ଫୋନକୁ ଗ୍ରହଣ କରୁ ନାହାନ୍ତି, ତେବେ ଏଥିରୁ ଜଣାପଡ଼ିବ ଯେ, ଘରେ ରହୁନାହାନ୍ତି। ତେଣୁ ଏଭଳି ବ୍ୟକ୍ତିବିଶେଷଙ୍କୁ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିବ।

ସୂଚନାଯୋଗ୍ୟ, ବିଦେଶ ଓ ବାହାର ଫେରନ୍ତାଙ୍କ ସହିତ ଶୀଘ୍ର ସଂପର୍କ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ୧୦୪ ହେଲପ୍‌ଲାଇନ ନମ୍ବର ଜାରି କରିଛନ୍ତି। କିନ୍ତୁ ଏହି ନମ୍ବରକୁ କିଛି ବାହାର ଫେରନ୍ତା ଅଣଦେଖା କରୁଛନ୍ତି। ଏବଂ ୧୦୪ରୁ ଫୋନ୍‌ ଗଲେ ତାକୁ ଧରୁ ନାହାନ୍ତି।

ସମ୍ବନ୍ଧିତ ଖବର