ପୁଣ୍ୟତିଥିରେ କବିବରଙ୍କୁ ଭୁଲିଗଲେ

ବାଲେଶ୍ବର: କବିବର ରାଧାନାଥ ରାୟଙ୍କର ଆଜି ଥିଲା ପବିତ୍ର ପୁଣ୍ୟତିଥି। ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଆଜି ତାଙ୍କର ୧୧୪ତମ ପୁଣ୍ୟତିଥି ପାଳନ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ତେବେ ସାହିତ୍ୟର ସହର କୁହାଯାଉଥିବା ବାଲେଶ୍ବର ସହରର ଗଡ଼ଗଡ଼ିଆ ପୋଖରୀ ଘାଟରେ ଥିବା ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ କେହି ଫୁଲହାରଟିଏ ବି ପକାଇବାକୁ ଆସିନଥିବା ଦେଖିବାକୁ ମିଳିଥିଲା।

ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ବାଲେଶ୍ବର ପୌରପାଳିକା, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ଏଦିଗରେ ସେମାନଙ୍କ ସାମାନ୍ୟ ସୌଜନ୍ୟତା ମଧ୍ୟ ଦେଖାଇନାହାନ୍ତି। ଗତ କିଛିମାସ ପୂର୍ବରୁ ଗଡ଼ଗଡ଼ିଆ ପୋଖରୀ ଘାଟରେ ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ, ସଂସ୍କୃତି ସଚିବ ନିକୁଞ ବିହାରୀ ଧଳ, ସଂସ୍କୃତି ନିର୍ଦ୍ଦେଶକ ରଂଜନ କୁମାର ଦାସ ଓ ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଏହି ପ୍ରତିମୂର୍ତ୍ତିର ଶୁଭ ଉନ୍ମୋଚନ କରିଥିଲେ। ଏହାପରେ ଉକ୍ତ ପ୍ରତିମୂର୍ତ୍ତିରେ ଲଗାଯାଇଥିବା ଫଳରେ ରାଧାନାଥଙ୍କ ତିରୋଧାନ ଦିବସ ୧୭ ଏପ୍ରିଲ ବଦରେ ୨୭ ଏପ୍ରିଲ ଲେଖାଯାଇଥିବା ଦେଖିବାକୁ ମିଳିଥିଲା।

ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବା ସହ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଗଲା ନାହିଁ। ତେବେ ଆଜି ତାଙ୍କର ପୁଣ୍ୟତିଥି ଚାରିଆଡ଼େ ପାଳନ କରାଯାଇଥିବା ବେଳେ ଗଡ଼ଗଡ଼ିଆ ଘାଟ ନିକଟରେ କାହାରି ପାଦ ନପଡ଼ିବା ସ୍ଥାନୀୟ ଚନ୍ଦନ କମିଟିର ସୁବ୍ରତ ଦାସ, ଶାନ୍ତନୁ ଦାସ, ଅମର ସେନ୍‌, ବିକ୍ରମ ପଣ୍ଡା, ବିନୟ ମହାରଣା, ସନ୍ଦୀପ୍ତ ଦାସ ଓ ସୁମନ୍ତ ମହାପାତ୍ର ପ୍ରମୁଖ ଅସନ୍ତୋଷ ପ୍ରକାଶ କରିବା ସହ କମିଟି ତରଫରୁ ମଧ୍ୟାହ୍ନରେ କବିବରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଆଗାମୀ ଦିନରେ କବିବରଙ୍କ ଜୟନ୍ତୀ ଓ ପୁଣ୍ୟତିଥିରେ ଏହି ପ୍ରତିମୂର୍ତ୍ତିକୁ ଅଣଦେଖା କରାଗଲେ ପୌରପାଳିକା ଓ ଜିଲ୍ଲା ସଂସ୍କୃତି ବିଭାଗ ବିରୋଧରେ ସ୍ବର ଉ‌େତ୍ତାଳନ କରାଯିବ ବୋଲି ସେମାନେ ଚେତବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର