ହୀରାକୁଦର ସବୁ ଗେଟ୍ ବନ୍ଦ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇବା ପରେ ମଙ୍ଗଳବାର ବନ୍ଧର ସମସ୍ତ ଗେଟ୍‌କୁ ବନ୍ଦ କରାଯାଇଛି। ଏକାଧିକ ଗେଟ୍ ଖୋଲା ରଖାଯିବା କାରଣରୁ ସୋମବାର ସଂଧ୍ୟାରେ ୬୨୯.୯୭ ଫୁଟ୍‌ ସହ ସର୍ବୋଚ୍ଚ ଜଳଧାରଣ କ୍ଷମତା ଛୁଇଁବାକୁ ବସିଥିବା ହୀରାକୁଦ ଜଳସ୍ତର ମଙ୍ଗଳବାର ହ୍ରାସ ପାଇଥିଲା। ଏହା ମଙ୍ଗଳବାର ସକାଳ ୬ଟା ବେଳକୁ ୬୨୯.୮୫ ଓ ସଂଧ୍ୟା ୬ଟା ବେଳକୁ ୬୨୯.୭୭ ଫୁଟ୍‌ରେ ପହଞ୍ଚିଥିଲା। ସେପ୍‌ଟେମ୍ବର ୩୦ ତାରିଖ ପାଖେଇ ଆସୁଥିବାରୁ ଜଳସ୍ତରକୁ ବଜାୟ ରଖିବା ପାଇଁ ବନ୍ଧ କର୍ତ୍ତୃପକ୍ଷ ମଙ୍ଗଳବାର ଏକାଧିକ ପର୍ଯ୍ୟାୟରେ ଖୋଲାଥିବା ୪ଟି ଯାକ ଗେଟ୍‌କୁ ବନ୍ଦ କରିଛନ୍ତି। ସକାଳ ୮ଟା, ଦିନ ୧୨ଟା, ଦିନ ୩ଟା ୩୦ ଓ ସଂଧ୍ୟା ୮ଟାବେଳେ ଗୋଟିଏ ଲେଖାଏଁ ଗେଟ୍ ବନ୍ଦ କରିବାକୁ ଆଦେଶ ଦିଆ ଯାଇଥିଲା।

ମଙ୍ଗଳବାର ସଂଧ୍ୟା ୬ଟା ବେଳକୁ ହୀରାକୁଦ ଜଳସ୍ତର ୬୨୯.୭୭ ଫୁଟ୍‌ ଥିବାବେଳେ ଜଳଭଣ୍ଡାରକୁ ୭୨,୫୩୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ବିଭିନ୍ନ ମାର୍ଗ ଦେଇ ୫୪,୪୦୯ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍‌ୱେ’ର ଗୋଟିଏ ଗେଟ୍‌ ଦେଇ ୧୬,୪୨୧ କ୍ୟୁସେକ୍, ପାୱାର୍‌ ଚାନେଲ୍ ଦେଇ ୩୩,୧୧୮ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩,୮୯୬ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୬୩୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧରେ ହୀରାକୁଦ ଉପର ମୁଣ୍ଡରେ ୦.୫ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୦.୨୪ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର