ବରଗଡ଼ : ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ମନଇଚ୍ଛା ବ୍ୟାରେଜ ନିର୍ମାଣ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଚାଲିଛି। ଛତିଶଗଡ଼ର ଏହି କାରନାମାକୁ ନେଇ ବିଳମ୍ବରେ ଓଡ଼ିଶା ସରକାର ଚେଇଁ ଥିଲେ। ସେତିକି ବେଳକୁ ଛତିଶଗଡ଼ର ବୃହତ୍ ବ୍ୟାରେଜ ନିର୍ମାଣ ସରି ଯାଇଥିଲା। ଉଭୟ ରାଜ୍ୟ ମଧ୍ୟରେ ମହାନଦୀ ଜଳବିବାଦକୁ ନେଇ ତିକ୍ତ ସଂପର୍କ ରହିଛି। ମାମଲା ସୁପ୍ରିମକୋର୍ଟ ଯାଏଁ ମଧ୍ୟ ପହଂଚିଛି। ହେଲେ ଏହି ଜଳ ବିବାଦର କିଛି ସମାଧାନର ବାଟ ଖୋଲିନାହିଁ। ଏହାର ସୁଯୋଗ ନେଇ ଛତିଶଗଡ଼ ଜଳ ପରିଚାଳନାରେ ମନମାନୀରେ ଚଳାଇଛି।
ସବୁଠୁ ଚର୍ଚ୍ଚିତ କଲମା ବ୍ୟାରେଜ୍ରେ ଛତିଶଗଡ଼ ସରକାରଙ୍କ ଡାହା ମିଛ ସାମନାକୁ ଆସିଛି। ଅଣମୌସୁମୀ ଋତୁରେ ତଳମୁଣ୍ଡ (ଓଡ଼ିଶା ପଟକୁ) ପାଣି ଛଡ଼ାଯାଉଛି ବୋଲି କହି ଛତିଶଗଡ଼ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରୁଛି। ହେଲେ ଏଭଳି କିଛି ପଦକ୍ଷେପ ନିଆଯାଇନାହିଁ। ଓଡ଼ିଶା ସୀମାର ନିକଟତମ କଲ୍ମା ବ୍ୟାରେଜରେ ଏହାର ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଶା ସୀମା ଡେଇଁଲେ ୧୮୨.୦୩ କୋଟି ଟଙ୍କାରେ ନିର୍ମିତ ଏହି ବୃହତ୍ ବ୍ୟାରେଜ୍ରେ ୬୫ଟି ଗେଟ୍ ରହିଛି। ହେଲେ ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ ଥିବା ଦେଖା ଦେଇଛି। ବ୍ୟାରେଜ୍ର ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ ୨ଟି ଗେଟ୍ ଖୋଲା ରହିଥିବା ‘ସମ୍ବାଦ’କୁ କହିଥିଲେ। ହେଲେ ଗ୍ରାଉଣ୍ଡ ଜିରୋ ରିପୋର୍ଟରେ ଅଧିକାରୀମାନଙ୍କ ମିଛ ସାମନାକୁ ଆସିଛି। ଛତିଶଗଡ଼ କଲମାର ସବୁ ଗେଟ୍ ବନ୍ଦ ରଖିଥିବା ଦୁଇଟି ଗେଟ୍ର ମରାମତି ପାଇଁ ଆଂଶିକ ଭାବେ (ଭୂପୃଷ୍ଠରୁ ୧/୨ ଫୁଟ୍) ଉପରକୁ ଉଠାଯାଇଛି। ଫଳରେ ସାମାନ୍ୟ ପାଣିର ଧାର ଓଡ଼ିଶା ପଟକୁ ପ୍ରବାହିତ ହେଉଛି।
ଅନ୍ୟପକ୍ଷରେ ଛତିଶଗଡ଼ ପଟେ ପଛୁଆ ପାଣି ୧୦ କିଲୋମିଟର ଯାଏଁ ଭରି ରହିଛି। କଲମାରୁ ଉପରମୁଣ୍ଡକୁ ପ୍ରାୟ ୧୦ କିମି ଦୂରରେ ରହିଛି ସାରାଡିହ ବ୍ୟାରେଜ୍। କଲ୍ମାର ଗେଟ୍ ବନ୍ଦ ଥିବାରୁ ପଛୁଆ ପାଣି ସାରାଡିହ ପର୍ଯ୍ୟନ୍ତ ପହଂଚି ଯାଇଛି। ସେହିପରି ସାହାଡିହରେ ମାତ୍ର ୨ଟି ଗେଟ୍ ଆଂଶିକ ଭାବେ ଖୋଲା ରହିଛି। ସେଠାକାର ପଛୁଆ ପାଣି ମଧ୍ୟ ୮ କିଲୋମିଟର ଉପରମୁଣ୍ଡକୁ ପହଂଚିଛି। ଅର୍ଥାତ ଛତିଶଗଡ଼ ପଟରେ ମହାନଦୀରେ ଜଳଜୀବନ ପରିପୁଷ୍ଟ ଥିବାବେଳେ ଓଡ଼ିଶା ପଟେ କେବଳ ବାଲି। କେବଳ ଜୁନ୍ ୧୬ରୁ ଅକ୍ଟୋବର ୩୦ ଯାଏଁ ଗେଟ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଥିବା ବ୍ୟାରେଜ୍ରେ ମୁତୟନ ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏଥିରୁ ଛତିଶଗଡ଼ ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kalam.jpg)