ଭୁବନେଶ୍ବର: ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ହୋଟେଲ କ୍ଲାର୍କସ ଶିରାଜଠାରେ ପଞ୍ଚଦଶ ସର୍ବଭାରତୀୟ କୋଲ୍ଡ ଚେନ୍ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କିଷନ ପ୍ରସାଦ ମୌର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏସ୍ପି ସିଂହ ବାଘେଲ ମଧ୍ୟ ଏଥିରେ ଯୋଗ ଦେଇ ଖାଦ୍ୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ଉପଯୋଗିତା ଓ ଆବଶ୍ୟକତା ବିଷୟରେ କହିଥିଲେ।
ସୂଚନା ଅନୁସାରେ ସାରା ଦେଶରେ ବର୍ତ୍ତମାନ ପ୍ରାୟ ୮୦୦୦ ଶୀତଳଭଣ୍ଡାର ଥିବା ବେଳେ ସେଥିମଧ୍ୟରୁ ଉତ୍ତରପ୍ରଦେଶରେ ସବୁଠୁ ଅଧିକ ୨୨୦୦ଟି ଶୀତଳଭଣ୍ଡାର ଅଛି। ପୁଣି ଉତ୍ତରପ୍ରଦେଶର ଆଗ୍ରାରେ ସବୁଠୁ ଅଧିକ ୭୦୦ ଶୀତଳଭଣ୍ଡାର ରହିଛି। ଏହି ଅବସରରେ ବିଭିନ୍ନ ରାଜ୍ୟ ପକ୍ଷରୁ ସେମାନଙ୍କ ରାଜ୍ୟରେ କେତେ ଶୀତଳଭଣ୍ଡାର ଅଛି ଓ କେତେ ଆବଶ୍ୟକ ସେ ବିଷୟ ବିବରଣୀ ପ୍ରଦାନ କରିଥିଲେ। ଚଳିତବର୍ଷ ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଆଳୁ ଉତ୍ପାଦନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୭୦% କମିଛି। ମହାରାଷ୍ଟ୍ର ପରି ରାଜ୍ୟ ଖାଦ୍ୟ ସଂରକ୍ଷଣ ଓ ପ୍ରକ୍ରିୟାକରଣରେ ଉତ୍କର୍ଷ ପ୍ରଦର୍ଶନ କରିଆସୁଛି। ଗୁଜରାଟ ଆଳୁର ପ୍ରକ୍ରିୟାକରଣ ଏବଂ ଅନ୍ୟାନ୍ୟ ରାଜ୍ୟ ଡାଲି, ଫୁଲ, ଫଳ ଓ ପନିପରିବାର ସଂରକ୍ଷଣରେ କୃତିତ୍ବ ପ୍ରଦର୍ଶନ କରିଛନ୍ତି।
ଏହି ଅବସରରେ ଓଡ଼ିଶା କୋଲ୍ଡ ଷ୍ଟୋରେଜ୍ ସଭାପତି ଜନାର୍ଦ୍ଦନ ସାହୁଙ୍କୁ ଫେଡେରେସନ ଅଫ୍ କୋଲ୍ଡ ଷ୍ଟୋରେଜ୍ ଆସୋସିଏସନ୍ସ (ଭାରତୀୟ ଶୀତଭଣ୍ଡାର ସଂଘଗୁଡ଼ିକର ସଂଘ)ର କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଥିଲା। ଏଥିସହ ଓଡ଼ିଶାରେ କୋଲ୍ଡ ଚେନ୍ ଭିତ୍ତିଭୂମି କ୍ଷେତ୍ରରେ ଉତ୍କର୍ଷ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ପନିପରିବା ଓ ସାମୁଦ୍ରିକ ଖାଦ୍ୟ ସଂରକ୍ଷଣ ଲାଗି ଓଡ଼ିଶାରେ ଶୀତଳଭଣ୍ଡାରର ଅନେକ ସମ୍ଭାବନା ଅଛି ବୋଲି ସେ ପ୍ରକାଶ କରିଥିଲେ।