ଜାନୁଆରି ୮ରେ ଏଆଇଡିଏସ୍‌ଓର ସର୍ବଭାରୀତୟ ଧର୍ମଘଟ

ଭୁବନେଶ୍ବର : ଆସନ୍ତା ଜାନୁଆରି ୮ତାରିଖରେ ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେସନ୍ (ଏଆଇଡିଏସ୍‌ଓ) ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଶିକ୍ଷାର ଘରୋଇକରଣ, ଫି’ବୃଦ୍ଧି, ଜନସ୍ବାର୍ଥ ବିରୋଧୀ ନାଗରିକତା ସଂଶୋଧନ ଆଇନ ଓ ଏନ୍‌ଆରସି ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଶ୍ରେଣୀ ବର୍ଜନ କରି ଛାତ୍ରଛାତ୍ରୀମାନେ ଏହି ଧର୍ମଘଟରେ ସାମିଲ ହେବ ବୋଲି ସଂଗଠନର ରାଜ୍ୟ ପରିଷଦ ସଭାପତି ଗଣେଶ ତ୍ରିପାଠୀ କହିଛନ୍ତି।

ଆଜି ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଲେ, ଏହି ଦିନ ସମସ୍ତ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନମାନେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି। ଏଆଇଡିଏସ୍‌ଓ ଟ୍ରେଡ୍‌ ୟୁନିୟନ୍‌ଗୁଡ଼ିକର ଦାବିକୁ ସମର୍ଥନ ଦେଉଛି। କେନ୍ଦ୍ରର ବିଜେପି ସରକାର ଛାତ୍ରଛାତ୍ରୀମ‌ାନଙ୍କୁ ଧର୍ମ, ଜାତି ଓ ବର୍ଣ୍ଣ ଆଧାରରେ ବିଭକ୍ତ କରିବାକୁ ଚାହୁଁଛି। ନାଗରିକ ସଂଶୋଧନ ଆଇନ ବିରୋଧରେ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟରେ ଚାଲୁଥିବା ଆନ୍ଦୋଳନ ଉପରେ ପୁଲିସର ବର୍ବରତା ସୀମା ଲଂଘିଛି। ଜେଏନ୍‌ୟୁ, ଆଇଆଇଟି ଭଳି ପ୍ରମୁଖ ବିଶ୍ବବିଦ୍ୟାଳୟରେ ମାତ୍ରାଧିକ ଫି’ବୃଦ୍ଧି ଘଟିଛି। ଦେଶ ତଥା ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଶିକ୍ଷକ/ଅଧ୍ୟାପକ ପଦବି ଖାଲି ପଡ଼ିଛି। ତେଣୁ ଏସବୁ ଦାବି ନେଇ ଏଆଇଡିଏସ୍‌ଓ ରାଜ୍ୟ ଶାଖା ପକ୍ଷରୁ ଧର୍ମଘଟ କରାଯିବ। ଏହାକୁ ସଫଳ କରିବା ପାଇଁ ବୁଦ୍ଧିଜୀବୀ, ଅଭିଭାବକ ଓ ଛାତ୍ର ସମାଜକୁ ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଂପାଦକ ସୁବାସ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର