ବାଲେଶ୍ବରରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ରାଜ୍ୟ ସମ୍ମିଳନୀ

ବାଲେଶ୍ୱର: ବାଲେଶ୍ବର ସହର ସହଦେବଖୁଣ୍ଟାସ୍ଥିତ ମାହେଶ୍ୱରୀ ଭବନଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୩ତମ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ମାହେଶ୍ୱରୀ ଭବନଠାରୁ ସଂଗଠନର ମହିଳା ସଦସ୍ୟଙ୍କର ଏକ ପଟୁଆର ବାହାରି ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଫେରିବା ପରେ ସଂଗଠନର ପତାକା ଉତ୍ତୋଳନ କରାଯିବା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସଂଗଠନର ସର୍ବଭାରତୀୟ ସଭାନେତ୍ରୀ ତଥା ପୂର୍ବତନ ସାଂସଦ ଡ. ମାଳିନୀ ଭଟ୍ଟାଚାର୍ଯ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରି ଆଜିର ପରିସ୍ଥିତିକୁ ସାମ୍ନା କରିବାକୁ ହେଲେ ମହିଳାମାନଙ୍କୁ ଆଗକୁ ଆସିବାକୁ ହେବ। ସ୍ୱାଧୀନତା ଆନ୍ଦୋଳନ ସମୟରେ ମହିଳାମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା। ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ୧୯୮୧ ମସିହାରେ ଜନ୍ମ ନେଇଥିଲେ ମଧ୍ୟ ସ୍ୱାଧୀନତା ପୂର୍ବ ଓ ପରେ ନାରୀ ସମାନତା, ସ୍ୱାଧୀନତା, ଗଣତାନ୍ତ୍ରିକ ଅଧିକାର ପାଇଁ ଲଢ଼େଇ ଜାରି ରଖିଛି। ଧର୍ମ ନାମରେ ଦଙ୍ଗା, ନାରୀ ନିର୍ଯାତନା ଏବଂ ଦେଶର ସମ୍ବିଧାନକୁ ନ ମାନିବା ଭଳି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେହି ସମୟରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରି ମିଳିତ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିବାକୁ ସେ ଆହ୍ୱାନ ଦେଇଥିଲେ।

ଉଦଘାଟନ ସମୟରେ ରାଜ୍ୟରେ ପ୍ରଥମ ଗଣତାନ୍ତ୍ରିକ ମହିଳା ସମିତିର ଆବାହିକା ଇନ୍ଦୁମତି ନନ୍ଦୀ, ମାଇକ୍ରୋ ଫାଇନାନ୍ସ ବିରୁଦ୍ଧରେ ସଂଗ୍ରାମ କରିଥିବା ସଂଯୁକ୍ତା ସେଠୀ, ମଦ ବିରୋଧରେ ଆନ୍ଦୋଳନର ନେତ୍ରୀ କାଞ୍ଚନ ସାହୁ ଏବଂ କରୋନା ସମୟରେ ଲୋକଙ୍କୁ ମାଗଣା ଖାଇବାକୁ ଦେଇଥିବା ଶାନ୍ତି ମୁର୍ମୁଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସଂଗଠନର ସର୍ବଭାରତୀୟ ଅନ୍ୟତମ ସମ୍ପାଦିକା ତାପସୀ ପ୍ରହରାଜ, ଉତ୍କଳ ମହିଳା ସମିତି ନେତ୍ରୀ ବନଲତା ଜେନା, ଅଭ୍ୟର୍ଥନା ସମିତି ସମ୍ପାଦିକା ହରିପ୍ରିୟା ଜେନା ବକ୍ତବ୍ୟ ରଖିଥିଲେ। ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ପ୍ରାଧ୍ୟାପିକା ବିନିତା ପଣ୍ଡା ସ୍ୱାଗତ ବକ୍ତବ୍ୟ ରଖି ବାଲେଶ୍ୱର ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ଗଣତାନ୍ତ୍ରିକ ଆନ୍ଦୋଳନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ରାଜ୍ୟ ସଭାନେତ୍ରୀ ସୁରଜିତା ନାୟକ ଉଦ୍‌ଘାଟନ ଉତ୍ସବରେ ସଭାପତିତ୍ୱ କରିଥିଲେ। ଉପ ସଭାନେତ୍ରୀ ଚାରୁବାଳା ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର