ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା: ପୁରୁଷରେ ଦକ୍ଷିଣ-ପୂର୍ବ ରେଳବାଇ, ମହିଳାରେ କୋଲକାତା ବିଜେତା

ବିଳାସପୁରର ଯୋଗେଶ ନିତମ ଶ୍ରେଷ୍ଠ ପୁରୁଷ ଓ ଛତିଶଗଡ଼ର ଛାୟା ଶ୍ରେଷ୍ଠ ମହିଳା ଖେଳାଳି

ରସୁଲପୁର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଖଣ୍ଡିତରଠାରେ ୪ଦିନ ହେଲା ଚାଲିଥିବା ୬୭ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗୁରୁବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ଚଳିତ ବର୍ଷ ଦକ୍ଷିଣ-ପୂର୍ବ ରେଳବାଇ ପୁରୁଷ ବିଭାଗରେ ଚାମ୍ପିଅନ ହୋଇଥିବାବେଳେ ମହିଳା ବିଭାଗରେ କୋଲକାତା ବିଜେତା ହୋଇଛି। ରଜ ୩ ଦିନଯାକ ବର୍ଷା ପାଇଁ ଖେଳ ବାଧାପ୍ରାପ୍ତ ହୋଇଥିଲେ ବି ଆୟୋଜକମାନେ କୌଣସି ପ୍ରକାରେ ମ୍ୟାଚ୍ ଆୟୋଜନ କରାଇଥିଲେ।

ପୁରୁଷ ବିଭାଗରେ ୩୬ଟି ଓ ମହିଳା ବିଭାଗରେ ୨୦ଟି ଏଭଳି ମୋଟ ୫୬ଟି ମ୍ୟାଚ୍ ଖେଳା ଯାଇଥିଲା। ପ୍ରବଳ ବର୍ଷା ଯୋଗୁ ୪ଟି ମ୍ୟାଚ୍ ବାତିଲ ହୋଇଛି। ଗୁରୁବାର ସକାଳ ୫ଟା ୩୦ରୁ ଖେଳ ଆରମ୍ଭ ହୋଇଥିଲା। ଗତ ରାତିରେ ଉଭୟ ପୁରୁଷ ଓ ମହିଳା ବିଭାଗର କ୍ବାର୍ଟର ଫାଇନାଲ ଲାଇନ ଅପ୍ ଚୂଡ଼ାନ୍ତ ହୋଇ ଯାଇଥିଲା। ପୁରୁଷ ବିଭାଗ ପ୍ରଥମ କ୍ବାର୍ଟର ଫାଇନାଲରେ ଜଗତସିଂହପୁର କିଶୋର କ୍ଲବ୍‌କୁ ୩୬-୧୯ ପଏଣ୍ଟରେ ହରାଇ ପ୍ରଥମେ ସେମିଫାଇନାଲକୁ ଯାଇଥିଲା। ଦ୍ବିତୀୟ କ୍ବାର୍ଟର ଫାଇନାଲରେ ଦକ୍ଷିଣ-ପୂର୍ବ ରେଳବାଇ ଓଡ଼ିଶା ପୁଲିସକୁ ୪୦-୨୧ ପଏଣ୍ଟରେ ହରାଇଥିଲା। ତୃତୀୟ କ୍ବାର୍ଟର ଫାଇନାଲରେ ପୂର୍ବତଟ ରେଳବାଇ ନାଗପୁରକୁ ୪୪-୨୦ର ବଡ଼ ବ୍ୟବଧାନରେ ହରାଇଥିଲା। ଚତୁର୍ଥ କ୍ବାର୍ଟର ଫାଇନାଲରେ ବିଳାସପୁର କୋଲକାତା ପୁଲିସକୁ ୩୬-୩୩ ପଏଣ୍ଟରେ ହରାଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା।

ପୁରୁଷ ବିଭାଗର ପ୍ରଥମ ସେମିଫାଇନାଲ ଦକ୍ଷିଣ-ପୂର୍ବ ରେଳବାଇ ବନାମ ଜଗତସିଂହପୁର ଏବଂ ଦ୍ବିତୀୟ ସେମିଫାଇନାଲ ବିଳାସପୁର ଓ ପୂର୍ବତଟ ରେଳବାଇ ମଧ୍ୟରେ ଖେଳା ହୋଇଥିଲା। ମହିଳା ବିଭାଗ ପ୍ରଥମ ସେମିଫାଇନାଲ ଛତିଶଗଡ଼ ଓ କିଟ୍ ବିଶ୍ବବିଦ୍ୟାଳୟ ମଧ୍ୟରେ ଏବଂ ଦ୍ବିତୀୟ ସେମି ଫାଇନାଲ ଚନ୍ଦନ ନଗର ପଶ୍ଚିମବଙ୍ଗ ଓ କେକେଏ ପଟିଆ ମଧ୍ୟରେ ଖେଳା ହୋଇଥିଲା। ଦକ୍ଷିଣପୂର୍ବ ରେଳବାଇ ସେମିଫାଇନାଲରେ ଜଗତସିଂହପୁରକୁ ୫୦-୩୭ ପଏଣ୍ଟରେ ହରାଇ ଫାଇନାଲକୁ ଯାଇଥିଲା। ଦ୍ବିତୀୟ ସେମିଫାଇନାଲରେ ପୂର୍ବତଟ ରେଳବାଇ ବିଳାସପୁରକୁ ୪୫-୪୪ ପଏଣ୍ଟରେ ହରାଇ ଫାଇନାଲ ଖେଳିଥିଲା। ଗ୍ରାଣ୍ତ ଫାଇନାଲରେ ଦକ୍ଷିଣ ପୂର୍ବ ରେଳବାଇ ପୂର୍ବତଟ ରେଳବାଇକୁ ୫୨-୩୭ ପଏଣ୍ଟରେ ହରାଇ ଚଳିତ ବର୍ଷର ଚାମ୍ପିଅନ୍ ହୋଇଥିଲା। ମହିଳା ବିଭାଗରେ ଫାଇନାଲ ଖେଳିଥିବା ଚନ୍ଦନ ନଗର କୋଲକାତା କଡ଼ା ମୁକାବିଲାମୂଳକ ମ୍ୟାଚ୍‌ରେ ୩୩-୩୧ ପଏଣ୍ଟରେ ହରାଇ ବିଜେତା ହୋଇଥିଲା। ବିଳାସପୁରର ଯୋଗେଶ ନିତମ ଶ୍ରେଷ୍ଠ ପୁରୁଷ ଓ ଛତିଶଗଡ଼ର ଛାୟା ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ଜେକେଏ ସଭାପତି ପ୍ରଦୀପ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସମ୍ମାନିତ ଅତିଥି ଭାବରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଉଭୟ ବିଭାଗର ଚାମ୍ପିଅନ ଓ ରନର୍ସଅପ୍ ଟିମ୍‌କୁ ଟ୍ରଫି ଓ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ।

ଅନ୍ୟ ଅତିଥିମ଼ାନଙ୍କ ମଧ୍ୟରେ ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ ରାଉତ, ପ୍ରାୟୋଜକ କମ୍ପାନି ନେରୋଲାକର ଆଞ୍ଚଳିକ ବିକ୍ରୟ ପ୍ରବନ୍ଧକ ସଞ୍ଜୀବ କୁମାର ମହାନ୍ତି ଓ ରାମକୋ କମ୍ପାନିର ଅଧିକାରୀ ଅଜିତ କୁମାର ସାହୁ ଓ ଜିତେଶ ସିଂ ଯୋଗଦେଇଥିଲେ। ଜେକେଏ ସହସଂପାଦକ ଅଧ୍ୟାପକ ସମରେନ୍ଦ୍ର ଦାଶ ଅତିଥି ପରିଚୟ ଦେବା ସହିତ ସ୍ବାଗତ ଭାଷଣ ଦେଇଥିଲେ। ସଂପାଦକ ରବୀନ୍ଦ୍ର ପୃଷ୍ଟି ସଂପାଦକୀୟ ବିବରଣୀ ପାଠ କରିଥିଲେ। ଉପସଭାପତି ସନ୍ତୋଷ କୁମାର ପୃଷ୍ଟି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର