ଜାତୀୟ ପୁଲିସ ଜୁଡୋ କ୍ଲଷ୍ଟର ଉଦ୍‌ଘାଟିତ

ସର୍ବଭାରତୀୟ ପୁଲିସ ଆଥ୍‌ଲେଟ୍‌ ମିଟ ପାଇଁ ପ୍ରସ୍ତାବ

କଟକ : ସର୍ବ ଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର-୨୦୧୮ ଆଜି ବକ୍ସିବଜାର ପୁଲିସ ରିଜର୍ଭ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଆଗାମୀ ଦିନରେ ସର୍ବଭାରତୀୟ ସ୍ତରରେ ପୁଲିସ ଆଥ୍‌ଲେଟ୍‌ ମିଟ୍‌ ଆୟୋଜନ କରିବାକୁ ଯୋଜନା କରାଯାଇଥିବା ଶ୍ରୀ ବେହେରା କହିଛନ୍ତି। ଏଥିପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।

ଆଜିଠାରୁ ଜୁଡୋ କ୍ଲଷ୍ଟର ଜବାହାରଲାଲ୍‌ ନେହେରୁ ଇନ୍‌ଡୋର‌୍‌ ଷ୍ଟାଡିୟମ୍‌ ଓ ବାରବାଟୀ ଷ୍ଟାଡିୟମ୍‌ର ସଚିନ୍‌ ତେନ୍ଦୁଲ୍‌କର ଇନ୍‌ଡୋର‌୍‌ ହଲ୍‌ରେ ଆରମ୍ଭ ହୋଇଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି କ୍ରୀଡ଼ାରେ ୩ଟି ଟିମ୍‌ର ୧୨୦୦ ପ୍ରତିଯୋଗୀ, ୩୦୦ ପ୍ରଶିକ୍ଷକ ଓ ଅଧିକାରୀ ଅ˚ଶ ଗ୍ରହଣ କରିଛନ୍ତି। ଆଜି ଦିନ ୧୦ଟା ବେଳେ ପୁଲିସ ପଡ଼ିଆରେ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଥିଲା। କାର୍ଯ୍ୟକ୍ରମରେ ଡିଜି ଡାକ୍ତର ଆର‌୍‌.ପି. ଶର୍ମା କହିଛନ୍ତି, ଏ ପ୍ରକାର ଇଭେଣ୍ଟ ଆୟୋଜନ କରିବା ପରେ ରାଜ୍ୟରେ ଅନେକ କ୍ରୀଡ଼ାବିତ୍‌ଙ୍କ ଦକ୍ଷତାର ବିକାଶ ହେବ। ଏବେ ଜିଲ୍ଲା ପୁଲିସ, ବାଟାଲିୟନ୍‌ ଏବ˚ ବିଭିନ୍ନ ୟୁନିଟ୍‌ରେ ଏ ପ୍ରକାର ଖେଳ ଖୁବ ଶୀଘ୍ର ଆରମ୍ଭ କରିବାକୁ ଯୋଜନା କରାଯାଉଛି। ଏହି ଅବସରରେ ଆତସବାଜୀ କାର୍ଯ୍ୟକ୍ରମ ଓ ପରେଡ୍‌ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଏସ୍‌ଏପି ଏଡିଜି ମନୋଜ ଛାବ୍ରା, ଏଡିଜି ବିନୟତୋଷ ମିଶ୍ର, ଅମିତାଭ ଠାକୁର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର