ସାନ୍ତାଳି ଏକ ଆଗୁଆ ଓ ସ୍ୱାଭିମାନୀ ଜାତି: ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ସର୍ବଭାରତୀୟ ସାନ୍ତାଳି ଲେଖକ ମହାସମ୍ମିଳନୀ

ଭୁବନେଶ୍ବର : ସାମାଜିକ ଅନୁଷ୍ଠାନ ‘ଆଦିମ ଅୱାର ଜାର୍‌ପା’ ଆନୁକୂଲ୍ୟରେ ସର୍ବଭାରତୀୟ ସାନ୍ତାଳି ଲେଖକ ସଂଘର ୩୨ତମ ମହାସମ୍ମିଳନୀ ଆଜି ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ ଗମ୍‌‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ସାନ୍ତାଳି ଜାତି ଏକ ଆଗୁଆ ଜାତି, ସ୍ବାଭିମାନୀ ଜାତି। ଶିକ୍ଷା ପ୍ରତି ସାନ୍ତାଳି ଭାଇଭଉଣୀମାନଙ୍କର ଆଗ୍ରହ ରହିଛି। ଶିକ୍ଷିତ ହାର ମଧ୍ୟ ଭଲ ରହିଛି। ଶିକ୍ଷା ପ୍ରତି ଆଗ୍ରହ ଯୋଗୁଁ ସାନ୍ତାଳିମାନେ ଆଜି ବିଭିନ୍ନ ‌କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ସାନ୍ତାଳି ଭାଷାରେ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି ହୋଇଛି। ଚୈତନ୍ୟ ପ୍ରସାଦ ମାଝୀ, ଅର୍ଜୁନ ହେମ୍ବ୍ରମ୍‌, ଦମୟନ୍ତୀ ବେସ୍ରା, ଯଦୁମଣି ବେସ୍ରା ଓ ଗଙ୍ଗାଧର ହାଁସଦାଙ୍କ ଭଳି ପ୍ରତିଭାମାନେ ସାନ୍ତାଳି ସାହିତ୍ୟକୁ ସମୃଦ୍ଧ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଭୋଗ୍‌ଲା ସୋରେନ୍‌, ଯଦୁମଣି ବେସ୍ରା, ନିରଞ୍ଜନ ହାଁସଦା, ଗୋରାଚାନ୍ଦ ମୁର୍ମୁ, ସୁବାଇ ଚନ୍ଦ୍ର ହାଁସଦା ଓ ସରୋଜ ସୋରେନ୍‌ ପ୍ରମୁଖଙ୍କୁ ‘ଜୀବନବ୍ୟାପୀ ସ‌ାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ, ବାଂଲାଦେଶ ଓ ମଧ୍ୟପ୍ରଦେଶରୁ ୩୦୦ରୁ ଊର୍ଧ୍ବ ସାନ୍ତାଳି ଲେଖକ ଯୋଗ ଦେଇଥିଲେ। ଆଜିର ଉଦ୍‌ଘାଟନୀ ସମାରୋହରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ‘ଆଦିମ ଅୱାର ଜାର୍‌ପା’ର ସଭାପତି କାରୁ ମୁର୍ମୁ ଓ ସର୍ବଭାରତୀୟ ସାନ୍ତାଳି ଲେଖକ ସଂଘର ସଭାପତି ଚଣ୍ଡିଚରଣ ହାଁସଦା, ସଂପାଦକ ଗଣେଶ ଠାକୁର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର