ଭୁବନେଶ୍ବର : ମୋଦୀ ସରକାରର ସାଢ଼େ ୪ବର୍ଷ କାର୍ଯ୍ୟକାଳ ମଧ୍ୟରେ ଛାତ୍ର ଓ ଯୁବକମାନଙ୍କ ଶିକ୍ଷା ଓ ରୋଜଗାର ଉପରେ ଆକ୍ରମଣ ହୋଇଛି। ଦେଶର ପ୍ରତିଷ୍ଠିତ ଶିକ୍ଷା ସଂସ୍ଥାମାନଙ୍କୁ ଧ୍ବଂସ କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ହାଇଦ୍ରାବାଦ ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ନେହରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାକୁ ମୋଦୀ ସରକାର ଦେଶ ବିରୋଧୀ ଅନୁଷ୍ଠାନ ଭାବେ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୁବ-ଛାତ୍ର ବିରୋଧୀ ନୀତି ବିରୋଧରେ ଆସନ୍ତା ୭ତାରିଖରେ ସଂସଦ ଘେରାଉ କରାଯିବ ବୋଲି ସର୍ବଭାରତୀୟ ଛାତ୍ର ସଂଗଠନ ବା ଆଇସା ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସଂଗଠନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁଚେତା ଦେ କହିଲେ, ଫେବ୍ରୁଆରି ୭ ତାରିଖରେ ଯୁବ-ଛାତ୍ରଙ୍କ ପକ୍ଷରୁ ‘ୟଙ୍ଗ ଇଣ୍ଡିଆ ଅଧିକାର ରାଲି’ ଡାକରା ଦିଆଯାଇଛି। ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଦୀ ସରକାରଙ୍କ ଜନବିରୋଧୀ ପଦକ୍ଷେପ ସଂପର୍କରେ ଆଲୋଚନା ହେଉଛି, ସେସବୁକୁ ଦେଶ ବିରୋଧୀ ଶିକ୍ଷାନୁଷ୍ଠାନର ଆଖ୍ୟା ଦିଆଯାଉଛି। ଲଗାତାର ବଜେଟ କମ୍ ହେଉଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଅସ୍ତିତ୍ବ ପାଇଁ ଲଢ଼େଇ କରୁଥିବା ବେଳେ ଅସ୍ତିତ୍ବହୀନ ଜିଓ ଇନଷ୍ଟିଚ୍ୟୁଟ୍ ପାଇଁ ହଜାର କୋଟିର ଅନୁଦାନ ଘୋଷଣା କରିବା ହାସ୍ୟସ୍ପଦ।
‘ଆଇସା’ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସଂଦୀପ ସୌରଭ କହିଲେ, ମୋଦୀ ସରକାର ଯୁବକମାନଙ୍କୁ ବର୍ଷକୁ ୨କୋଟି ଚାକିରି ଦେବାକୁ କହିଥିଲେ। ମାତ୍ର କ୍ଷମତାକୁ ଆସିବା ପରେ ପାନଦୋକାନ, ପକୁଡ଼ି ବିକିବା ତଥା ପଙ୍କଚର ଦୋକାନକୁ ନିଯୁକ୍ତି ବୋଲି ଦର୍ଶାଇଛନ୍ତି। ଗତ ସାଢ଼େ ୪ବର୍ଷ ଭିତରେ ୫ରୁ ୬୦ଲକ୍ଷ ମଧ୍ୟରେ ସରକାରୀ ପଦବିକୁ ଉଚ୍ଛେଦ କରିଛନ୍ତି। ଏହାର ପ୍ରତିବାଦରେ ଯୁବ-ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ସୌରଭ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଂଘର ଓଡ଼ିଶା ଆବାହକ ଏ.ମଲ୍ଲିକ୍ଙ୍କ ସମେତ ଅନ୍ୟାମାନେ ଉପସ୍ଥିତ ଥିଲେ।