ଭୁବନେଶ୍ବର : ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଶିଲ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟ ଔଷଧ ନିଗମ(ଓଏସ୍ଏମ୍ସିଏଲ୍) ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ଏହି ଗୋଦାମରେ ଲକ୍ଷାଧିକ ଟଙ୍କାର କୋଭିଡ୍ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଗଲା ନିଗମର ଅଧିକାରୀ ଏହାର ତଦନ୍ତ କରିଛନ୍ତି। ତେବେ ଏହା ସଂପର୍କରେ ନିଗମ ପକ୍ଷରୁ ବିଶେଷ ସୂଚନା ଦିଆଯାଉନାହିଁ।
ତେବେ କୋଭିଡ୍ ସାମଗ୍ରୀ ଏହି ସରକାରୀ ଗୋଦାମରେ ନିଆଁ ଲାଗିବା ଘଟଣାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ ପାଇବା କଥା ତାହା ଦେଖିବାକୁ ମିଳିନାହିଁ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ସ୍ବାସ୍ଥ୍ୟ ସଚିବଙ୍କ ପର୍ଯ୍ୟନ୍ତ ଏହି ଘଟଣାରେ ଚୁପ୍ ରହିଛନ୍ତି। ଏ ନେଇ ବିଭାଗ ପକ୍ଷରୁ ତନାଘନା ହୋଇନାହିଁ। କେବଳ ସକାଳୁ ବିଭାଗର ଟ୍ବିଟର ହ୍ୟାଣ୍ଡେଲରେ କେବଳ ଛୋଟ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତକାଲି ମାର୍କଫେଡ୍ ଗୋଦାମରେ ଲାଗିଥିବା ନିଆଁରେ ସାନିଟାଇଜର, ପିପିଇ କିଟ୍ ଓ ଖାଲି ସିଲିଣ୍ଡର ଆଦି ଜଳି ଯାଇଥିଲା। ଏସବୁ ସାମଗ୍ରୀର ବୀମା ରହିଛି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।