ଭୁବନେଶ୍ବର: ଆଜି ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଚାଲିଥିବା ଶିକ୍ଷକ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ ବିଜେଡି ଏହାର କଡ଼ା ଜବାବ୍ ଦେଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ଆପଣ ଜାଣି ନାହାନ୍ତି ନା ଜାଣିକି ନାଟକ କରୁଛନ୍ତି? ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ ଜରିଆରେ କରାଯାଇଛି। ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି। ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି। ଆପଣ କ’ଣ କହିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି କରିଛି?
କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ଜବାହର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ। ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି?
ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି। ହେଲେ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି। ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ବଡ଼ ଭୂମିକା ରହିଛି।