ସମ୍ବଲପୁର : କଟକର ମଧୁସୂଦନ ଆଇନ୍ ମହାବିଦ୍ୟାଳୟକୁ ସରକାର ଆଇନ୍ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଥିଲାବେଳେ ଏହା ଅଧୀନକୁ ପଶ୍ଚିମ ଓଡ଼ିଶା ସମେତ ସାରା ଓଡ଼ିଶାର ସମସ୍ତ ଆଇନ୍ ମହାବିଦ୍ୟାଳୟ ଚାଲିଯିବ। ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଆଇନ୍‌ ମହାବିଦ୍ୟାଳୟ (ବିଭିନ୍ନ ବିଶ୍ବବିଦ୍ୟାଳୟର କନ୍‌ଷ୍ଟିଟୁଏଣ୍ଟ ଆଇନ୍ ମହାବିଦ୍ୟାଳୟ ବ୍ୟତୀତ)କୁ ନେଇ ଆସନ୍ତା ୨୮ ତାରିଖ ମଧୁବାବୁଙ୍କ ଜୟନ୍ତୀ ଦିନଠାରୁ ମଧୁସୂଦନ ଆଇନ୍ ବିଶ୍ବବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିବ।

Advertisment

ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁରର ଲଜ୍‌ପତ ରାୟ ଆଇନ୍ ମହାବିଦ୍ୟାଳୟ ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସମସ୍ତ ଆଇନ୍ ମହାବିଦ୍ୟାଳୟ ଏଣିକି କଟକର ଏମ୍‌ଏସ୍‌ ଆଇନ୍‌ ବିଶ୍ବବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟ ଭାବେ କାର୍ଯ୍ୟ କରିବ। ପଶ୍ଚିମ ଓଡ଼ିଶାର ଦେବଗଡ଼ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଆଇନ୍‌ ମହାବିଦ୍ୟାଳୟ ଅଛି ଓ ସବୁ ଗୁଡ଼ିକ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅନୁବନ୍ଧିତ ଥିଲା। ଏହି କଲେଜ୍‌ ଗୁଡ଼ିକର ପରୀକ୍ଷା ପରିଚାଳନା, ସାର୍ଟିଫିକେଟ୍ ପ୍ରଦାନ ସମେତ ବିଭିନ୍ନ ଶୈକ୍ଷିକ କାର୍ଯ୍ୟ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ହେଉଥିଲା। ମାତ୍ର ଏହି ମହାବିଦ୍ୟାଳୟ ଗୁଡ଼ିକୁ ଏବେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ କାଢ଼ି ନିଆଯାଇଛି। ଫଳରେ କଟକସ୍ଥିତ ମଧୁସୂଦନ ବିଶ୍ବବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ଏହି ଆଇନ୍ ମହାବିଦ୍ୟାଳୟ ଗୁଡ଼ିକର ପରୀକ୍ଷା ପରିଚାଳନା ଓ ସାର୍ଟିଫିକେଟ୍ ପ୍ରଦାନ କରିବ।

ତେବେ, ଏହାଦ୍ବାରା ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଧି ଆହୁରି ସଂକୁଚିତ ହୋଇଛି। ପୂର୍ବରୁ ରାଜ୍ୟର ଏହି ଅନ୍ୟତମ ବୃହତ୍‌ ବିଶ୍ବବିଦ୍ୟାଳୟରୁ ଶତାଧିକ ମହାବିଦ୍ୟାଳୟକୁ କାଢ଼ି ନିଆଯାଇ ବଲାଙ୍ଗୀରର ରାଜେନ୍ଦ୍ର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ କରା ଯାଇଥିଲା। ସେହିପରି ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଓ ପ୍ରତିଷ୍ଠିତ ଏଲ୍‌ଆର୍‌ ଆଇନ୍ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ବହୁ ଦିନରୁ ଦାବି ହୋଇ ଆସୁଛି। ରାଜ୍ୟ ସରକାର ଏହାକୁ ବିଶ୍ବବିଦ୍ୟାଳୟ ଘେ‌ାଷଣା କରି ପଶ୍ଚିମ ଓଡ଼ିଶାର ଆଇନ୍‌ ମହାବିଦ୍ୟାଳୟ ଗୁଡ଼ିକୁ ତା’ରି ଅଧୀନରେ ରଖିବାକୁ ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।