ସବୁ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ସାର୍ଟିଫିକେଟ୍ ଓ ମାର୍କସିଟ୍

କଟକ : ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲେ ବି ଉଚ୍ଚଶିକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ବୋର୍ଡର ସଭାପତି ରାମାଶିଷ ହାଜରା ଆଜି ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାଟ୍ରିକ୍ ପରୀକ୍ଷା ବାତିଲ ଘୋଷଣା ପରେ କେଉଁ ଆଧାରରେ ପରୀକ୍ଷାର୍ଥୀଙ୍କୁ ନମ୍ବର ଦିଆଯିବ ବା ପାସ୍ କରାଯିବ ତାହା ଏବେ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଖରେ ବିଚାରାଧୀନ ରହିଛି। ଏହାକୁ ‌ନେଇ ଆଲୋଚନା ଚାଲିଛି। ଏ ବିଷୟରେ ବୋର୍ଡ ଓ ରାଜ୍ୟ ସରକାର ବିଭିନ୍ନ ଦିଗକୁ ବିଚାର କରି ଆଲୋଚନା କରୁଛନ୍ତି। ଯଦି ବିଦ୍ୟାଳୟରେ ହୋଇଥିବା ପ୍ରାକ୍ଟିସ୍ ପରୀକ୍ଷା ଆଧାରରେ ନମ୍ବର ଦିଆଯାଏ, ‌ତେବେ ଏକ୍ସରେଗୁଲାର, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଏଥିରୁ ବାଦ୍ ପଡ଼ିଯିବେ। ତେଣୁ ଏକ ଷ୍ଟାଣ୍ଡାର୍ଡ ନିର୍ଧାରଣ ପାଇଁ ପଦକ୍ଷେପ ନିଆଯିବ, ଯାହାକି ସମସ୍ତଙ୍କ ପାଇଁ ସୁବିଧାଜନକ ହେବ। ଯେଉଁମାନେ ବୋର୍ଡ ଦ୍ବାରା ସ୍ଥିରିକୃତ ପରୀକ୍ଷାଫଳରେ ଅସନ୍ତୋଷ ବ୍ୟକ୍ତ କରିବେ, ସେମାନଙ୍କ ପାଇଁ ଦ୍ବିତୀୟ ପରୀକ୍ଷା କରାଯିବାର ଯୋଜନା ମଧ୍ୟ ଚାଲିଛି। କିନ୍ତୁ ସମସ୍ତେ ସାର୍ଟିଫିକେଟ୍ ଓ ମାର୍କସିଟ୍ ପାଇବେ ବୋଲି ବୋର୍ଡ ସଭାପତି ସ୍ପଷ୍ଟ କରିଛନ୍ତି।

ଶ୍ରୀ ହାଜରା କହିବା ଅନୁଯାୟୀ ମହାମାରୀ କରୋନା ପାଇଁ ବୋର୍ଡ ଇତିହାସରେ ଯାହା କେବେ ହୋଇନଥିଲା, ଚଳିତ ବର୍ଷ ତାହା ହେବାକୁ ଯାଉଛି। ମାଟ୍ରିକ୍ ପରୀକ୍ଷା ବାତିଲ ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷିକା, ଅଭିଭାବକ, ବୋର୍ଡ କର୍ତ୍ତୃପକ୍ଷଙ୍କ ସମେତ ବୁଦ୍ଧିଜୀବୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏବର୍ଷ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ, ପତ୍ର ବିନିମୟରେ ମୋଟ ୬ ଲକ୍ଷ ୪୭ ହଜାର ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ। ପରୀକ୍ଷା ପାଇଁ ରାଜ୍ୟର ୩୩୨୧ଟି ପରୀକ୍ଷା କେନ୍ଦ୍ର (ଗତବର୍ଷ ୨୮୦୮) ଚୟନ ହୋଇଥିଲା। ପରୀକ୍ଷା ପାଇଁ ପ୍ରଶ୍ନପତ୍ର ତିଆରି ସହିତ ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇ ସାରିଥିଲା। ବୋର୍ଡ ପକ୍ଷରୁ ପାଠ୍ୟକ୍ରମରୁ ୩୦ ପ୍ରତିଶତ ହ୍ରାସ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶରେ ୧୦୦ ଦିନ ପାଇଁ କ୍ଲାସ୍‌ରୁମ୍ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପିଲାଙ୍କୁ ନୂତନ ପ୍ରଶ୍ନପତ୍ର ଢ଼ାଞ୍ଚା ସହିତ ପରିଚିତ କରାଇବା ପାଇଁ ‘ପରୀକ୍ଷା ଦର୍ପଣ ଯୋଗାଇ ଦିଆଯାଇଥିଲା। ଏଥି ସହ ମାଟ୍ରିକ୍ ପରୀକ୍ଷା ପୂର୍ବରୁ ପ୍ରତି ବିଦ୍ୟାଳୟରେ ବୋର୍ଡ ପକ୍ଷରୁ ୪ଟି ପ୍ରାକ୍ଟିସ୍ ପରୀକ୍ଷା କରାଯାଇଥିଲା। କିନ୍ତୁ ପିଲାମାନେ ପରୀକ୍ଷା ବାତିଲକୁ ନେଇ ଆଦୌ ହତୋତ୍ସାହ ହେବା ଅନୁଚିତ। ପରୀକ୍ଷା ମେଧା ମାପିବାର ଏକ ପ୍ରକ୍ରିୟା। ମାତ୍ର ଜୀବନରେ ବଢ଼ିବାକୁ ହେଲେ ଜ୍ଞାନର ନିହାତି ଆବଶ୍ୟକତା ରହିଛି। ଦଶମ ଶ୍ରେଣୀ ପିଲାମାନେ ସାଂପ୍ରତିକ ପରିସ୍ଥିତି ବିଷୟରେ ସଂପୂର୍ଣ୍ଣ ଅବଗତ ରହିଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ ମଧ୍ୟରେ ସ୍ବାସ୍ଥ୍ୟ ଆଗ। ୧୦୦ ଦିନର ଶ୍ରେଣୀଗୃହ ପାଠପଢ଼ାରେ ଛାତ୍ରଛାତ୍ରୀ ପ୍ରାୟ ସବୁ ବିଷୟ ପଢ଼ିଛନ୍ତି। ବୋର୍ଡ ଦ୍ବାରା ସଂପାଦିତ ୪ଟି ପ୍ରାକ୍ଟିସ୍ ପରୀକ୍ଷା ମଧ୍ୟ ଦେଇଛନ୍ତି। ‌ତେଣୁ ସେମାନେ ପୂର୍ବଭଳି ପାଠପଢ଼ା ଜାରି ରଖନ୍ତୁ। ଭବିଷ୍ୟତରେ ଅର୍ଥାତ୍‌ ଉଚ୍ଚ ଶିକ୍ଷା ପାଇଁ ଏହା କାମରେ ଆସିବ ବୋଲି ଶ୍ରୀ ହାଜରା ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର