ବଢ଼ିବ ସବୁ ମେଡିକାଲ କଲେଜର ୧୦ ପ୍ରତିଶତ ସିଟ୍‌, ୭ ସୁଦ୍ଧା ଏମ୍‌ସିଆଇରେ ଆବେଦନ ପାଇଁ ଡିଏମ୍‌ଇଟିଙ୍କ ଚିଠି

କଟକ : ଏସ୍‌ସିବି ମେଡିକାଲ୍‌ କଲେଜ ସମେତ ରାଜ୍ୟର ଅନ୍ୟ ମେଡିକାଲ କଲେଜଗୁଡ଼ିକରେ ୟୁଜି ଓ ପିଜି ସିଟ୍‌ ସ˚ଖ୍ୟା ୧୦ ପ୍ରତିଶତ ବୃଦ୍ଧି କରାଯିବ। ଏ ନେଇ ମେଡିକାଲ କଲେଜଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଏସ୍‌ସିବି ମେଡିକାଲ କଲେଜରେ ୨୫ଟି ୟୁଜି ସିଟ୍‌ ବୃଦ୍ଧି କରାଯାଇଥିବାରୁ ଏଠାରେ ୨୫୦ଜଣ ଛାତ୍ରଛାତ୍ରୀଙ୍କ ସ୍ଥାନରେ ଚଳିତବର୍ଷ କିନ୍ତୁ ୨୭୫ ପିଲା ଆଡମିସନ୍‌ କରିପାରିବେ। ଏଥି ସହ ପିଜିରେ ମଧ୍ୟ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ବିଭିନ୍ନ ବିଭାଗରେ ୨୬ଟି ସିଟ୍‌ ବୃଦ୍ଧି କରାଯିବା ପାଇଁ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। ଜୁନ ୭ ତାରିଖ ସୁଦ୍ଧା ସବୁ ମେଡିକାଲ କର୍ତ୍ତୃପକ୍ଷ ଏମ୍‌ସିଆଇ ନିକଟରେ ଆବେଦନ କରିବା ପାଇଁ ଯୁଗ୍ମ ଡିଏମ୍‌ଇଟି ପ୍ରଫେସର ଉମାକାନ୍ତ ଶତପଥୀ ସମସ୍ତ ମେଡିକାଲ କଲେଜର ଡିନ୍‌ ତଥା ପ୍ରିନସିପାଲମାନଙ୍କୁ ଚିଠି କରିଛନ୍ତି। କେବଳ ଏସ୍‌ସିବି ନୁହେଁ; ବ୍ରହ୍ମପୁରର ଏମ୍‌କେସିଜିରେ ୟୁଜି ପାଇଁ ୨୫, ବୁର୍ଲାର ଭିମସାର ପାଇଁ ୧୫, କୋରାପୁଟ, ବଲାଙ୍ଗୀର, ବାରିପଦା ଓ ବାଲେଶ୍ବର ପାଇଁ ୧୦ଟି ଲେଖାଏଁ ସିଟ୍‌ ବୃଦ୍ଧିର ଅନୁମୋଦନ କରାଯାଇଛି। ଅନ୍ୟପଟେ ପିଜିରେ କେବଳ ଏସ୍‌ସିବି, ଭିମ୍‌ସାର ଓ ଏମ୍‌କେସିଜି ମେଡିକାଲ କଲେଜର ସିଟ୍‌ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ଏମ୍‌ସିଆଇ ହାତରେ ରହିଛି। ତେବେ, ଏସ୍‌ସିବିରେ ଚଳିତବର୍ଷ ୟୁଜିରେ ୨୫ଟି ଅଧିକ ସିଟ୍‌ରେ ଆଡମିସନ୍‌ ଦିଆଯିବ ବୋଲି ଡିନ୍‌ ତଥା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆର୍ଥିକ ରୂପେ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ମେଡିକାଲ୍‌ କଲେଜଗୁଡିକରେ ୧୦ ପ୍ରତିଶତ ସିଟ୍‌ ସ˚ରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏମ୍‌ସିଆଇ ଏହା ଉପରେ ପଦକ୍ଷେପ ନେଇ ସିଟ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଦେବାକୁ ମେଡିକାଲ କଲେଜଗୁଡ଼ିକୁ ଚିଠି ଦେଇଥିଲା। ତାହକୁ ନେଇ ମେଡିକାଲ କଲେଜଗୁଡ଼ିକ ପକ୍ଷରୁ ଜରୁରି ବୈଠକ ଡକାଯାଇ ଉଭୟ ପିଜି ଓ ୟୁଜିରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବ ସରକାରଙ୍କୁ ପଠାଇଥିଲେ। ମେଡିକାଲ୍‌ରେ ବାର୍ଷିକ ୨୫୦ ୟୁଜି ସିଟ୍‌ ରହିଥିବା ବେଳେ ପ୍ରସ୍ତାବ ଅନୁଯାୟୀ ଏହା ୨୭୫କୁ ବଢ଼ିବ। ସେହିପରି ୨୨୨ ଜଣ ପିଜି ଡାକ୍ତର ଅଭ୍ୟାସ କରୁଥିବା ବେଳେ ସେଥିରେ ୨୬ଟି ସିଟ୍‌ ବୃଦ୍ଧି କରାଯିବା ନେଇ ସରକାରଙ୍କୁ ପ୍ରସ୍ତାବ ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଚଳିତ ଶିକ୍ଷାବର୍ଷରୁ ୟୁଜିରେ ୨୫୦ ବଦଳରେ ୨୭୫ଜଣ ଛାତ୍ରଛାତ୍ରୀ ଆଡମିସନ୍‌ ନେବେ। ତେବେ, ସରକାର ପ୍ରସ୍ତାବ ଉପରେ ଏମ୍‌ସିଆଇ କର୍ତ୍ତୃପକ୍ଷ ମୋହର ମାରିଲେ ୨୦୨୦-୨୧ ଶିକ୍ଷାବର୍ଷରୁ ଅଧିକ ୨୦ଟି ସିଟ୍‌ରେ ପିଜି ଛାତ୍ରଛାତ୍ରୀମାନେ ଆଡମିସନ୍‌ ନେବେ। ଏସ୍‌ସିବିର ମେଡିସିନ୍‌ ବିଭାଗରେ ୩ଟି, ଶିଶୁରୋଗ, ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଏବଂ ନିଶ୍ଚେତକ ବିଭାଗରେ ୨ଟି ଲେଖାଏଁ ତଥା ଟ୍ରାନ୍ସଫ୍ୟୁଜନ ମେଡିସିନ୍‌ ଓ ଇଏନ୍‌ଟି ବିଭାଗକୁ ଛାଡି ଅନ୍ୟ ସବୁ ବିଭାଗରେ ଗୋଟିଏ ଲେଖାଏଁ ସିଟ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଯାଇଥିବା ଜଣାପଡିଛି। ସେପଟେ, ଏମ୍‌କେସିଜିରେ ୧୩ଟି ଓ ଭୀମ୍‌ସାରରେ ୧୧ଟି ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏମ୍‌ସିଆଇ ଅନୁମୋଦନ ପାଇଲେ ୨୦୨୦-୨୦୨୧ ଶିକ୍ଷାବର୍ଷରୁ ବର୍ଦ୍ଧିତ ସିଟ୍‌ରେ ପିଲାମାନେ ନାମ ଲେଖାଇବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର