ଖାଲି ପଦ ପୂରଣ ଓ ବକେୟା ଦରମା ଦାବିରେ ନିଖିଳ ଓଡ଼ିଶା ଆଇସିଡିଏସ୍‌ ୱାଚ୍‌ମ୍ୟାନ୍‌-ପିଅନ ସଂଘର ବିକ୍ଷୋଭ

ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ବୟ ସମିତିର ଦାବି : ଗତବର୍ଷ ଜୁଲାଇ ମାସରୁ ମହଙ୍ଗା ଭତ୍ତା ଲାଗୁ କର

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବ୍ଲକରେ ଆଇସିଡିଏସ୍‌ ପ୍ରକଳ୍ପରେ କାର୍ଯ୍ୟରତ ରାତ୍ର ଜଗୁଆଳ-ପିଅନମାନେ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହୋଇଛନ୍ତି। କିଏ ୩ ବର୍ଷ ତ କିଏ ୫ ବର୍ଷ ଧରି ଦରମା ମଧ୍ୟ ପାଇନାହାନ୍ତି। ଏ ନେଇ ଆଲୋଚନା ହୋଇ ଥିଲେ ମଧ୍ୟ କୌଣସି ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଏଣୁ ଖାଲି ପଦ ପୂରଣ କରିବା ସହ ବକେୟା ଦରମା ତୁରନ୍ତ ଦେବାକୁ ଦାବି କରିଛି ନିଖିଳ ଓଡ଼ିଶା ଆଇସିଡିଏସ୍‌ ୱାଚ୍‌ମ୍ୟାନ୍‌-ପିଅନ ସଂଘ। ଆଜି ରାଜ୍ୟର ସମସ୍ତ ବ୍ଲକର ପିଅନ ଓ ରାତ୍ର ଜଗୁଆଳିମାନେ ଏହି ଦାବି କରି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦେଇଥିଲେ। ଶେଷରେ ଆବାହକ ରବି ବେହେରାଙ୍କ ଆହ୍ୱାନ କ୍ରମେ ସୁଦର୍ଶନ ପ୍ରଧାନଙ୍କ ନେତୃତ୍ୱରେ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ଦାସ, ଦିବ୍ୟରଞ୍ଜନ ଭୁଏ, ଶ୍ରବଣ ଦାସ, ସନ୍ତୋଷ ଗୌଡଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଦାବିଗୁଡ଼ିକ ମଧ୍ୟରୁ କେତେଗୁଡିଏ ବିଚାର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ଉପରୋକ୍ତ ଦାବି ସହ ମାସିକ ଦରମାକୁ ବଜେଟ୍‌ରେ ପୃଥକ ଭାବେ ସ୍ଥାନିତ କରିବା ସହ ସ୍ୱତନ୍ତ୍ର ହେଡ୍‌ର ବ୍ୟବସ୍ଥା କରିବା, ୬ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନିୟମିତ କରିବା, ଚାକିରୀରୁ ଅବ୍ୟାହତି ସମୟରେ ସରକାରୀ ସହାୟତା, ସମସ୍ତଙ୍କୁ ସମାନ ମଜୁରୀ, ଏଚ୍‌ଆରଏମ୍‌ଏସ୍‌ରେ ପଞ୍ଜୀକୃତ କରିବା ପ୍ରଭୃତି ଦାବି ରହିଥିଲା।

ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ବୟ ସମିତିର ଦାବି

ଗତବର୍ଷ ଜୁଲାଇ ମାସରୁ ମହଙ୍ଗା ଭତ୍ତା ଲାଗୁ କର

ଭୁବନେଶ୍ବର : ରାଜ୍ୟ ସରକାର କର୍ମଚାରୀ, ଶିକ୍ଷକ ଓ ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ଲାଗୁ କରିଛନ୍ତି। ମାତ୍ର ଏହାକୁ ଗତବର୍ଷ ଜୁଲାଇ ମାସରୁ ଲାଗୁ ନ କରି ଚଳିତବର୍ଷ ଜାନୁଆରି ପହିଲାରୁ ଲାଗୁ କରିବା କର୍ମଚାରୀ ମହଲରେ ଅସ‌ନ୍ତୋଷ ସୃଷ୍ଟି କରିଛି। ଏହାସହ ୭ମ ବେତନ କମିସ ସୁପାରିଶ ହାରରେ ୨୦ମାସର ବକେୟା ପ୍ରାପ୍ୟରୁ ଅବଶିଷ୍ଟ ୬୦ ପ୍ରତିଶତ ଦେବା ବଦଳରେ ୧୦ ପ୍ରତିଶତ ଘୋଷଣାକୁ ନିନ୍ଦା କରିଛି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ବୟ ସମିତି।

ଆଜି କର୍ମଚାରୀ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସମିତର ଆବାହକ ଗଗନ ଭଞ୍ଜ କହିଲେ, କେନ୍ଦ୍ରୀୟ ଢାଞ୍ଚାରେ ବେତନ ଓ ଭତ୍ତା ପ୍ରଦାନ କରିବା ଲାଗି ୧୯୮୭ ମସିହରେ କ୍ୟାବିନେଟ୍ ନିଷ୍ପତ୍ତି ରହିଛି। ୧୯୮୯ ମସିହାଠାରୁ ୪ର୍ଥ ବେତନ କମିସନ ସୁପାରିଶଠାରୁ ୭ମ ବେତନ କମିସନ ସୁପାରିଶ ପର୍ଯ୍ୟନ୍ତ ସମୟାନୁକ୍ରମେ ମହଙ୍ଗା ଭତ୍ତା କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ସରକାର କର୍ମଚାରୀଙ୍କୁ ପ୍ରଦାନ କରିସାରିଛନ୍ତି। ଗତବର୍ଷ ଜୁଲାଇରୁ ଡିସେମ୍ବର ମଧ୍ୟରେ ୬ମାସର ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ନ ଦେଇ ଚଳିତବର୍ଷ ଜାନୁଆରି ପହିଲାରୁ ଏହାକୁ ଲାଗୁ କରିବା ଯୋଗୁଁ ସରକାର କର୍ମଚାରୀ ମାରଣନୀତିକୁ ଦୋହରାଇଛନ୍ତି। ଯାହାଫଳରେ ବିଭିନ୍ନ ବର୍ଗର କର୍ମଚାରୀ ୫ହଜାର ଟଙ୍କାରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାସହ ଏହି ୬ମାସ ଭିତରେ ଅବସର ଗ୍ରହଣ କରିଥିବା କର୍ମଚାରୀ ମଧ୍ୟ ତାଙ୍କ ହକ୍ ପ୍ରାପ୍ୟରୁ ବଞ୍ଚିତ ହୋଇଛନ୍ତି। ତେଣୁ ଗତବର୍ଷ ଜୁଲାଇ ମାସରୁ ୫ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସମିତି ପକ୍ଷରୁ ଦାବି ହୋଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍‌ଜିଓସିସିର ଷ୍ଟୟରିଂ କମିଟି ଆବାହକ ଗଙ୍ଗାଧର ସ୍ବାଇଁ, ଅଧ୍ୟକ୍ଷ ଶିବ ନାରାୟଣ ପ୍ରହରାଜ, ଆଶିଷ ନନ୍ଦ, ରବୀନ୍ଦ୍ର ନାଥ ଦାଶ, ସୁରେଶ କୁମାର ସ୍ବାଇଁ, କୃଷ୍ଣଚନ୍ଦ୍ର ନାୟକ, ଗିରୀଶ ନନ୍ଦ ଓ ଅଶୋକ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର