ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମ୍ମିଳନୀ ଉଦ୍‌ଯାପିତ : ଗଣତନ୍ତ୍ରର ରକ୍ଷା ପାଇଁ ଆଇନଜୀବୀଙ୍କ ପ୍ରମୁଖ ଭୂମିକା ରହିଛି

ସମ୍ବିଧାନର ସୁରକ୍ଷା ପାଇଁ ନେତୃତ୍ବ ନିଅନ୍ତୁ

ଅନୁଗୁଳ : ଭାରତ ସମସ୍ୟା ଘେରରେ ଛନ୍ଦି ହୋଇଛି। ବେକାରୀ ସମସ୍ୟାଠାରୁ ଆରମ୍ଭ କରି, ଜିଡିପି ହ୍ରାସ, ଚାଷୀ ସମସ୍ୟା ପର୍ଯ୍ୟନ୍ତ ଅନେକ ସମସ୍ୟା ରହିଛି। ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କେହି ଆଲୋଚନା କରୁନାହାନ୍ତି। ଯାହା ଆଲୋଚନାର ବିଷୟ ନୁ‌ହେଁ, ତାହାକୁ ପ୍ର୍ରୁମଖ ସମସ୍ୟାର ରୂପ ଦିଆଯାଉଛି। ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ନେଇ ଚାଲିଥିବା ତମ୍ବିତୋଫାନ୍ ଏତେ ବଡ଼ ସମସ୍ୟା ନୁହଁ । ମାତ୍ର ‘ସିଏଏ’କୁ ନେଇ ଏତେ ଆଲୋଚନା ହେଉଛି ଯେ, ଆମେ ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇ ଯାଉଛନ୍ତି। ପ୍ରାସଙ୍ଗିକତା ନଥିବା ପ୍ରସଙ୍ଗରୁ ନିବୃତ୍ତ ରହି ‌େଦଶର ଯୁବ ସମାଜ, ରାଜନେତା, ବୁଦ୍ଧିଜୀବୀ, କୃଷକ, ଆଇନଜୀବୀ ସମସ୍ତେ ଦେଶର ଆର୍ଥିକ ଅଭିବୃଦ୍ଧି ଦିଗରେ ଚିନ୍ତା କରିବା ସହ ଗଣତନ୍ତ୍ରର ରକ୍ଷା ପାଇଁ କାମ କରିବାର ସମୟ ଆସିଛି। ତେବେ ଏଥିରେ ଆଇନଜୀବୀମାନଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ସୁପ୍ରି‌ମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଭି.ଗୋପାଳ ଗୌଡ଼ା କହିଛନ୍ତି।

ସୋମବାର ଅନୁଗୁଳ ଓକିଲ ସଂଘ ଆନୁକୂଲ୍ୟରେ ଅନୁଗୁଳ ଷ୍ଟାଡ଼ିୟମରେ ଚାଲିଥିବା ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଜଷ୍ଟିସ୍ ଶ୍ରୀ ଗୌଡ଼ା ଜନସାଧାରଣଙ୍କ ମନରେ ବିଭିନ୍ନ ଆଇନ ନେଇ ରହୁଥିବା ସଂଶୟକୁ ଦୂର କରିବା ସହିତ ଗଣତନ୍ତ୍ରର ରକ୍ଷାକବଚ ଭାବେ କାର୍ଯ୍ୟ କରିବାକୁ ଆଇନଜୀବୀମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ସମାଜ ପ୍ରତି ଆଇନଜୀବୀମାନଙ୍କ ନୈତିକ ଓ ସାମାଜିକ କର୍ତ୍ତବ୍ୟ ରହିଛି। ସମାଜରେ ଆଇନଜୀବୀଙ୍କ ସ୍ଥାନ ସ୍ୱତନ୍ତ୍ର ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ର୍ରକାଶ କରିଥିଲେ।

ସମ୍ମାନିତ ଅତିଥି ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଆଇନକୁ ସଠିକ୍ ଭାବରେ ଦେଖାଯାଉନାହିଁ। ଆଇନ୍ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଧୀରେଧୀରେ ତୁଟିବାରେ ଲାଗିଛି । ରାଜନୈତିକ ଦଳଗୁଡ଼ିକ ଲୋକଙ୍କ ସାମ୍ବିଧାନିକ ଅଧିକାର ସହିତ ଖେଳୁଛନ୍ତି । ହାତରେ ସଂଖ୍ୟା ଗରିଷ୍ଠତା ଅଛି ବୋଲି ସମ୍ବିଧାନକୁ ଖାତିର୍ କରୁନାହାନ୍ତି। ଦେଶର ନ୍ୟାୟ ବ୍ୟବସ୍ଥାକୁ ନେଇ ଏକ ସଙ୍କଟ ଦେଖାଦେଇଛି। ଆଇନଜୀବୀ ସମାଜରେ ସଚେତନତା ସୃଷ୍ଟି କରିବା ସହ ସମ୍ବିଧାନର ରକ୍ଷା ପାଇଁ ନେତୃତ୍ୱ ନେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ‌ଦେଇଥିଲେ।

ସଂଘର ସଭାପତି ଜ୍ଞାନରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍‌ଯାପନୀ ସଭାରେ ‘ଆଓଲା’ର ସମ୍ପାଦକ ବିଭୁପ୍ରସାଦ ତ୍ରିପାଠୀ, ଅନୁଗୁଳ ଓକିଲ ସଂଘର ସଭାପତି ଜିତେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସ୍ୱାଗତ ଭାଷଣ େଦଇଥିବାବେଳେ ହିମାଂଶୁ ଭୂଷଣ ସାମଲ ଧନ୍ୟବାଦ େଦଇଥିଲେ।

ସମ୍ବନ୍ଧିତ ଖବର