ଅନୁଗୁଳ : ଗଣତନ୍ତ୍ରର ସୁରକ୍ଷା ପାଇଁ ଓକିଲମାନଙ୍କୁ ‘ଅନ୍ୟ ମନସ୍କ’ ହେବାକୁ ପଡ଼ିବ। ଓକିଲମାନଙ୍କ ଲୋକସଂପର୍କ ବହୁତ ବେଶି। କେବଳ ନିଜ କଥା ନକହି, ଅନ୍ୟମାନଙ୍କ ବିଷୟରେ କହିଲେ ଶକ୍ତି ଦ୍ବିଗୁଣିତ ହୋଇଥାଏ। ତେଣୁ ‘ଅନ୍ୟ ମନସ୍କ’ ହେଲେ ଗଣତନ୍ତ୍ର ତିଷ୍ଠି ରହିବ। ସମ୍ବିଧାନ ବଞ୍ଚିପାରିବ। କେବଳ ଓକିଲ ନୁହନ୍ତି, ଅନ୍ୟ ଅନୁଷ୍ଠାନମାନେ ବି ‘ଅନ୍ୟ ମନସ୍କ’ ହେବାର ସମୟ ଆସିଛି। ସମସ୍ତେ ‘ଅନ୍ୟ ମନସ୍କ ହେଲେ ସମ୍ବିଧାନକୁ ଅନ୍ୟ ବାଟରେ ନେବାକୁ ଚାହୁଁଥିବା ତତ୍ତ୍ବ ଭୟ କରିବେ ବ ବୋଲି ‘ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଅନୁଗୁଳ ଷ୍ଟାଡିୟମ୍ରେ ଆୟୋଜିତ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୮ ତମ ବାର୍ଷିକ ସମ୍ମିଳନୀରେ କହିଛନ୍ତି।
ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଓ ଅନୁଗୁଳ ଓକିଲ ସଂଘ ପକ୍ଷରୁ ଆଜି ଆୟୋଜିତ ବାର୍ଷିକ ସମ୍ମିଳନୀର ବୈଷୟିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ସମ୍ବିଧାନକୁ କ୍ୟାନସର ଭଳି ଅନେକ ରୋଗ ମାଡ଼ି ଆସିଲାଣି। ରାଜନୈତକ ଦଳର ନେତା, ବିଶେଷ କରି ଯେ କୌଣସି ପ୍ରକାରେ କ୍ଷମତା ହାସଲ ପାଇଁ ଚାହୁଥିବା ନେତାମାନେ ହେଲେ ଏହାର ବାହକ। ସଂସଦରେ ଆବଶ୍ୟକ ସଂଖ୍ୟା ଥିଲେ, ଜଣେ ସବୁଦିନ ପାଇଁ ଶାସନ କ୍ଷମତାରେ ରହିପାରିବ। ସମ୍ବିଧାନ ପରିବର୍ତ୍ତନ କରି ସବୁଦିନ ପାଇଁ ଦେଶକୁ ଶାସନ କରିପାରିବ। ରାଜନୈତିକ ଦଳଗୁଡ଼ିକ ଏବେ ବହୁତ ଶକ୍ତିଶାଳୀ ହୋଇଯାଇଛନ୍ତି। ସେମାନେ ସଂଗଠିତ ହୋଇ ସମ୍ବିଧାନର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆସିବା ଉଚିତ। ଜନମତ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା କରିବାକୁ ପଡ଼ିବ। ସମ୍ବିଧାନର ପରିବର୍ତ୍ତନ ବେଳେ ଆମେ ନିଜ ଅତୀତକୁ ଭୁଲିଯିବା ଉଚିତ ନୁହେଁ। ଗଣତନ୍ତ୍ରର ୩ଟି ଅଂଗ ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟନିର୍ବାହୀ ଓ ନ୍ୟାୟପାଳିକା। ଏବେ ବ୍ୟବସ୍ଥାପିକା ଓ କାର୍ଯ୍ୟନିର୍ବାହୀ ମୁହାଁମୁହିଁ ହେଉଛନ୍ତି। ତୃତୀୟ ଅଂଗ ନ୍ୟାୟପାଳିକା ହିଁ ଗଣତନ୍ତ୍ରକୁ ସୁରକ୍ଷା ଦେଇପାରିବ। ହେଲେ ନ୍ୟାୟପାଳିକାର ରଂଗଢ଼ଂଗ ଦେଖିଲେ ବେଳେବେଳେ ଏହା ଉପରେ ଲୋକଙ୍କ ବିଶ୍ବାସ କମିଯାଉଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ଆଇନଜୀବୀମାନଙ୍କୁ ଅଧିକ ନିଷ୍ଠାବାନ ଓ ନିର୍ଭୀକ ହେବାକୁ ପଡ଼ିବ। କିନ୍ତୁ, ସ୍ଥିତି ଏମିତି ହୋଇଛି ଯେ ମାମଲା ଲଢ଼ିବା ପାଇଁ ନିଜେ ନିୟୋଜିତ କରିଥିବା ଲୋକ ବି ନିଜ ଆଇନଜୀବୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କଲାଣି। ସମ୍ବିଧାନର ବି ଅବକ୍ଷୟ ହୁଏ। ସମ୍ବିଧାନକୁ ବି ହତ୍ୟା କରି ଦିଆଯାଏ। ହତ୍ୟାକାରୀ ଗଣତାନ୍ତ୍ରିକ ପଦ୍ଧତିରେ ହିଁ ସମ୍ବିଧାନକୁ ହତ୍ୟା କରିଥାଏ। ଓକିଲମାନଙ୍କ ପାଖରେ ଲୋକସଂପର୍କ ଅଛି ଆଉ ସାମର୍ଥ୍ୟ ବି ଅଛି। ରାଷ୍ଟ୍ର ପାଇଁ ଯେଉଁ ଆଇନ ଠିକ୍, ତାହା ଲୋକମାନଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ସୁଜିତ କୁମାର ଭାରତର ସମ୍ବିଧାନର ବିଶେଷତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟମାନଙ୍କ ତୁଳନାରେ ସମ୍ବିଧାନର ସୁରକ୍ଷା ପାଇଁ ଆଇନଜୀବୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସାମାନ୍ୟ କଥାକୁ ଓକିଲମାନେ ଆନ୍ଦୋଳନ କରିବା ଦ୍ବାରା ଆମ ବୃତ୍ତିର ମର୍ଯ୍ୟାଦାହାନି ହେଉଛି। ମହକିଲମାନେ ବି ଶୀଘ୍ର ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି। ସମ୍ବିଧାନର ସୁରକ୍ଷା ପାଇଁ ଆମର ଆଗାମୀ ପିଢ଼ି ଯେମିତି ଆମକୁ ଦୋଷ ଦେଇପାରିବେ ନାହିଁ, ସେଥିପ୍ରତି ଆମକୁ ଏବେଠୁ ଯତ୍ନବାନ ହେବାକୁ ପଡ଼ିବ। ସମ୍ବିଧାନ ଓ ଆଇନ ଉପରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଲେ, ଭାରତରେ ସଂଘୀୟ ବ୍ୟବସ୍ଥା ପ୍ରତି ଏବେ ବିପଦ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଆଇନଜୀବୀଙ୍କ ଭୂମିକା ବଢ଼ିଯାଇଛି। ଆଇନଜୀବୀମାନେ କେବଳ ନିଜ ବିଷୟରେ ଚିନ୍ତା ନକରି ସମାଜ ପାଇଁ ବି ଚିନ୍ତା କରିବା ଦରକାର ବୋଲି ସେ କହିଥିଲେ। ବିଧାୟକ, ମନ୍ତ୍ରୀମାନେ ପେନ୍ସନ ପାଉଛନ୍ତି। ତେଣୁ ସେହି ନ୍ୟାୟରେ ଲୋକଙ୍କ ପାଇଁ ବର୍ଷ ବର୍ଷ ଧରି କାମ କରୁଥିବା ଆଇନଜୀବୀମାନଙ୍କୁ ପେନ୍ସନ ପ୍ରଦାନର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ, ନୂଆ ଆଇନଜୀବୀମାନଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କ ଚଳିବା ନିମନ୍ତେ ବି କିଛି ବ୍ୟବସ୍ଥା କରାଯିବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ। ସମ୍ମାନିତ ଅତିଥି ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇ ଆଇନଜୀବୀମାନଙ୍କୁ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ଭାବଅେଭିହିତ କରିଥିଲେ। ଆଇନର ପରିଧି ଭିତେର ରହି ଅସହାୟ ଲୋକଙ୍କୁ ଆଇନ ସେବା ପ୍ରଦାନ ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ବିଭୁ ପ୍ରସାଦ ତ୍ରିପାଠୀ ବିବରଣୀ ପାଠ କରିଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉଭୟ ଉଦ୍ଘାଟନୀ ସଭା ଓ ବୈଷୟିକ ଅଧିବେଶନରେ ସ୍ବାଗତ ଭାଷଣ ଦେଇଥିଲେ। ଉପଦେଷ୍ଟା ସୀତାଂଶୁ ମୋହନ ଦ୍ବିବେଦୀ ଉଦ୍ଘାଟନୀ ସଭାରେ ଆଇନଜୀବୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିବା ସହ ବୈଷୟିକ ଅଧିବେଶନ ପରିଚାଳନା କରିଥିଲେ। ଏହି ଅବସରରେ ଜୟପୁରର ମହିଳା ଆଇନଜୀବୀ ମଂଜୁରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ସୁବାସ ମିଶ୍ର, ପରମାନନ୍ଦ ମିଶ୍ର, ଦିଲୀପ ମହାନ୍ତି, ଦେବୀ ପ୍ରସାଦ ରଥ, ଦିଲୀପ ସ୍ବାଇଁ ପ୍ରମୁଖ ‘ସମ୍ବିଧାନର ଭବିଷ୍ୟତ ଓ ଆଇନଜୀବୀ’ଙ୍କ ଭୂମିକା ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଅନୁଗୁଳ ଓକିଲ ସଂଘର ସଭାପତି ଜିତେନ୍ଦ୍ର ସାହୁ ଉଦ୍ଘାଟନୀ ସଭାରେ ପ୍ରାରମ୍ଭିକ ସୂଚନା ଓ ବୈଷୟିକ ଅଧିବେଶନରେ ଧନ୍ୟବାଦ ଦେଇଥିଲେ। ସାଧାରଣ ସଂପାଦକ ହିମାଂଶୁ ଭୂଷଣ ସାମଲ ମଂଚାସୀନ ଥିଲେ। ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ଉପସଭାପତି ଭୂପେଶ ପ୍ରଧାନ, ମିତ୍ରଭାନୁ ମହାପାତ୍ର ଓ ପ୍ରଦୀପ ଦେବତା ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/all-odisha-lawyers-association-annual-conforence.jpg)