ଭୁବନେଶ୍ବର : ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୭ତମ ବାର୍ଷିକ ଅଧିବେଶନ ଭୁବନେଶ୍ବର ବାର୍‌ ଆସୋସିଏସନ ଆନୁକୂଲ୍ୟରେ ବିଜେବି କଲେଜ ପଡ଼ିଆରେ ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଏହି ଦୁଇଦିନିଆ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା‌ୟକ ଉଦ୍‌ଘାଟନ କରିବେ। ଉଦ୍‌ଯାପନୀ ଉତ୍ସବରେ ବିରୋଧୀ ଦଳ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର, ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ ସମ୍ପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେବେ ବୋଲି ସଂଘ ସଭାପତି ଜ୍ଞାନରଂଜନ ମହାନ୍ତି ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟର ବିଚାରପତି ଭିନିତ ଶରଣ, ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ପୂର୍ବତନ ବିଚାରପତି ଭି. ଗୋପାଳ‌ ଗୌଡ଼ାଙ୍କ ସମେତ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସୁପ୍ରିମକୋର୍ଟ ବାର୍‌ ଆସୋସିଏସନର ସଭାପତି ରାକେଶ ଖାନ୍ନା, ବାର୍‌ ଆସୋସିଏସନ୍‌ ଅଫ ଇଣ୍ଡିଆର ଅଧ୍ୟକ୍ଷ ଲଳିତ ଭାସିନ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ।

ଅନ୍ୟ ଅଧିବେଶନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଯୋଗ ଦେବେ। ଏମାନଙ୍କ ବ୍ୟତୀତ ଭାରତର ଆଇନ କମିସନ ସଦସ୍ୟ ଆର୍‌. ଭେଙ୍କଟରମଣୀ, ଲ’ ଏସିଆର ଅଧ୍ୟକ୍ଷ ପ୍ରଶାନ୍ତ କୁମାର, ବରିଷ୍ଠ ଆଇନ ପ୍ରଧ୍ୟାପକ ରବି ଗୁରାନେ, ଶାନ୍ତା କୁମାର, ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି, ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ଅସୀମ ଅମିତାଭ ଦାଶ ପ୍ରମୁଖ ଯୋଗ ଦେବେ। ଏଥିପାଇଁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ ଭୁବନେଶ୍ବର ବାର୍‌ର ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର କର, ଉପାଧ୍ୟକ୍ଷ ଭାବେ ସୂର୍ଯ୍ୟନାରାୟଣ ଦାସ ଓ ସନ୍ତୋଷ ଚୌଧୁରୀଙ୍କୁ ମନୋନୀତ କରାଯାଇଛି ବୋଲି ଭୁବନେଶ୍ବର ବାର୍‌ ଆସୋସିଏସନ୍ ସଭାପତି ଦୁର୍ଗାମାଧବ ମିଶ୍ର ଓ ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି। ଏହି ଅଧି‌ବେଶନରେ ଆଇନଜୀବୀଙ୍କ ପାଇଁ ସ୍ବାସ୍ଥ୍ୟବୀମା, ଆଇନଜୀବୀ କଲ୍ୟାଣ, ଆଇନରେ ସଂଶୋଧନ, ଆଇନଜୀବୀ ଏକତାକୁ କାର୍ଯ୍ୟକ୍ଷମ କରିବା, ଜୁନିଅର ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରମୁଖ ଦାବି ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।