କୋର୍ଟ ପ୍ରତିଷ୍ଠା ସମୟରେ ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯାଉ: ଜଷ୍ଟିସ୍ ଦୀପକ ମିଶ୍ର

ଆଇନଜୀବୀ ସମ୍ମିଳନୀ

ଭୁବନେଶ୍ବର : କୋର୍ଟଗୁଡ଼ିକରେ ଶହ ଶହ ମାମଲା ପଡ଼ି ରହିଥିବା କଥା ସବୁବେଳେ ଆଲୋଚନା ହେଉଛି। ମାମଲାର ତ୍ବରିତ ବିଚାର ପାଇଁ ସରକାର କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଉଛନ୍ତି। ତେବେ କୋର୍ଟ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏହାର ଭିତ୍ତିଭୂମି ଉପରେ ଗୁରୁତ୍ବ ଦେବା ଜରୁରୀ। ଭିତ୍ତିଭୂମିର ପ୍ରତିଷ୍ଠା ପରେ କୋର୍ଟ କାର୍ଯ୍ୟକ୍ଷମ ହେଉ। ନଚେତ ଆଇନଜୀବୀଙ୍କଠାରୁ ଆରମ୍ଭ କରି ଜଜ୍ ଓ କର୍ମଚାରୀମାନେ ସମସ୍ୟାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର।

ଆଜି ଅଲ ଓଡ଼ିଶା ଆଇନଜୀବୀ ସଂଘ ଓ ଭୁବନେଶ୍ବର ବାର ଆସୋସିଏସନ୍‌ର ମିଳିତ ସହଯୋଗରେ ବିଜେବି କଲେଜ ପଡ଼ିଆରେ ୪୭ତମ ଅଲ ଓଡ଼ିଶା ଆଇନଜୀବୀ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଷ୍ଟିସ୍ ମିଶ୍ର କହିଲେ, ଓକିଲାତି ଏକ ମହାନ ବୃତ୍ତି। ଆଇନ ବୃତ୍ତିରେ ମହାନତା ସହିତ ଗୁଣବତ୍ତା ଓ ରୋମାନ୍‌ସ ରହିଛି। ଗୋଟିଏ ଡିଆଁରେ ଜଣେ ଏହି ସଫଳତା ପାଇପାରିବ ନାହିଁ। ଏଥିପାଇଁ ଯଥେଷ୍ଟ ଜ୍ଞାନ ହାସଲ କରିବାକୁ ହେବ। ରାଜ୍ୟରେ ଏକ ଆଡଭୋକେଟ୍ ଏକାଡେମି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ସାଇବର ଆଇନ, ସାଇବର ଅପରାଧ, ଜାତୀୟ ଓ ଅନ୍ତର୍ଜାତୀୟ ଆଇନରେ ଯଥେଷ୍ଟ ଅଗ୍ରଗତି ହୋଇଛି। ଜଣେ ଆଇନଜୀବୀ ଏଥିରେ ଆଗକୁ ବଢ଼ିବାକୁ ହେ‌ଲେ ଏହି ଏକାଡେମିର ଆବଶ୍ୟକତା ରହିଛି। ୩ ଏକର ଜାଗାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି। ସରକାର ଚାହିଁଲେ ଗୋଟିଏ ମାସ ଭିତରେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରିପାରିବେ। ଏହାକୁ ପ୍ରତିଷ୍ଠା କରିବାରେ ବିଳମ୍ବ ନ କରି ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଦରକାର। ଏହା କିଭଳି ପରିଚାଳିତ ହେବ ସେଥିପାଇଁ ନିୟମାବଳୀ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଏହାର ପରିଚାଳନା କ୍ଷେତ୍ରରେ ଆଇନଜୀବୀମାନଙ୍କ କ୍ଷମତାକୁ ସଂକୁଚିତ କରା ନଯାଉ। ତେବେ ଏହା ଆଡଭୋକେଟ ଏକାଡେମି ପରିବର୍ତେ ଲୟର୍ସ ଏକାଡେମି ଭାବେ ପରିଗଣିତ ହେଉ। ପ୍ରଥମେ ଜଣେ ଭଲ ଆଇନଜୀବୀ ହେଲେ ପରେ ଜଣେ ଆଇନରେ ଜ୍ଞାନ ହାସଲ କରି ଆଡଭୋକେଟ ହୋଇପାରିବ ବୋଲି ଜଷ୍ଟିସ୍ ମିଶ୍ର କହିଥିଲେ।

ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ର ସଭାପତି ରାକେଶ ଖାନ୍ନା କହିଲେ, ଆଇନଜୀବୀଙ୍କ ବୃତ୍ତି ଏବେ ସଂକଟ ଦେଇ ଗତି କରୁଛି। ନ୍ୟାୟପାଳିକାର ସ୍ବାଧୀନତା ରହିବା ଦରକାର। ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସ୍ବାଧୀନ ବାର୍‌ର ଆବଶ୍ୟକତା ରହିଛି। ଓଡ଼ିଶାରେ ୫୫ହଜାର ଆଇନଜୀବୀଙ୍କୁ ମିଶାଇ ଦେଶରେ ୧୨ଲକ୍ଷ ଆଇନଜୀବୀ ରହିଛନ୍ତି। ମାତ୍ର ସେମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ନାହିଁ। କେତେକ ରାଜ୍ୟରେ ଆଇନଜୀବୀଙ୍କ ପାଇଁ କେତେକ ଯୋଜନା ହୋଇଥିଲେ ହେଁ ଏହା ସାମଗ୍ରୀକ ଭାବେ ଆଇନଜୀବୀଙ୍କ ସମସ୍ୟାର ସମାଧାନ କରିପାରି ନାହିଁ। ୨୦୦୧ ମସିହାରୁ ଆଡଭୋକେଟ ୱେଲଫେୟାର ଆଇନ ରହିଥିଲେ ହେଁ ଏଥିରେ ଥିବା ଅର୍ଥରାଶିକୁ କିଭଳି ଖର୍ଚ କରାଯିବ ତାହାର କୌଣସି ନିୟମ ନାହିଁ। ଯାହାକି ଆଇନଜୀବୀଙ୍କ ପାଇଁ ଏକ ଅପମାନ ସଦୃଶ୍ୟ। ଆଇନଜୀବୀଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ବ୍ୟବସ୍ଥା କରନ୍ତୁ। ଏଥିରେ ସାମିଲ ହେବା ପାଇଁ ଜଣେ ଆଇନଜୀବୀଙ୍କୁ ଗୋଟିଏ ବର୍ଷ ଭିତରେ ୨୦ ଥର କୋର୍ଟରେ ହାଜରକୁ ବିଚାରକୁ ନିଆଯାଇ ପାରେ। ଆଇନଜୀବୀଙ୍କୁ ଜୀବନବୀମା ଓ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଉ। ତେବେ ଏଥିପାଇଁ କେଉଁ ଅର୍ଥରୁ ଏଭଳି ବ୍ୟବସ୍ଥା ହୋଇପାରିବ ସେ ସଂପର୍କରେ ଶ୍ରୀ ଖାନ୍ନା ମତବ୍ୟକ୍ତ କରିଥିଲେ।

ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ, ରାଜ୍ୟରେ ଆଇନ ବିଶ୍ବବିଦ୍ୟାଳୟ ଓ ଆଡଭୋକେଟ ଏକାଡେମି ପ୍ରତିଷ୍ଠା ସରକାରଙ୍କ ପ୍ରମୁଖ କାର୍ଯ୍ୟ ସୂଚୀରେ ରହିଛି। ଆଇନଜୀବୀମାନଙ୍କୁ ସ୍ବାସ୍ଥ୍ୟବୀମା ସଂପର୍କରେ ଅନୁଧ୍ୟାନ କରାଯିବ। ତେବେ ରାଜ୍ୟରେ ପଡ଼ି ରହିଥିବା ମାମଲାଗୁଡ଼ିକର ବିଚାର ପାଇଁ ସରକାର ୩୧୪ ବ୍ଲକ୍‌ରେ କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ୫୦ଟି କୋର୍ଟ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ଜେନା କହିଥିଲେ। ସଂଘର ସାଧାରଣ ସଂପାଦକ ବିଭୁ ପ୍ରସାଦ ତ୍ରିପାଠୀ କହିଲେ, ଆଡଭୋକେଟ ଏକାଡେମିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ। ପ୍ରତିବର୍ଷ ସଂଘ ପକ୍ଷରୁ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନ ଥିବା ୨ଜଣ ଆଇନଜୀବୀଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଆଗାମୀ ବର୍ଷଗୁଡ଼ିକରେ ୫ଜଣ ଆଇନଜୀବୀଙ୍କୁ ୨୦ହଜାର ଟଙ୍କାର ଆଇନ ସମ୍ବନ୍ଧୀୟ ପୁସ୍ତକ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଇନଜୀବୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ସହିତ ଆଲୋଚନା କରାଯିବ ଓ ଏଥିପାଇଁ ଏକ ଡ୍ରାଫ୍‌ଟ ବିଲ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ସଂଘ ସଭାପତି ଜ୍ଞାନ ରଂଜନ ମହାନ୍ତି କହିଲେ, ରାଜ୍ୟର ଆଇନଜୀବୀମାନଙ୍କୁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରଦାନ କରାଯାଉ। ଯୁବ ଆଇନଜୀବୀମାନଙ୍କୁ ଯଦି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ତେବେ ଆଇନଗତ କ୍ଷେତ୍ରରେ ସେମାନେ ଅଧିକ ସକ୍ରିୟ ହୋଇପାରିବେ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହି ଅବସରରେ ସଂଘର ସ୍ମରଣିକା ଓ ‘ଦ ଲୟର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର କର, ଭୁବନେଶ୍ବର ବାର ଆସୋସିଏସନ୍‌ର ସଭାପତି ଦୁର୍ଗା ମାଧବ ମିଶ୍ର ଓ ସଂପାଦକ ଅଂଜନ ସାମନ୍ତରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର