ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ରହିଛି। ଏହା ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକାଠି ବସିବା ଓ ପରସ୍ପର ପରସ୍ପର ସପକ୍ଷରେ ମତ ରଖିବା ଘଟଣା ରାଜ୍ୟ ରାଜନୀତିରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ନକ୍ସଲ ଦମନ ଯାଏ ସବୁ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଶାହ ଖୋଲାଖୋଲି ପ୍ରଶଂସା କରିଛନ୍ତି। ଅନ୍ୟପଟରେ ନବୀନ ପାଦେ ଆଗକୁ ଯାଇ କହିଛନ୍ତି ଯେ ଓଡ଼ିଶା ସବୁବେଳେ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ବିଶ୍ବାସ କରେ। ଓଡ଼ିଶାର ବିକାଶ ଏଜେଣ୍ଡାରେ ଭାରତ ସରକାର ସମର୍ଥନ କରୁଥିବାରୁ ଶ୍ରୀ ଶାହଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ଉଭୟ ନେତାଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ତଥ୍ୟାଭିଜ୍ଞ ମହଲ ତର୍ଜମା ଆରମ୍ଭ କରିଛନ୍ତି। ବିଜେପି-ବିଜେଡିର ସଂପର୍କ ଆଗକୁ କେଉଁ ମୋଡ଼ ନେବ, ସେ ନେଇ ଆଲୋଚନା ଜୋର ଧରିଛି। ସେପଟେ ଆଜିର ବୈଠକ ପରେ କିନ୍ତୁ ସବୁଠାରୁ ବେଶି ଅକଳରେ ପଡ଼ିଛି ରାଜ୍ୟ ବିଜେପି। ରାଜ୍ୟ ସରକାରଙ୍କୁ ଅପରାଗ, ଦୁର୍ନୀତିଖୋର ବୋଲି କହି ଆସୁଥିବା ରାଜ୍ୟ ବିଜେପି ନେତାଙ୍କ ମୁହଁକୁ ଶାହ ପରୋକ୍ଷରେ ଚୁପ୍ କରିଦେଇଯାଇଛନ୍ତି। କେବଳ ସେତିକି ନୁହେଁ, ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କୁ ଜୋରଦାର ବିରୋଧ କରୁଥିଲା ବିଜେଡି। କିନ୍ତୁ ଶାହ-ନବୀନଙ୍କ ଠାରୁ ଆଜି ଶ୍ରୀ ପାଣ୍ଡିଆନ୍ ଆଦୌ ଦୂରରେ ନଥିଲେ। ଅର୍ଥାତ୍ ଏହି ପ୍ରସଙ୍ଗରେ ରାଜ୍ୟ ବିଜେପିକୁ ମଧ୍ୟ ତାର ଜବାବ ମିଳିଯାଇଛି। ସେପଟେ ବିଜେଡି ସଂସଦରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ପାଇଁ ଅନେକ ଯୁକ୍ତି ରହିଛି ବୋଲି ସଫେଇ ଦେବା ଲାଗି ଶାହ ଉପା ଓ ଏନ୍ଡିଏ ସରକାର ସମୟର ଓଡ଼ିଶାକୁ ଅବଦାନର ଗୋଟିଏ ତୁଳନାତ୍ମକ ଚିତ୍ର ରଖିଛନ୍ତି। ପରୋକ୍ଷରେ ଜଣାଇଛନ୍ତି ଯେ ଉପା ଠାରୁ ଏନ୍ଡିଏର ଅବଦାନ ଓଡ଼ିଶାକୁ ଅଧିକ। ଅନ୍ୟପଟରେ ନବୀନଙ୍କ ମନ୍ତବ୍ୟକୁ ଅତି ନିରେଖି ଦେଖିଲେ ଉଭୟଙ୍କ ନିବିଡ଼ତାର ଗୋଟିଏ ସ୍ପଷ୍ଟ ସଙ୍କେତ ମିଳୁଛି।
ନକ୍ସଲ ଦମନଠୁ ବିପର୍ଯ୍ୟୟ ମୁକାବିଲା ସବୁଥିରେ ଓଡ଼ିଶା କାର୍ଯ୍ୟ ପ୍ରଶଂସନୀୟ: ଶାହ
ଓଡ଼ିଶା ସଦାବେଳେ ସହଯୋଗୀ ସଂଘୀୟ ବ୍ୟବସ୍ଥାରେ ବିଶ୍ବାସ କରେ: ନବୀନ
ଓଡ଼ିଶାକୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ବ: ଧର୍ମେନ୍ଦ୍ର
ନିର୍ବାଚନ ବର୍ଷରେ ଗୋଳମାଳ େହଲା ରାଜନୈତିକ ଅଙ୍କ
ଆଜି ଉଭୟ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୬୧କୋଟି ଟଙ୍କା ବ୍ୟୟରେ ନିର୍ମିତ କାମାକ୍ଷାନଗର-ଡୁବୁରୀ ରାଜପଥର ୪ଲେନ୍ ବିଶିଷ୍ଟ ପ୍ରଶସ୍ତୀକରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହ ୩୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମୋଟେର-ବନେର ଭାୟା ଲଡ଼ୁଗାଁ ସଡ଼କର ଉନ୍ନତୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ବର୍ଷ ରହିବାର ରେକର୍ଡ କରିବା ସହିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପ୍ରାୟ ଶୂନ୍ୟ ମୃତ୍ୟୁ ସଫଳତା ହାସଲ କରିଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍ ଏବେ ଜାତୀୟ ସ୍ତରରେ ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିପର୍ଯ୍ୟୟ ପରିଚାଳନା ପାଇଁ ମୋଦୀ ସରକାରଙ୍କ ସବୁ ଯୋଜନାକୁ ଶ୍ରୀ ପଟ୍ଟନାୟକ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛନ୍ତି ଏବଂ ନିଜେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରି ସାରା ଦେଶକୁ ଦେଖାଇ ଦେଇଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ସାଥୀ ହୋଇ କାମ କଲେ ପ୍ରାକୃତିକ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ। ୧୯୯୯ରେ ଓଡ଼ିଶାରେ ଆସିଥିବା ମହାବାତ୍ୟା ଯୋଗୁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ଆଜି ଯେତେବେଳେ ଓଡ଼ିଶାକୁ ବାତ୍ୟା ଆସୁଛି, ଏଠାରେ ଶୂନ୍ୟ ମୃତ୍ୟୁହାର ଦେଖିବାକୁ ମିଳୁଛି, ଯାହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ସେହିପରି ନକ୍ସଲ ଦମନ କ୍ଷେତ୍ରରେ ବି ଓଡ଼ିଶାର ଉଦ୍ୟମ ପ୍ରଶଂସନୀୟ। ଓଡ଼ିଶାରେ ନକ୍ସଲ ଗତିବିଧି କମିଛି। ମୋଦୀ ସରକାର ରାଜ୍ୟ ସରକାରଙ୍କ ସହ ମିଶି ନକ୍ସଲକୁ ଦମନ କରିବାରେ ସଫଳ ପ୍ରୟାସ କରିଛନ୍ତି। ନକ୍ସଲଙ୍କୁ ଦମନ କରିବା ଦିଗରେ ରାଜ୍ୟ ସରକାର ସବୁବେଳେ ସମର୍ଥନ କରିଛନ୍ତି। ବିଜେପି ସରକାର ନକ୍ସଲବାଦ ବିରୋଧରେ ଲଢ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ।
ଏହାସହ ଶ୍ରୀ ଶାହ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଶଂସା କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୯ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କୌଣସି ପ୍ରକାରରେ ବଜେଟ୍ର ଅଭାବ ରଖାଯାଇନି। ମୋଦୀଙ୍କ ବିଚାରରେ ଭିତ୍ତିଭୂମି ବିକାଶ ବିନା ଦେଶର ବିକାଶ ହୋଇପାରିବ ନାହିଁ, ରାଜପଥ ନିର୍ମାଣ ଦ୍ୱାରା ସ୍ୱାଭାବିକ ଭାବେ ଦେଶରେ ଆର୍ଥିକ ଗତିବିଧି ତ୍ୱରାନ୍ୱିତ ହେବ। ଯେଉଁଥିପାଇଁ ୨୦୧୪-୧୫ରେ ଦେଶରେ ଦିନକୁ ୧୨କିମି ଜାତୀୟ ରାଜପଥ ନିର୍ମାଣ ହେଉଥିବା ବେଳେ ୨୦୨୨-୨୩ରେ ଦିନକୁ ୨୯କିମି ଜାତୀୟ ରାଜପଥ ନିର୍ମାଣ ହେଉଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେପର୍ଯ୍ୟନ୍ତ ଦେଶର ପୂର୍ବାଞ୍ଚଳର ବିକାଶ ହେବ ନାହିଁ, ସେପର୍ଯ୍ୟନ୍ତ ଦେଶର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ପୂର୍ବ ଭାରତକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଆଉ ଫୋକସ୍ରେ ଓଡ଼ିଶା ରହିଛି।
ଏହି ଅବସରରେ ଶ୍ରୀ ଶାହ କହିଥିଲେ ୟୁପିଏ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ପ୍ରାୟ ୩ ଲକ୍ଷ କୋଟିର ଅନୁଦାନ ମିଳିଥିବା ବେଳେ ମୋଦୀ ସରକାରରେ ଏହା ୧୮ ଲକ୍ଷ କୋଟିରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମୋ ସରକାର ବିଶ୍ବାସ କରେ ଯେ ସଂଯୋଗୀକରଣ ଯୋଗୁ ରାଜ୍ୟର ବିକାଶ ହେବ ଏବଂ ଲୋକ ସଶକ୍ତ ହେବେ। ଗୁରୁପ୍ରିୟା ସେତୁର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଏହି ସେତୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳକୁ ସଂଯୋଗ କରିବା ପରେ ଉକ୍ତ ଅଞ୍ଚଳର ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଜୁ ଏକ୍ସପ୍ରେସ୍ ୱେ ଅର୍ଥନୈତିକ କରିଡର ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବା ସହ ଉକ୍ତ ଅଞ୍ଚଳର ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ ହେବ। ରାଜ୍ୟ ସରକାର ଯୋଗାଯୋଗକୁ ଗରୁତ୍ବ ଦେଉଥିବାରୁ ଏବେ ପୂର୍ତ୍ତ ବିଭାଗର ବଜେଟ୍ ୧୫ହଜାର କୋଟିରେ ପହଞ୍ଚିଛି। ଯେତେବେଳେ କି ୨୦୦୦ ମସିହାରେ ଏହା ୨୮୦କୋଟି ଥିଲା। ଚଳିତବର୍ଷ ରାଜ୍ୟ ସରକାର ୬୫୦୦କିମି ରାସ୍ତା ଏବଂ ୩୦୦ ସେତୁ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଯାହା ଅଭିବୃଦ୍ଧି ଓ ନୂତନ ସୁଯୋଗ ସୃଷ୍ଟି କରିବ। ନିକଟରେ ଆମେ ଜୟପୁର, ଉତ୍କେଲାରେ ବିମାନବନ୍ଦର ନିର୍ମାଣ କରିଥିବାବେଳେ ମାଲକାନଗିରିରେ ଏକ ଗ୍ରିନ୍ଫିଲ୍ଡ ବିମାନବନ୍ଦର ନିର୍ମାଣ କରାଯିବ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଜାତୀୟ ରାଜପଥ, ରେଳପଥ, ବନ୍ଦର ଓ ଜଳପଥର ବିକାଶ, ଡିଏମ୍ଏଫ୍, ଅର୍ଥ କମିସନ, ଜିଏସ୍ଟି ସଂଗ୍ରହ ସମେତ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ପ୍ରଧାନମନ୍ତ୍ରୀ ଆବାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରେକର୍ଡ ସଂଖ୍ୟକ ଅର୍ଥ ଓଡ଼ିଶାକୁ ଆସିଛି । ମହାପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ସହଯୋଗ, ଓଡ଼ିଶାର ଜନଜାତି ଝିଅଙ୍କୁ ରାଷ୍ଟ୍ରପତି ପଦବିରେ ଅଭିସିକ୍ତ କରିବା, ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ବିଚାରକୁ ଆଗକୁ ନେବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଇଛନ୍ତି। ମୋଦୀ ସରକାରରେ ଓଡ଼ିଶାର ନୂଆ ପରିଚୟ ତିଆରି ହୋଇଛି । ଓଡ଼ିଶାର ପଦ୍ମ ପୁରସ୍କାର ସଂଖ୍ୟା, ରାଜସଭାକୁ ମନୋନୀତ ସଦସ୍ୟ, ମନ୍ କି ବାତ୍ରେ ଓଡ଼ିଶା ବିଷୟରେ ଉଲ୍ଲେଖ, ଜନଜାତି ସମାଜ ପ୍ରତି ବିଶେଷ ଧ୍ୟାନ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ପ୍ରତି ଦାୟିତ୍ୱ, ପାଇକ ସ୍ମାରକୀକୁ ଏକ ତୀର୍ଥ କ୍ଷେତ୍ର ଭାବେ ପରିକଳ୍ପନା କରିଛନ୍ତି ପ୍ରଧାନମନ୍ତ୍ରୀ। ଜାତୀୟ ଶିକ୍ଷା ନୀତି ଅନୁସାରେ ଦେଶରେ ମାତୃଭାଷା ଆଧାରିତ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି। ଫଳସ୍ୱରୂପ ଓଡ଼ିଶାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ପଢ଼ାଇବା ପାଇଁ ବ୍ୟବସ୍ଥା ହୋଇଛି। ଓଡ଼ିଶାକୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୩ବର୍ଷରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ କହିଥିଲେ। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସ୍ବାଗତ ଭାଷଣ ଦେଇଥିଲେ। ଏନ୍ଏଚ୍ଏଆଇ ଅଧ୍ୟକ୍ଷ ଏସ୍.କେ ଯାଦବ ଧନ୍ୟବାଦ ଦେଇଥିଲେ।