ରାଇକଳାର ସମସ୍ତେ ଜଣେ ଜଣେ ମୁଖ୍ୟମନ୍ତ୍ରୀ: ମୋହନ

କେନ୍ଦୁଝର: ପବିତ୍ର ରାଇକଳା ମାଟି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦେଇଛି। କେବଳ ଆପଣମାନଙ୍କ ପାଇଁ ମୁଁ ଆଜି ମୁଖ୍ୟମନ୍ତ୍ରୀ ହୋଇଛି। ମୁଁ କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ଏହି ରାଇକଳା ଗାଁର ସମସ୍ତେ ଜଣେଜଣେ ମୁଖ୍ୟମନ୍ତ୍ରୀ ବୋଲି ନିଜ ଗାଁରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଭାବବିହ୍ବଳ ହୋଇ କହିଛନ୍ତି।

ଆଜି ଅପରାହ୍ନରେ ଝୁମ୍ପୁରାରୁ ଫେରି ନିଜ ଗାଁ ରାଇକଳାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘରେ କିଛି ସମୟ ବିତାଇବା ପରେ ଗାଁ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ଶ୍ରୀ ମାଝୀ କହିଥିଲେ, ଏହି ଗାଁରୁ ମୁଁ ରାଜନୀତି ଆରମ୍ଭ କରିଥିଲି। ଗାଁରେ ଖେଳିଛି, ବୁଲିଛି ଓ ପାଠ ପଢ଼ିଛି। ମାଛ ଧରିଛି, ସାଙ୍ଗସାଥୀଙ୍କ ସହ ଥଟ୍ଟାମଜା ବି କରିଛି। ଏ ଗାଁ ବି ମୋତେ ଭଲପାଇଛି, ବଢ଼େଇଛି ଏବଂ ମୁଖ୍ୟମନ୍ତ୍ରୀ କରାଇଛି। ମୁଁ ମୋର ସମସ୍ତ ଗ୍ରାମବାସୀଙ୍କ ପାଖରେ ଚିରଋଣୀ। ରାଇକଳା ଗାଁ ଏବେ ସାରାଓଡ଼ିଶାର ଏକ ଚର୍ଚ୍ଚିତ ନାମ। ସବୁଠି ରାଇକଳାର ଚର୍ଚ୍ଚା। ଏଇଠୁ ରାଜନୀତି ଆରମ୍ଭ କରି ମୁଖ୍ୟମନ୍ତ୍ରୀ ହେବାପର୍ଯ୍ୟନ୍ତ ସବୁ ଦେଖିଛି ଏହି ଗାଁ। ମୋତେ ମୋ ଗାଁ ଅନେକ ଭଲପାଇବା ଦେଇଛି। ଆପଣଙ୍କ ଆଶୀର୍ବାଦରେ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି। କିନ୍ତୁ ବାସ୍ତବରେ ଆପଣମାନେ ସମସ୍ତେ ଜଣେଜଣେ ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢ଼ିବା ପାଇଁ ମୁଁ ଯେଉଁ ଦାୟିତ୍ବ ନେଇଛି, ଆପଣମାନେ ମଧ୍ୟ ନିଜକୁ ଜଣେ ଜଣେ ମୁଖ୍ୟମନ୍ତ୍ରୀ ଭାବି ଏହି କାମରେ ସହଯୋଗ କରନ୍ତୁ ବୋଲି ସେ କହିଥିଲେ।

ସେହିପରି ଗାଁର ପୁଅ ହିସାବରେ ମୁଁ ଅନେକ ବିକାଶମୂଳକ କାମ କରିଛି। ଅନେକ ମାନ, ଅଭିମାନ କରିଛି। ସମୟ ଚକ୍ରରେ ଅନେକ କଥା ଘଟେ। ଗୋଟିଏ କଥା ହେଉଛି, ଶତ୍ରୁ ଓ ମିତ୍ରମାନଙ୍କୁ ସାଙ୍ଗରେ ନେଇ ଗାଁର ବିକାଶ କରିବାକୁ ପଡ଼ିବ। ସେ କହିଥିଲେ, ନିର୍ବାଚନ ସମୟରେ ମୋତେ ପରାସ୍ତ କରିବପାଇଁ ବିରୋଧୀ ଦଳ ଲଢ଼େଇ ଜାରି ରଖିଥିଲେ। ତୃତୀୟ ମହଲା ଓ କେନ୍ଦୁଝରଠାରୁ ଆରମ୍ଭ କରି ରାଇକଳା ଗାଁ ପର୍ଯ୍ୟନ୍ତ ଷଡ଼୍‌ଯନ୍ତ୍ର ହୋଇଥିଲା। ରାଇକଳା ଗାଁ ଏସବୁ ଚକ୍ରାନ୍ତକୁ ପଣ୍ଡ କରିଦେଇଛି। ବିରୋଧୀ ଦଳର ଗୁଣ୍ଡାଗର୍ଦ୍ଦି, ଅର୍ଥବଳ ଓ ବାହୁବଳ ପାଖରେ ଆପଣମାନେ ମୁଣ୍ଡ ନୁଆଁଇ ନାହାନ୍ତି। ତାହା ହିଁ ମୋର ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଓଡ଼ିଶା, କେନ୍ଦୁଝର ଜିଲ୍ଲା, ଝୁମ୍ପୁରା ବ୍ଲକ୍‌ ସହ ରାଇକଳା ଗାଁର ବିକାଶ କରିବାକୁ ଆପଣ ପରିବର୍ତ୍ତନ ଆଣିଛନ୍ତି। ପୂର୍ବ ସରକାର ଯେଉଁ ବିକାଶ କଥା କହୁଥିଲେ, ତାହା କେବଳ ଠିକାଦାର ପୋଷିବା ପାଇଁ ଉଦ୍ଦିଷ୍ଟ ଥିଲା। ଏଥର କିନ୍ତୁ ଆପଣମାନେ ଯେଉଁ ପରିବର୍ତ୍ତନ ଆଣିଛନ୍ତି, ତାହାର ସୁଫଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

ସମ୍ବନ୍ଧିତ ଖବର