ରାଉରକେଲା: ଦୀର୍ଘ ୧୭ଦିନ ପରେ ଉତ୍ତରକାଶୀ ସୁଡ଼ଙ୍ଗରେ ଫସିରହିଥିବା ଓଡ଼ିଶାର ୫ ଜଣ ଶ୍ରମିକ, ମୋଟ୍ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ସୂଚନା ଦେଇଛନ୍ତି। ଗତ ୫ ଦିନ ହେଲା ଶ୍ରମମନ୍ତ୍ରୀ ଶ୍ରୀ ନାୟକ ଉତ୍ତରକାଶୀରେ ରହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଶ୍ରୀ ନାୟକ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସମସ୍ତେ ସୁସ୍ଥ ଅଛନ୍ତି; କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ହସପିଟାଲକୁ ନିଆଯାଇଛି। ଉଦ୍ଧାର କାର୍ଯ୍ୟ ସଫଳ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛି। ଆଗାମୀ ୨୪ ଘଣ୍ଟା ସମସ୍ତଙ୍କୁ ହସପିଟାଲରେ ନିରୀକ୍ଷଣରେ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମ୍ଭବତଃ ଗୁରୁବାର ଦିନ ସମସ୍ତ ୫ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିବେ। ଏଠାରେ ଥିବା ପରିବାର ସଦସ୍ୟଙ୍କ ସହ ସମସ୍ତ ଓଡ଼ିଆ ଶ୍ରମିକ ସାକ୍ଷାତ କରିସାରିଛନ୍ତି। ଏବେ ହସପିଟାଲକୁ ଯାଇ ପୁନର୍ବାର ସ୍ବାସ୍ଥ୍ୟାବସ୍ଥା ବୁଝିବୁ ବୋଲି ଶ୍ରୀ ନାୟକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ଶ୍ରୀ ନାୟକ ଶ୍ରମିକଙ୍କ ଜଣେ ଲେଖାଏ ପରିବାର ସଦସ୍ୟଙ୍କୁ ନେଇ ଉତ୍ତରକାଶୀ ଯାଇଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହଙ୍କ ସହ ମିଶି ଉଦ୍ଧାରକାର୍ଯ୍ୟ ଅନୁଧ୍ୟାନ କରିଥିଲେ।
ବାଦ୍ୟ ବଜାଇ, ବାଣ ଫୁଟାଇ ଖୁସି ମନାଇଲେ ଗାଁ ଲୋକ
କଳାବାଡ଼ିଆ /ବାସୁଦେବପୁର: ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟ ଏବଂ ଉଦ୍ଧାରକାରୀ ଦଳଗୁଡ଼ିକର କଠିନ ପରିଶ୍ରମ ଆଗରେ ହାର୍ ମାନିଲା ସମସ୍ତ ବାଧାବିଘ୍ନ। ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ସୁଡ଼ଙ୍ଗରେ ଫସିଥିବା ୩୭ ଜଣ ଶ୍ରମିକଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ୩ ଜଣ ଶ୍ରମିକ; ବାଙ୍ଗିରିପୋଷି ଥାନା ଅଧୀନ ଚନ୍ଦନପୁର ପଞ୍ଚାୟତ ଯୋଗୀବନ୍ଧ ଗ୍ରାମର ବିଶ୍ବେଶ୍ବର ନାଏକ ଓ ବେଢ଼ାକୁଦର ଗ୍ରାମର ଧୀରେନ ନାଏକ, ତିରିଂ ଥାନା ଅନ୍ତର୍ଗତ କୁଳଡ଼ିହା ଗ୍ରାମର
ରାଜୁ ନାଏକ ଏବଂ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ସାନକୃଷ୍ଣପୁର ପଞ୍ଚାୟତ ଚାଳିଶଚେନ୍ ଗ୍ରାମର ତପନ ମଣ୍ଡଳ ସୁରକ୍ଷିତ ଭାବେ ଷୁଡ଼ଙ୍ଗରୁ ବାହାରକୁ ଆସିଛନ୍ତି। ଆଜି ଉଦ୍ଧାର କାର୍ଯ୍ୟ ଶେଷ ହେବା ନେଇ ଖବର ମିଳିବା ପରଠାରୁ ସଂପୃକ୍ତ ଶ୍ରମିକଙ୍କ ପରିବାର ଲୋକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଘରେ ଟିଭି ନଥିବାରୁ ଧୀରେନଙ୍କ ବୃଦ୍ଧା ମା ମନ୍ଦୋଦରୀ ଏକ ମୋବାଇଲ୍ ଆଗରେ ଅନାଇ ବସିଥିଲେ। ମୋବାଇଲ୍ ଟିଭିରେ ଉଦ୍ଧାର କାର୍ଯ୍ୟ ବାବଦ ଖବରକୁ କାନଡେରି ଶୁଣୁଥିଲେ। ରାତି ପ୍ରାୟ ୮ଟା ବେଳେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା।
ସୁଡ଼ଙ୍ଗ ଭିତରୁ ଧୀରେନଙ୍କ ସହ ଅନ୍ୟ ଶ୍ରମିକମାନେ ସୁରକ୍ଷିତ ବାହାରକୁ ଆସିଲେ। କିଛି ସମୟ ପରେ ଖୋଦ୍ ଧୀରେନ ଘରକୁ ଫୋନ୍ କରିଥିଲେ। ତାଙ୍କ କଣ୍ଠସ୍ବର ଶୁଣି ମାଆ ମନ୍ଦୋଦରୀ ଓ ପତ୍ନୀ ଫୁଲେଶ୍ବରୀଙ୍କ ଆଖିରୁ ଧାରଧାର ଆନନ୍ଦାଶ୍ରୁ ଗଡ଼ିଥିଲା। ସେ କହୁଥିଲେ, ମୁଁ ଭଲ ଅଛି। କେହି ବ୍ୟସ୍ତ ହେବନି। ଖୁବ୍ଶୀଘ୍ର ଘରେ ପହଞ୍ଚିବି। ସେହିପରି ସୁଡ଼ଙ୍ଗରୁ ପ୍ରଥମ ଓଡ଼ିଆ ଶ୍ରମିକ ଭାବେ ଉଦ୍ଧାର ହୋଇଥିବା ବିଶ୍ବେଶ୍ବରଙ୍କ ଘରେ ଖୁସିର ଲହରି ଖେଳିଯାଇଥିଲା। ୧୭ ଦିନ ହେଲା ଫେରିବା ବାଟକୁ ଅନେଇ ବସିଥିବା ପତ୍ନୀ ସୁକାନ୍ତି ଏବଂ ଯମଜ ଝିଅ ପରସ୍ପରକୁ କୁଣ୍ଡାଇ ଧରି ଖୁସି ମନାଇଥିଲେ। ସେମାନେ ଯେଉଁ ମାନସିକ ଯନ୍ତ୍ରଣା ଭୋଗିଲେ, ସେ ଯନ୍ତ୍ରଣା ଆଉ କେହି ନଭୋଗନ୍ତୁ ବୋଲି କହିଥିଲେ ସୁକାନ୍ତି। ସେହିପରି ଉଦ୍ଧାର ପରେ ରାଜୁ ଓ ତପନଙ୍କ ଘରଲୋକ ଆଶ୍ବସ୍ତ ହୋଇଛନ୍ତି। ତପନଙ୍କ ବାପା ଖୁସିରେ ଆତ୍ମହରା ହୋଇଯାଇଥିବା ବେଳେ ତାଙ୍କ ଆଖିର ଲୁହ ଶଖୁ ନାହିଁ। କେବଳ ଘରଲୋକ ନୁହଁନ୍ତି, ସମସ୍ତଙ୍କ ଗାଁ ଲୋକ ମଧ୍ୟ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ଏମିତି କି ସେମାନେ ପାରମ୍ପରିକ ବାଦ୍ୟ ବଜାଇ ଏବଂ ବାଣ ଫୁଟାଇ ନାଚିଥିବା ଦେଖିବାକୁ ମିଳିଛି।