ଫଳାଫଳକୁ ନେଇ ସବୁ ଦଳ ଆଶାବାଦୀ: ବିଜେପି-ବିଜେଡି ମଧ୍ୟରେ ଟକ୍କର୍‌, ବିଶ୍ବେଶ୍ୱର, ବବି ଓ ସୁଦାମଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗୁରୁବାର ଦିନ ପଞ୍ଚାୟତ ନିର୍ବାଚନ ଶେଷ ଯାଇଛି। ଗତ ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ଗୁରୁବାର ଦିନ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ୫ଟି ପର୍ଯ୍ୟାୟରେ ଶେଷ ହୋଇଥିବା ନିର୍ବାଚନରେ ମତଦାନ ହାର ୭୫ ପ୍ରତିଶତରୁ ଅଧିକ ରହିଛି। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡସଭ୍ୟ ମୋଟ ୧୩ ହଜାର ୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସ ମଧ୍ୟରେ ସିଲ୍ ହୋଇଯାଇଛି। ଆସନ୍ତା ୨୬ରୁ ୨୮ ତାରିଖ ୩ ଦିନ ଧରି ଭୋଟଗଣତି ହେବ। ତେବେ ସରପଞ୍ଚ ଓ ସମିତି ସଭ୍ୟ ଅପେକ୍ଷା ଜିଲ୍ଲା ପରିଷଦ ଉପରେ ସମସ୍ତଙ୍କ ଆଖି ରହିଛି। ଗତଥର ବିଜେପି ୫୬ରୁ ୪୯ ଆସନ ହା‌ତେଇଥିଲା। ହେଲେ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଛି ବୋଲି ମତପ୍ରକାଶ ପାଉଛି। ତେଣୁ କିଏ ଅଧିକ ଆସନ ପାଇଁ ଜିଲ୍ଲା ପରିଷଦ ଗଠନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ମୟୂରଭଞ୍ଜ ଜିଲ୍ଲାରେ ଚଳିତ ପଞ୍ଚାୟତ ନିର୍ବାଚନ, ‌ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ବିଶ୍ବେଶ୍ବର ଟୁଡୁଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଗତ ନିର୍ବାଚନରେ ସମଗ୍ର ରାଜ୍ୟରେ ବିଜେଡିର ପ୍ରବଳ ହାୱା ସତ୍ତ୍ବେ ମୟୂରଭଞ୍ଚରେ ଦଳ ଜିଲ୍ଲା ପରିଷଦ ଗଠନ କରିଥିଲା। ଏଥର କେନ୍ଦ୍ରମନ୍ତ୍ରୀ ଥାଇ ଯଦି ଦଳ ପରିଷଦ ଗଠନ କରି ନ ପାରେ ତାହା ହେଲେ ବିଶ୍ବେଶ୍ବରଙ୍କ ପତିଆର ହ୍ରାସ ପାଇବ ବୋଲି ଆଲୋଚନା ହେଉଛି। ଏଥିପାଇଁ ଜିଲ୍ଲାରେ ନିର୍ବାଚନ ପ୍ରଚରର ମଙ୍ଗ ଧରିଥିଲେ ମନ୍ତ୍ରୀ। ଗତଥର ଭଳି ଦଳ ଏଥର ବି ଭଲ କରିବ ଆଉ ଜିଲ୍ଲା ପରିଷଦ ଗଠନ କରିବ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ତେବେ ମୟୂରଭଞ୍ଜରେ ବିଜେପିକୁ ଚେକ୍ ଦେବା ନିମନ୍ତେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବବି ଦାସ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। ସଂଗଠନକୁ ସୁଦୃଢ କରିବା ସହ ବିଜେପିର ବେଶ୍‌ କିଛି ନେତାଙ୍କୁ ନିର୍ବାଚନ ଆଗରୁ ଦଳରେ ମିଶାଇବାରେ ସଫଳ ହୋଇଥିଲେ। ତାଙ୍କ ସହ ଦଳର ବରିଷ୍ଠ ନେତା ନେତା ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବି ଏଥର ପ୍ରଚାରରେ ପ୍ରଚୁର ସମୟ ଦେଇଥିଲେ। ଏଥର ବିଜେଡି ଜିଲ୍ଲା ପରିଷଦ ଗଠନ କରିବ ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି ବି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ତେବେ ଭୋଟଗଣତି ପରେ ଜଣା ପଡିବ ବିଜେପିର ଦୃଢୋକ୍ତି ସତ ହେଉଛି ନା ବିଜେଡିର ଦମ୍ଭୋକ୍ତି। ସୂଚନାଯୋଗ୍ୟ; ଚଳିତ ତ୍ରିସ୍ତରୀୟ ନିର୍ବାଚନ‌ରେ ମୟୂରଭଞ୍ଜ ଜିଲ୍ଲାରେ ୫୬ ଜିଲ୍ଲା ପରିଷଦ ଜୋନରେ ୨୫୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି। ସେହିପରି ୪୦୪ ପଞ୍ଚାୟତ ପାଇଁ ୨ହଜାର ୧୫୬ ଜଣ ସରପଞ୍ଚ, ୧ହଜାର ୭୮୭ ଜଣ ସମିତି ସଭ୍ୟ ପଦ ପାଇଁ ପ୍ରତିଦ୍ବନ୍ଦିତା କରିଛନ୍ତି।

ସମ୍ବନ୍ଧିତ ଖବର