ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଛକାପଞ୍ଝା: ଅଣ୍ଡା ଯୁଦ୍ଧରେ ମାତିଲେଣି ସବୁ ଦଳ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସଭାରେ ଭାଷଣ ଦେବା ଅବସରରେ କହିଥିଲେ, ଏବେ ଆମେ ଅନ୍ୟ ଦଳ ବିରୁଦ୍ଧରେ ଅଧିକ କିଛି ନକରାତ୍ମକ ମନ୍ତବ୍ୟ ଦେବୁନାହିଁ। ଓଡ଼ିଶାର ବିକାଶ ପାଇଁ ମିଳିମିଶି କାମ କରିବୁ। ନିର୍ବାଚନର ୬ମାସ ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବୁ। ସେତେବେଳେ ପୁଣି ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ ହେବ।

ପଞ୍ଚାୟତ ନିର୍ବାଚନକୁ ଏବେ ୬ମାସରୁ କମ୍‌ ସମୟ ରହିଛି। ରାଜ୍ୟରେ ବିରୋଧୀ ହଠାତ୍ ସକ୍ରିୟ ହୋଇଥିବା ବେଳେ ବିଜେପି ଆଚରଣରେ ପରିବର୍ତ୍ତନ ଆସିଛି ଏବଂ ମମିତା ହତ୍ୟା ପ୍ରସଙ୍ଗରେ ମାସାଧିକ ଦଳ ରାଜରାସ୍ତାରେ ଲଢୁଛି। ବିଜେପି କର୍ମୀ ରାଜ୍ୟ ସରକାରଙ୍କୁ ହଲାପଟା କରୁଛନ୍ତି। କେଉଁଠି ଅଣ୍ଡା ଫିଙ୍ଗିଲେଣି, କେଉଁଠି କଳାପତାକା ପ୍ରଦର୍ଶନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବି ବାଦ୍ ପଡ଼ିନାହାନ୍ତି। ବୟାନ ବାଜି ଜୋର ଧରିଛି। ଏସବୁ ନିରେଖି ଦେଖିବା ପରେ ରାଜନୈତିକ ମହଲ ଧର୍ମେନ୍ଦ୍ରଙ୍କ ଉପରୋକ୍ତ ମନ୍ତବ୍ୟକୁ ମନେ ପକାଉଛନ୍ତି। ସମ୍ଭବତଃ ନିର୍ବାଚନ ଆଗକୁ ଥିବାରୁ କେନ୍ଦ୍ରମନ୍ତ୍ରୀ ଯେଉଁ ସଙ୍କେତ ଦେଇଥିଲେ, ଏବେ ବିଜେପି ତାହାର କାର୍ଯ୍ୟାନ୍ବୟନ ଆରମ୍ଭ କରିଛି ବୋଲି ଏହି ମହଲରେ ଚର୍ଚ୍ଚା ହେଲାଣି।

କେବଳ ବିଜେପି ଯେ ସକ୍ରିୟ, ତା ନୁହେଁ। ବିଜେଡି ମଧ୍ୟ ରାସ୍ତାକୁ ଓହ୍ଲାଇ ଆସିଲାଣି। ବିଜେପିକୁ ଜବାବ ଦେବା ଲାଗି ବିଜେଡି ବି ବିରୋଧ କରିବା ଆରମ୍ଭ କଲାଣି। ଅହେତୁକ ଦରଦାମ୍‌ ବୃଦ୍ଧି, ଗ୍ୟାସ୍‌, ପେଟ୍ରୋଲ, ଡିଜେଲ୍‌ ଦର ବୃଦ୍ଧିକୁ ପ୍ରସଙ୍ଗ କରି ଏବେ ବିଜେପି ନେତାଙ୍କୁ ବିଜେଡି କର୍ମୀମାନେ ଘେରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାମ ନେଉନାହାନ୍ତି, ଅଥଚ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏହାକୁ ଦେଖି କଂଗ୍ରେସ ଶିବିର ବି ସକ୍ରିୟ ହୋଇପଡ଼ିଛି। କଂଗ୍ରେସ ନିଶାଣରେ ଏବେ ବିଜେପିର ମନ୍ତ୍ରୀ, ସାଂସଦ ଅଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଣ୍ଡା ମାଡ଼ କରିବା ସହ କଳା ପତାକା ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ସମାନ୍ତରାଳ ଭାବେ କଂଗ୍ରେସ ବିଜେଡି ସରକାର ବିରୋଧରେ ବି ଗର୍ଜୁଛି ଏବଂ ବିରୋଧ ଜାରି ରହିଛି। ଏସବୁ କାରଣରୁ ରାଜ୍ୟ ରାଜନୀତିରେ ହଠାତ୍ କମ୍ପନ ସୃଷ୍ଟି ହୋଇଛି।

ରାଜନୈତିକ ମହଲର କହିବା କଥା ହେଉଛି ଯେ ଗୋଟିଏ ସମୟରେ ବିରୋଧ କରିବାକୁ ଯାଇ କଂଗ୍ରେସ ସରକାରଙ୍କୁ ଅଣ୍ଡା ଓ ଟମାଟୋ ମାଡ଼ କରୁଥିଲା। ଏବେ କଂଗ୍ରେସର ଏହି ଫର୍ମୁଲାକୁ ବିଜେପି ହାତେଇ ନେଇଛି। ବିଜେପି କର୍ମୀମାନେ ବିଜେଡି ନେତା, ମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଅଣ୍ଡା ମାଡ଼ କରୁଛନ୍ତି। ଫଳରେ ବିରୋଧର ତରିକା ଏବେ ଅଣ଼୍ଡାମାଡ଼ରେ ମୁଖ୍ୟତଃ ସୀମିତ ରହିଛି। ଅନ୍ୟମାନେ ମଧ୍ୟ ଏହାକୁ ଊଣା ଅଧିକେ ଆପଣାଇଲେଣି।

ରାଜନୈତିକ ମହଲର ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ବିଜେପି ମମିତା ହତ୍ୟାକାଣ୍ଡ ଭଳି ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନି। ପଶ୍ଚିମ ଓଡ଼ିଶାର ଏହି ହତ୍ୟାକାଣ୍ଡକୁ ଆଣି ରାଜ୍ୟର ଅନ୍ୟ ପ୍ରାନ୍ତରରେ ପହଞ୍ଚାଇ ସାରିଲେଣି। ଏଣୁ ଉପକୂଳ, ଦକ୍ଷିଣ ଓଡ଼ିଶାରେ ବି ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କୁ ଜୋରଦାର ବିରୋଧ କରାଯାଉଛି, ଅଣ଼୍ଡା ମାଡ଼ ବି ହେଉଛି। ସେପଟେ ସାରା ରାଜ୍ୟରେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ ଏବେ ନିଆଁ ଭଳି ମାଡ଼ି ମାଡ଼ି ଚାଲିଥିବାରୁ ବିଜେଡି ଏହାର ମୁକାବିଲା କରିବା ପାଇଁ ଦରଦାମ୍ ବୃଦ୍ଧିକୁ ପ୍ରସଙ୍ଗ କରି କେନ୍ଦ୍ରର ଶାସକ ଦଳ ବିଜେପିକୁ ଘେରୁଛି। ସାରା ରାଜ୍ୟରେ ତେଲ, ଗ୍ୟାସ୍‌ ଦର ବୃଦ୍ଧିକୁ ପ୍ରସଙ୍ଗ କରି ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଛି।

ହେଲେ ଏହାର ବିଜେପିର ଆନ୍ଦୋଳନ ତରିକାକୁ ଆଦୌ ପ୍ରଭାବିତ କରୁନଥିବାରୁ ବିଜେଡି ଯେସାକୁ ତେସା ପଦ୍ଧତି ଆପଣାଇଛି। ଅଣ୍ଡାମାଡ଼ର ଜବାବ ଅଣ୍ଡାମାଡ଼ରେ ଏବେ ଦଳ ଦେଲାଣି। ପ୍ରତ୍ୟକ୍ଷ ମୁକାବିଲ ପାଇଁ ବି ଦଳ ପ୍ରସ୍ତୁତ। କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିଜେଡି କର୍ମୀ କେନ୍ଦ୍ରାପଡ଼ାରେ ଅଣ୍ଡା ମାଡ଼ କରିବା ପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନରେ ଘେରାଉ କରୁଛି।

ସେପଟେ ଆଜି ବି ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ କଳାପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳ ଓଡ଼ିଶାରେ ସବୁଠି ନ ହେଲେ, ମାପିଚୁପି, ଯେଉଁଠି ସକ୍ରିୟ ଅଛି, ସେଠାରେ ବିରୋଧ କରୁଛି, ପ୍ରତିବାଦ ଜଣାଉଛି।

ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରତ୍ୟକ୍ଷ ଓ ପରୋକ୍ଷ ଲଢେଇ ଆଗକୁ କେଉଁ ରୂପ ନେବ, କେତେ ଭୀଷଣ ଅବସ୍ଥାରେ ପହଞ୍ଚିବ ତାହା ଦେଖିବା କଥା।

ସମ୍ବନ୍ଧିତ ଖବର