ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି  ବିଧାନସଭା ବଜେଟ୍‌ ଅଧିବେଶନ। ପ୍ରତିବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ପାଇଁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଡକାଇଥିବା ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବାଚସ୍ପତିଙ୍କ ଅଧ୍ୟ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ବିଧାନସଭା କନଫରେନ୍ସ ହଲରେ ଚାଲିଥିବା ଏହି  ବୈଠକରେ ସବୁ ଦଳର ସଦସ୍ୟ ଉପସ୍ଥିତ ଅଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ବୈଠକରେ ଯୋଗ ଦେଇଛନ୍ତି।

Advertisment

ବଜେଟ୍‌ ଅଧିବେଶନ କିପରି ଚାଲିବ ସେ ନେଇ ଆଲୋଚନ କରାଯିବା ପାଇଁ ଏହି ବୈଠକ ଡକାଯାଇଛି। କୋଭିଡ୍‌ କଟକଣା ମଧ୍ୟରେ କ’ଣ ସବୁ ବ୍ୟବସ୍ଥା କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ପୂର୍ବରୁ ସୂଚନା ରହିଛି। ଫେବ୍ରୁଆରି ୨୨ ତାରିଖରେ ବଜେଟ୍‌ ଗୃହରେ ଉପସ୍ଥାପନ ହେବ।

ଏହି ଅଧିବେଶନ ପାଇଁ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବଜେଟ୍‌ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ବର୍ଷକର ଉପଲବ୍ଧି ନେଇ ଗୃହରେ ଅଭିଭାଷଣ ରଖିବେ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇ ଫେବ୍ରୁଆରି ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ଗୃହରେ ବଜେଟ୍‌ ଆଗତ କରିବେ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍‌ ଗୃହରେ ପାରିତ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।