ଗୃହ ସୁରୁଖୁରୁରେ ଚାଲିବା ନେଇ ସମର୍ଥନ ଲୋଡ଼ିଲେ ବାଚସ୍ପତି
ପୂର୍ବତନ ବାଚସ୍ପତିଙ୍କ ପାଇଁ ପ୍ରଥମ ଦିନ ଗୋଟିଏ ଓଳା ଗୃହ ବନ୍ଦ ହୋଇପାରେ
୨ ବିଲ୍ରେ ସଂଶୋଧନ ଓ ଗୋଟିଏ ନୂଆ ବିଲ୍ ଆସିବ
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନରେ ପ୍ରଶ୍ନକାଳ ବାତିଲ୍ ପ୍ରସଙ୍ଗକୁ ଆଜି ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି। ବିଧାନସଭାର ପଞ୍ଚମ ଅଧିବେଶନ ଅବ୍ୟବହିତ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଉଭୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମ ସାମ୍ନାରେ ବି ଅସନ୍ତୋଷ ଝାଡ଼ିଥିଲେ।
ଅନ୍ୟପକ୍ଷରେ କରୋନା କାରଣରୁ ଏହାକୁ ବାତିଲ୍ କରାଯାଇଥିବା କହିଛି ବିଜେଡି। ଆଜି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ପ୍ରଶ୍ନକାଳ ରହିଲେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ମନ୍ତ୍ରୀମାନେ ବାରମ୍ବାର ବୈଠକ ନେବେ। ସେଥିପାଇଁ ଅସୁବିଧା ହେବ। କରୋନା ପରୀକ୍ଷାରେ ଯାହାର ନେଗେଟିଭ୍ ଆସୁଛି ସେମାନେ ବିଧାନସଭା ଆସିଛନ୍ତି। ତେଣୁ ଏହି ଅଧିକାରୀମାନଙ୍କୁ ବିଧାନସଭା ଆସିବାରେ ଅସୁବିଧା ହେବ। ସେଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି। ବିରୋଧୀ ଦଳ ଯାହା ପ୍ରସଙ୍ଗ ଉଠାଇବେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।
ଏସବୁ ଭିତରେ କିନ୍ତୁ ଆଜି ବାଚସ୍ପତି ଶ୍ରୀ ପାତ୍ର ସୁରୁଖୁରୁରେ ଗୃହ କାର୍ଯ୍ୟ ସଂପନ୍ନ କରିବା ଲାଗି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୦ ତାରିଖ ଦିନ ଗୃହ ଆରମ୍ଭ ହେବା ପରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ସମେତ ଦିବଂଗତଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହୋଇ ପରମ୍ପରା ଅନୁସାରେ ପ୍ରଥମାର୍ଧ ଗୃହ ବନ୍ଦ ରହିବ। ଅପରାହ୍ନରେ ଅତିରିକ୍ତ ବଜେଟ୍ ଆଗତ ହେବ। ସେହିଭଳି ଏହି ଅଧିବେଶନରେ ୨ଟି ସଂଶୋଧନ ଓ ବାଣିଜ୍ୟ ଏବଂ ପରିବହନ ବିଭାଗର ଏକ ନୂଆ ବିଲ୍ ଗୃହକୁ ଆସୁଥିବା ସୂଚନା ମିଳିଛି।
ଆଜି ବୈଠକ ପ୍ରାରମ୍ଭରେ ବାଚସ୍ପତି କହିଥିଲେ ଯେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ଶୀତଦିନରେ ଏହା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ବିଧାନସଭା ଅଧିବେଶନ କାଳରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ମନ୍ତ୍ରୀ, ବିଧାୟକ, ଓଡ଼ିଶା ବିଧାନସଭା ସଚିବାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖଙ୍କ କରୋନା ପରୀକ୍ଷା କରାଯାଉଛି। ନେଗେଟିଭ୍ ବାହାରିଲେ ହିଁ ସେମାନଙ୍କୁ ଗୃହ ଭିତରକୁ ଆସିବାକୁ ଅନୁମତି ପ୍ରଦାନ କରାଯିବ। ସାମାଜିକ ଦୂରତ୍ୱ ନିୟମ ମାନିବା ପାଇଁ ଅଧିବେଶନ ସମୟରେ ପ୍ରତ୍ୟେକ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବାଚସ୍ପତି କହିଥିଲେ, ୪ ଫୁଟ ବ୍ୟବଧାନରେ ଆସନ ବ୍ୟବସ୍ଥା ସହ ପ୍ରତ୍ୟେକ ବିଧାନସଭା ସଭ୍ୟଙ୍କ ଆସନ ସମ୍ମୁଖରେ ଗ୍ଲାସ୍ ଲାଗିବା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ତରଫରୁ ପ୍ରତ୍ୟେକ ଦିନ ନିୟମିତ ଭାବେ ଦୁଇଥର ବିଧାନସଭା ପ୍ରକୋଷ୍ଠକୁ ସାନିଟାଇଜ୍ କରାଯିବ। ଆସନ୍ତା ୨୦ ତାରିଖଠାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ଶନିବାର ଏବଂ ରବିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲୁରହିବ। ବିଧାନସଭା ଆରମ୍ଭ ଦିନ ପୂର୍ବାହ୍ନ ୧୧ ଘଟିକାରୁ ଥିବା ସ୍ଥଳେ ଅନ୍ୟ ଦିବସଗୁଡ଼ିକରେ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରୁ ଅପରାହ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ବିଧାନସଭା ଅଧିବେଶନ କାଳରେ କୌଣସି ତାରକା ପ୍ରଶ୍ନ ରହିବ ନାହିଁ ଏବଂ ଅଣତାରକା ପ୍ରଶ୍ନଗୁଡ଼ିକର ଉତ୍ତର ବିଧାନସଭା ସଭ୍ୟମାନଙ୍କୁ ଡାକ ଯୋଗେ ଯୋଗାଇ ଦିଆଯିବ। ନଭେମ୍ବର ୨୬, ୨୭ ଏବଂ ୨୮ ତାରିଖ ଦିନ ଅନୁଦାନ ନିମନ୍ତେ ଦାବି, ୨୦୨୦-୨୧ ମସିହା ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ବିବରଣୀ ଏବଂ ନଭେମ୍ବର ୨୯ ତାରିଖ ଦିନ ୨୦୨୦-୨୧ ମସିହା ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ବିବରଣୀ ଉପରେ ବିନିଯୋଗ ବିଲ୍ ଗୃହରେ ଆଗତ ହେବ।
ବାଚସ୍ପତି କହିଥିଲେ, ବୟସାଧିକ ବିଧାୟକ କିମ୍ବା ରକ୍ତଚାପ, ମଧୁମେହ ଇତ୍ୟାଦି ରୋଗରେ ପୀଡ଼ିତ ବିଧାୟକମାନେ ଯଦି ଚାହିଁବେ ବିଧାନସଭା ଅଧିବେଶନକୁ ନଆସି ଓକାକ୍ ଭୁବନେଶ୍ୱର, ଲୋକସେବା ଭବନର ସମ୍ମିଳନୀ କକ୍ଷ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥିତ ଭିଡ଼ିଓ କନ୍ଫରେନ୍ସ ହଲ୍ରେ ରହି ମଧ୍ୟ ବିଧାନସଭାର ଅଲୋଚନାରେ ଭାଗ ନେଇପାରିବେ।
ଗତ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯିବ। ବିଧାୟକମାନଙ୍କ ଦ୍ୱାରା ପ୍ରାଧିକୃତ ବିନା ଅନ୍ୟ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଲବି ପାସ୍ ପ୍ରଦାନ କରାଯିବ ନାହିଁ। ବିଧାନସଭା ଅଧିବେଶନ ସମାପ୍ତ ପରଦିନ ପୁଣି ସମସ୍ତ ବିଧାୟକ ଏବଂ ଅନ୍ୟ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯିବ।
ତେବେ ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ, ପ୍ରଶ୍ନୋତ୍ତର ହେବ କି ନାହିଁ, ସେ ସଂକ୍ରାନ୍ତରେ ଆଜି ଆଲୋଚନା ଲାଗି ପ୍ରସ୍ତାବ ରହିଛି। ହେଲେ ଇତିମଧ୍ୟରେ ପ୍ରଶ୍ନକାଳ ବାତିଲ୍ ବୋଲି ଜଣାଇ ଦିଆଯାଇସାରିଲାଣି। କେଉଁ କ୍ଷମତା ବଳରେ ଏଭଳି ନିଷ୍ପତ୍ତି ନିଆଯାଉଛି ସେ ନେଇ ଆପତ୍ତି ଉଠାଇଥିଲେ। କେବଳ ସେତିକି ନୁହେଁ, ସରକାରଙ୍କ ନିଷ୍ପତ୍ତିରେ ମୋହର ମାରିବା ଲାଗି ସର୍ବଦଳୀୟ ବୈଠକ ଡକାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ।
ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ଯଦି ଗୃହରେ ସଠିକ୍ ଉତ୍ତର ଦେବା ଲାଗି ଅଧିକାରୀଙ୍କ ସହିତ ଆଲୋଚନା ଜରୁରୀ ଓ କରୋନା ବେଳେ ଏହା ସମ୍ଭବ ନୁହେଁ ବୋଲି ସରକାର ଯୁକ୍ତି ରଖୁଛନ୍ତି, ତେବେ ଅନତାରକା ପ୍ରଶ୍ନର ଉତ୍ତର କିଭଳି ପ୍ରସ୍ତୁତ କରାଯାଉଛି, ତାହା ବୁଝାପଡୁନାହିଁ। ବିରୋଧୀ ଦଳ ନେତା ଶ୍ରୀ ନାଏକ ମଧ୍ୟ ସରକାରଙ୍କ ନିଷ୍ପତ୍ତିରେ ଅସହମତ ଥିବା ପ୍ରକାଶ କରିଥିେଲ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଥାଉକି, ବିରୋଧୀ ଦଳ ନେତା କହିଥିଲେ, ଏହି ଅଧିବେଶନରେ ପିଇବା ପାଣି ସମସ୍ୟା ଡାକ୍ତର ଅଭାବ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର ପ୍ରସଙ୍ଗ ଉଠିବ। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଉଠାଯିବ।