ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୩ରେ ରାଜ୍ୟର ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଲୋହାନି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷିତ ନିର୍ବାଚନ କାର୍ଯ୍ୟସୂଚୀ ସମ୍ପର୍କରେ ଦଳମାନଙ୍କୁ ଅବଗତ କରାଇଥିଲେ ।

ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ିଭାବେ ପାଳନ କରାଯିବ ବୋଲି ଶ୍ରୀ ଲୋହାନି କହିଛନ୍ତି । ପ୍ରଚାର ସମୟରେ କୌଣସି ପ୍ରାର୍ଥୀଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପକୁ ନିଷିଦ୍ଧ କରାଯାଇଛି । ଅନ୍ୟପକ୍ଷରେ ଅପରାଧିକ ପୃଷ୍ଠଭୂମି ଥିବା କୌଣସି ପ୍ରାର୍ଥୀଙ୍କୁ ଯଦି କୌଣସି ଦଳ ପ୍ରାର୍ଥୀ କରନ୍ତି ତେବେ ସଂପୃକ୍ତ ଦଳକୁ କୈଫିୟତ ଦେବାକୁ ପଡ଼ିବ ଓ ଜନସାଧାରଣଙ୍କ ଅବଗତି ଲାଗି ସଂପୃକ୍ତ ପ୍ରାର୍ଥୀ ଅତି କମରେ ତିନିଥର ଖବରକାଗଜରେ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବେ ବୋଲି ଶ୍ରୀ ଲୋହାନି ଏହି ବୈଠକରେ ପ୍ରକାଶ କରିଥିଲେ । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଅନୁମତି ଅନୁସାରେ ଏଥର କୋରନା ମହାମାରୀ ଦୃଷ୍ଟିରୁ ୮୦ ବର୍ଷରୁ ଅଧିକ ବୟସର ଭୋଟର, ଭିନ୍ନକ୍ଷମ, ସଂଗରୋଧରେ ଥିବା ଭୋଟରମାନଙ୍କ ପାଇଁ ପୋଷ୍ଟାଲ ଭୋଟର ବ୍ୟବସ୍ଥା ରହିଛି ।
ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ବେଳେ କୋଭିଡ-୧୯ କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯିବ ।

ସମ୍ବନ୍ଧିତ ଖବର