୫ ଦିନ ବିତିଗଲା, ବିଧାନସଭା ଅଚଳାବସ୍ଥା ଦୂର ହେଲାନି

ସର୍ବଦଳୀୟ ବୈଠକ ବିଫଳ

ଭୁବନେଶ୍ବର : ଶାସକ ଓ ବିରୋଧୀ ଦଳର ବିଧାୟକମାନେ ନିଜ ଜିଦରେ ଅଟଳ ଅଛନ୍ତି। ଆଜିକୁ ମିଶାଇ ପାଞ୍ଚ ଦିନ ହେଲା ଗୃହ ଚାଲିପାରୁନାହିଁ। ତଥାପି ସମାଧାନର ରାସ୍ତା ବାହାରିପାରିନାହିଁ। ଫଳରେ ପ୍ରଶ୍ନକାଳ ସମେତ ଗୃହ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରିନି। ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଛି।

ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନିଜ ନିଜ ଦାବି ଦୋହରାଇଥିଲେ। ଚାଷୀଙ୍କ ଧାନ କିଣା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ‘ମଣ଼୍ଡିରୁ ଧାନ ଉଠିବା ଆମର ଦାବି, ଚାଷୀ ରକ୍ତ ପିପାସୁ କେନ୍ଦ୍ର ଓ ରାଜ୍ୟ ସରକାର’ ଲେଖାଥିବା ବ୍ୟାନର ପ୍ରଦର୍ଶନ କରିଥିଲେ। ଏହାସହିତ ବିଜେପି ବିଧାୟକ ନାଉରି ନାୟକ, ମୋହନ ମାଝୀ ପ୍ରମୁଖ ଧାନ ବିକ୍ରି କରିନପାରି ଯୁବ ଚାଷୀ ଆତ୍ମହତ୍ୟା କରିଥିବା ପ୍ରକାଶିତ ଖବର କାଗଜକୁ ପ୍ରଦର୍ଶନ କରିଥିଲେ। ସେପଟେ ଶାସକ ଦଳ ମଧ୍ୟ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଗୃହ ମଧ୍ୟଭାଗରେ ପ୍ରବଳ ପାଟିତୁଣ୍ଡ କରିଥିଲେ। ସଦସ୍ୟମାନଙ୍କ ନାରାବାଜି ଯୋଗୁ ଗୋଟିଏ ମିନିଟ୍‌ ବି ଗୃହ ଚାଲିପାରିନଥିଲା। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। ପରବର୍ତ୍ତୀ ସମୟରେ ଗୃହରେ ଅଚଳାବସ୍ଥା ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୫ଟା ୪୭ ପର୍ଯ୍ୟନ୍ତ ମୋଟ ୮ ଥର ଗୃହ ମୁଲତବୀ କରିଥିଲେ।। ଅପରାହ୍ନରେ ଶାସକ ଦଳ ସଦସ୍ୟମାନେ ଗୃହରେ ନିଜ ନିଜ ଆସନରେ ଠିଆ ହୋଇ ନାରାବାଜି କରିବା ଦେଖିବାକୁ ମିଳିଥିଲା।

ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଗୃହର ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଶ୍ରୀ ପାତ୍ର ତୃତୀୟ ଥର ପାଇଁ ସର୍ବଦଳୀୟ ବୈଠକ ଡାକିଲେ। ଦୀର୍ଘ ୧ ଘଣ୍ଟା ୪୭ ମିନିଟ୍‌ ଧରି ଆଲୋଚନା ହେଲା। ହେଲେ ବୈଠକ ଅଧାରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବୈଠକରୁ ଉଠି ଆସିଥିଲେ। କିନ୍ତୁ ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ବୈଠକକୁ ଫେରିନଥିଲେ। ଫଳରେ ସର୍ବଦଳୀୟ ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିଲା।

ସମ୍ବନ୍ଧିତ ଖବର