ବିଧାନସଭା ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ, ପ୍ରଶ୍ନକାଳ ବାତିଲ ପ୍ରସ୍ତାବକୁ କଂଗ୍ରେସର ବିରୋଧ

ଭୁବନେଶ୍ବର : ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବା ବିଧାନସଭା ମୌସୁମୀ ଅଧିବେଶନ। କୋଭିଡ ମହାମାରୀ ସମୟରେ ଅଧିବେଶନ କିପରି ଶୃଙ୍ଖଳାର ସହ ଚାଲିବ ସେ ନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦର ବ୍ୟବସ୍ଥା ଅନୁଯାୟୀ ବିଧାନସଭାରେ ପ୍ରଶ୍ନକାଳ ବାତିଲ କରିବା ପ୍ରସ୍ତାବକୁ ନେଇ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରବଳ ବିରୋଧ କରିଛନ୍ତି।

ତେବେ ପ୍ରଶ୍ନକାଳ ନ ହେଲେ ବି ଗୃହରେ ଶୂନ୍ୟକାଳ ଓ ମୁଲତବି ଆଲୋଚନା ହୋଇପାରିବ ବୋଲି ସ୍ଥିର କରାଯାଇଛି। ବିଧାନସଭା ଆରମ୍ଭ ହେବା ଦିନ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗୃହ ପ୍ରଥମାର୍ଦ୍ଧକୁ ମୁଲତବି ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହିତ ଗୃହ ପରିଚାଳନା କିପରି କରାଯିବ ସେ ନେଇ କେତେକ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁଯାୟୀ ସବୁ ବିଧାୟକମାନଙ୍କର କୋଭିଡ ପରୀକ୍ଷା କରାଯିବ। ଯେଉଁ ବିଧାୟକମାନଙ୍କର ନେଗେଟିଭ ଆସିବ ସେହିମାନେ ହିଁ ଗୃହ କାର୍ଯ୍ୟରେ ଯୋଗ ଦେଇପାରିବେ। ଆସନ୍ତାକାଲି ସକାଳ ୮ଟାରୁ ବିଧାନସଭା ପରିସରରେ ନମୁନା ସଂଗ୍ରହ କରାଯିବ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିଲେ ଭଲ। ଏଥିରେ ବିରୋଧୀମାନେ ସହଯୋଗ କରିବେ। ଅନ୍ୟପଟେ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ସୂଚନା ଦେଇ କହିଛନ୍ତି, ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମ ଅନୁଯାୟୀ ବିଶେଷ ପରିସ୍ଥିତିରେ ପ୍ରଶ୍ନକାଳ ବାତିଲ କରାଯାଏ। କିନ୍ତୁ ଏଥିପାଇଁ ଅଧିବେଶନ ଆରମ୍ଭରୁ ନିଷ୍ପତ୍ତି ନେବାର କୌଣସି ସାମ୍ବିଧାନିକ ବ୍ୟବସ୍ଥା ନାହିଁ। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅତି ଆବଶ୍ୟକ ସ୍ଥଳେ ଏପରି ନିଷ୍ପତ୍ତି ନିଆଯାଇପାରେ। ପ୍ରଶ୍ନକାଳ ବାତିଲ ପ୍ରସ୍ତାବକୁ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ବିରୋଧ କରୁଛି। ତେବେ ସରକାରଙ୍କ ନିଷ୍ପତ୍ତିକୁ ବିଧାନସଭା ମୋହର ମାରିବ ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି।

ନିୟମ ଅନୁୟାୟୀ କୌଣସି ରାଷ୍ଟ୍ରମୁଖ୍ୟ, ପୂର୍ବତନ ରାଷ୍ଟ୍ରମୁଖ୍ୟ କିମ୍ବା ଗୃହ ସଦସ୍ୟଙ୍କ ବିୟୋଗରେ ଗୋଟିଏ ଦିନ ପାଇଁ ଗୃହ କାର୍ଯ୍ୟ ମୁଲତବି ରହିଥାଏ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ସମ୍ମାନାର୍ଥେ ଗୃହ କାର୍ଯ୍ୟ ଗୋଟିଏ ଘଣ୍ଟା ମୁଲତବି ରଖିବାକୁ ବାଚସ୍ପତି କହିବାରୁ ଶ୍ରୀ ମିଶ୍ର ଘୋର ବିରୋଧ କରିଥିଲେ। ଏହାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ପରେ ନିଷ୍ପତ୍ତି ହେଲା ୨୯ ତାରିଖ ଦିନ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସ୍ବର୍ଗତ ମୁଖାର୍ଜୀଙ୍କ ସମେତ ଅନ୍ୟ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯିବ। ମୌସୁମୀ ଅଧିବେଶନରେ ଆସିବାକୁ ଥିବା ବିଲ୍‌ ପାରିତ କରିବା ନେଇ ସହମତି ପ୍ରକାଶ ଉପରେ ବିତର୍କ ହେବାରୁ ଏହାକୁ ବୈଠକର ଏଜେଣ୍ଡାରୁ ବାଦ ଦିଆଯାଇଛି। ପ୍ରତ୍ୟେକ ସଦସ୍ୟମାନେ ଗୃହରେ ସାମାଜିକ ଦୂରତା ରକ୍ଷା ପାଇଁ ହୋଇଥିବା ସ୍ବତନ୍ତ୍ର ନିୟମ ପାଳନ କରିବେ।

ମୌସୁମୀ ଅଧିବେଶନ ଆରମ୍ଭ ଦିନକୁ ଛାଡ଼ି ବାକି ଦିନଗୁଡ଼ିକରେ ଗୃହର ପ୍ରଥମାର୍ଦ୍ଧ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟାର୍ଦ୍ଧ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର କରାଯାଇଛି। ଗୃହ ଚାଲୁଥିବା ସମୟରେ ବିଧାୟକ ଓ ମନ୍ତ୍ରୀମାନେ ନିଜ ଆସନରେ ବସି କହିବାକୁ ଅନୁରୋଧ କରାଯିବ। ଯଦି ସଦସ୍ୟ ଚାହିଁବେ ନିଜ ଆସନରେ ଠିଆ ହୋଇ ବିଧାୟକ ଓ ମନ୍ତ୍ରୀ କହିପାରିବେ। ଯେଉଁ ସଦସ୍ୟମାନେ ଗୃହକୁ ନ ଆସିପାରିବେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେବା ପାଇଁ ଭିଡିଓ କନଫରେନ୍‌ସିଂର ବ୍ୟବସ୍ଥା କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଗୃହରେ କୌଣସି ବିଲ୍‌ କିମ୍ବା ଅନ୍ୟ କାଗଜପତ୍ର ବିଧାୟକମାନଙ୍କୁ ବଣ୍ଟନ କରାଯିବନି। କେବଳ ମନ୍ତ୍ରୀ କିମ୍ବା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଶେଷ ଚିଠା ବା ସଂକ୍ଷିପ୍ତ ଉତ୍ତରକୁ ଆବଶ୍ୟକସ୍ଥଳେ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସମେତ ୭ ଜଣ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର