ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏଥିରେ ନିର୍ବାଚନ ପରିଚାଳନା ନେଇ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିର ନିୟମ, ଭୋଟର ତାଲିକା, ମତଦାନ ବେଳେ ଦେଖାଇବାକୁ ଥିବା ପରିଚୟପତ୍ର ଆଦି ବିଷୟରେ ସବିଶେଷ ବୁଝାଇଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଏଥର ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ୩୦.୮୦ଲକ୍ଷରୁ ୪୦ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ପୂର୍ବରୁ ନିର୍ବାଚନ ଖର୍ଚ୍ଚର ଟିକ୍ନିଖ୍ ହିସାବ ରଖିବା ଲାଗି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ପ୍ରାର୍ଥୀ ନିଜେ ଏବଂ ତାଙ୍କ ନିର୍ବାଚନ ଏଜେଣ୍ଟଙ୍କ ନାମରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲିବେ। ପ୍ରାର୍ଥୀ କିମ୍ବା ରାଜନୈତିକ ଦଳମାନେ ସେମାନଙ୍କର ସରକାରୀ ସାମାଜିକ ଗଣମାଧ୍ୟମ ଯଥା ଫେସବୁକ୍ ଓ ଟୁଇଟର୍ ମାଧ୍ୟମରେ ନିର୍ବାଚନ ପ୍ରଚାର କଲେ ତାହାର ଖର୍ଚ୍ଚ ସମ୍ପର୍କେର ପ୍ରାର୍ଥୀଙ୍କ ନିର୍ବାଚନ ହିସାବ ରେଜିଷ୍ଟରରେ ଥିବା କ୍ରମିକ ସଂଖ୍ୟା ୧୧ରେ ଲିପିବଦ୍ଧ କରି ୩୦ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ଏହି ସର୍ବଦଳୀୟ ବୈଠକରେ ବିଏସ୍ପିର ମଧୁସୂଦନ ଯାଦବ, ବିଜେପିର ରମାରଞ୍ଜନ ବଳିୟାରସିଂହ ଓ ଜୟନ୍ତ ଜେନା, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜୟନ୍ତ ଦାଶ ଓ ସଂଘମିତ୍ରା ଜେନା, କଂଗ୍ରେସର ଶିବାନନ୍ଦ ରାୟ, ବିଜେଡିର ଦେବୀ ପ୍ରସାଦ ମିଶ୍ର, ଏନ୍ସିପିର ବିକ୍ରମ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/sarbadaliya-baithak.jpg)