ବଜେଟ ଅଧିବେଶନର ଦିନକ ପୂର୍ବରୁ ସର୍ବଦଳୀୟ ବୈଠକ କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଦିନକ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସବୁ ଦଳର ବରିଷ୍ଠ ବିଧାୟକ ସାମିଲ ହୋଇଥିଲେ । ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡିଛନ୍ତି । ଆଉ ସବୁ ଦଳ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଆସନ୍ତାକାଲି ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଫେବୃୟାରୀ ୧୮ରେ ବଜେଟ ଉପସ୍ଥାପିତ ହେବ ଓ ବଜେଟ ଉପରେ ସାଧାରଣ ଆଲୋଚନା ତିନି ଦିନ ଯାଏଁ ଚାଲିବ ।

ବିଭାଗୀୟ ସ୍ଥାୟୀ କମିଟିମାନଙ୍କର ରିପୋର୍ଟ ଉପସ୍ଥାପନ ପାଇଁ ଗୋଟିଏ ଦିନ ରହିବ । ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ପାଇଁ ୧୪ ଦିନ କାର୍ଯ୍ୟସୂଚୀ ରହିଛି । ବଜେଟ ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ସବୁ ପ୍ରସଙ୍ଗରେ ବିରୋଧୀଙ୍କୁ ମାତ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ ।

ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ରଣନୀତିକୁ କେମିତି ଦିଗହରା କରାଯିବ ସେନେଇ ବୈଠକରେ ବିଚାର ବିମର୍ଶ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିଧାନସଭାରେ ଉଠାଯିବ | ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ପ୍ରସଙ୍ଗରେ ଆଲୋଚନା ଓ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ସମ୍ବନ୍ଧିତ ଖବର