ଜୟପୁର: ଆସନ୍ତା ପୌର ନିର୍ବାଚନ ପାଇଁ ଆଜି ଜୟପୁର ପୌରପାଳିକା ସଭାଗୃହ ଠାରେ ପୌର ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ନେତା ଉପସ୍ଥିତ ଥିଲେ। ନାମାଙ୍କନ ପତ୍ର କିଣିବା ଠାରୁ ଆରମ୍ଭ କରି ନିର୍ବାଚନ ଆଚରଣବିଧି ଓ ପ୍ରଚାର ପର୍ଯ୍ୟନ୍ତ ସମସ୍ତ ବିଷୟରେ ଆଲୋଚନା କରାଯାଇଛି। ଭୋଟରମାନେ ଚଳିତ ନିର୍ବାଚନରେ ଦୁଇଟି ଲେଖାଏଁ ଭୋଟ ପ୍ରଦାନ କରିବା ସହ ନୋଟାର ବ୍ୟବସ୍ଥା ରହିଥିବା ନେଇ କହିଛନ୍ତି।
ପୌର ନିର୍ବାଚନରେ ଗୋଟିଏ ବୁଥରେ ଦୁଇଟି କେବିନ୍ ରହିବ, ଗୋଟିକରେ ଅଧ୍ୟକ୍ଷ ଓ ଅନ୍ୟ ଗୋଟିଏରେ କାଉନସିଲର ପାଇଁ ଭୋଟ ଦେବେ। ପୋଲିଂ ଦଳ ଭୋଟରକୁ ଦୁଇଟି (ଗୋଲାପି ଓ ହଳଦିଆ) ରଙ୍ଗର ସ୍ଲିପ୍ ପ୍ରଦାନ କରିବେ। ଗୋଲାପୀ ସ୍ଲିପ ଦେଖାଇ ଅଧ୍ୟକ୍ଷ ଓ ହଳଦିଆ ସ୍ଲିପ ଦେଖାଇ କାଉନସିଲରକୁ ଭୋଟ ଦେବେ। ମତଦାନର ସମୟସୀମା ମଧ୍ୟ ବୃଦ୍ଧି ହୋଇଛି। ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲୁ ରହିବ। ନାମାଙ୍କନ ପତ୍ର ଦାଖଲ ସମୟରେ ବଡ ବିଶାଳ ରାଲିକୁ ବାରଣ କରାଯାଇଛି। ଏଥିସହ ନାମାଙ୍କନ କକ୍ଷରୁ ପାର୍ଥୀଙ୍କ ସହିତ ଜଣେ ପ୍ରସ୍ତାବକ, ଜଣେ ସମର୍ଥକ ଓ ଲିଗାଲ ଆଡଭାଇଜର ରହିପାରିବେ। କାଉନସିଲର ପାର୍ଥୀ ପୌରପାଳିକାର ଯେଉଁ ୱାର୍ଡର ହୋଇଥିଲେ ମଧ୍ୟ ନିଜ ଇଚ୍ଛା ମୁତାବତ ୱାର୍ଡରେ ଲଢ଼େଇ କରିପାରିବେ କିନ୍ତୁ ତାଙ୍କର ପ୍ରସ୍ତାବକ ଓ ସମର୍ଥକ ଲଢ଼ୁଥିବା ୱାର୍ଡର ହିଁ ହୋଇଥିବେ। ଏଥିସହ ଅଧ୍ୟକ୍ଷ ପଦବୀ ପାର୍ଥୀ, ପ୍ରସ୍ତାବକ ଓ ସମର୍ଥକ ଯେଉଁ ୱାର୍ଡର ହେଲେ ମଧ୍ୟ ଚଳିବ।
ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ପ୍ରସାର ବନ୍ଦ ହୋଇଯିବ। ଏଥିସହ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ପାର୍ଥୀମାନେ ପ୍ରଚାର କରିପାରିବେ। ଅଧ୍ୟକ୍ଷ ପଦ ପାଇଁ ୪ଟି ଗାଡି ଓ କାଉନସିଲର ପଦ ପାଇଁ ୨ଟି ପ୍ରଚାର ଗାଡି ରହିପାରିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଏଥିସହ ସରକାରୀ ଅନୁଷ୍ଠାନ, ବିଦ୍ୟାଳୟ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇପାରିବ ନାହିଁ ବୋଲି କହିଥିଲେ। ଏଥିରେ ତହସିଲଦାର ପ୍ରଧାନ ଟୁଲିଆମ୍ମା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଅତିରିକ୍ତ ତହସିଲାର ଅଶ୍ବିନୀ ମହାପାତ୍ର, ମାନସ ରଞ୍ଜନ ଘଡେଇ ଓ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/4a4d675f-2ffa-43b4-8f18-6f1a7b80dd30.jpg)