ପିପିଲି ଉପ-ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ, ଜଣେ ପ୍ରାର୍ଥୀ ସର୍ବାଧିକ ୩୦.୮  ଲକ୍ଷ ଟଙ୍କା ବ୍ୟୟ କରିପାରିବେ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ଅବସରରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ବାରା ଘୋଷିତ ତାରିଖ ଓ ଅନ୍ୟ ଜରୁରୀ ବିଷୟ ସମ୍ପର୍କରେ ସେ ଦଳମାନଙ୍କୁ ଅବଗତ କରାଇଥିଲେ ।

ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା ହେବା ପରଠାରୁ ସମଗ୍ର ଜିଲ୍ଲାରେ ଓ ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି ।  ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଏହି ଆଚରଣ ବିଧି ଲାଗୁ କରାଯାଇଛି । ଆଚରଣବିଧି ଲାଗୁ ହୋଇଥିବା ଅଞ୍ଚଳରେ ପୂର୍ବରୁ ଜାରି ରହିଥିବା କାମ ଜାରି ରହିବ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି ।

ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନେ ନିର୍ବାଚନ ସମ୍ପର୍କିତ ଖର୍ଚ୍ଚ ଏକ ରେଜିଷ୍ଟରରେ ଲିପିବଦ୍ଧ କରି ରଖିବେ । ଜଣେ ପ୍ରାର୍ଥୀ ସର୍ବାଧିକ ୩୦ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ପ୍ରାର୍ଥୀମାନେ ଦୈନନ୍ଦିନ ନିର୍ବାଚନ ସଂପର୍କିତ ଖର୍ଚ୍ଚକୁ ରେଜିଷ୍ଟରରେ ଲେଖିବେ ଓ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ପର୍ଯ୍ୟବେକ୍ଷକ ଏହାକୁ ତିନିଥର ଯାଞ୍ଚ କରିବେ । ନିର୍ବାଚନବେଳେ କୋଭିଡ କଟକଣା ପାଳନ କରାଯିବ । ଏହି ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସର ଭୋଟର, ଦିବ୍ୟାଙ୍ଗ ଓ ସଂଦିଗ୍ଧ କୋଭିଡ ରୋଗୀ ଓ କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । କୌଣସି ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ଥିଲେ, ସେ ଏସମ୍ପର୍କରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ଅତିକମରେ ତିନିଥର ପ୍ରଚାର କରିବେ ।

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅନୁସାରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ଏଥର ଉପନିର୍ବାଚନ ପ୍ରଚାର ନିମନ୍ତେ ୩୦ରୁ ଅଧିକ ଓ ଅନ୍ୟ ଦଳମାନେ ୧୫ରୁ ଅଧିକ ତାରକା ପ୍ରଚାରକ ଆଣିପାରିବେ  ନାହିଁ । ଏହି ବୈଠକରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର