ବିଧାନସଭା ପାଇଁ ୨୫ରେ ସର୍ବଦଳୀୟ ବୈଠକ

ମୌସୁମୀ ଅଧିବେଶନରେ ଆସିବ ୯ଟି ଅଧ୍ୟାଦେଶ ବିଲ
ସାମାଜିକ ଦୂରତା ରକ୍ଷା ପାଇଁ ଗୃହରେ ସ୍ବତନ୍ତ୍ର ପ୍ରସ୍ତୁତି
ବଛାବଛା ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଳିପାରେ ଅନୁମତି

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। କରୋନା ମହାମାରୀ ସମୟରେ ଶୃଙ୍ଖଳା ଓ ସୁରକ୍ଷିତ ଭାବେ କିପରି ଗୃହ କାର୍ଯ୍ୟ ଚାଲିବ, ସେ ନେଇ ଆସନ୍ତା ୨୫ ତାରିଖ ସକାଳ ୧୧ଟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହାସହିତ ବିଧାୟକମାନଙ୍କ ଭିତରେ ସାମାଜିକ ଦୂରତା ଓ ସଂକ୍ରମଣ ପ୍ରତିହତ ପାଇଁ ଗୃହ ଭିତରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଉଛି। ୮ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ପୂର୍ବରୁ ଜାରି କରିଥିବା ୯ଟି ଅଧ୍ୟାଦେଶ ଉପରେ ବିଲ ଆଗତ କରି ପାରିତ କରାଇବେ। ଏଥିପାଇଁ ଆଜି ସରକାରଙ୍କ ପକ୍ଷରୁ ସମସ୍ତ ବିଲ ବିଧାନସଭା ସଚିବାଳୟକୁ ପ୍ରଦାନ କରାଯାଇଛି।

ଗୃହ ପରିଚାଳନା ନେଇ ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇ କହିଛନ୍ତି, ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଦାବି କରିଆସୁଥିଲେ। କୋଭିଡ୍‌ କଟକଣା ଭିତରେ ବିଧାନସଭା ବସୁଥିବାରୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ବୈଠକରେ ନେତାମାନଙ୍କ ସହ ଆଲୋଚନା କରାଯିବ। ସଂସଦରେ ଯେପରି ନିୟମ ଅନୁପାଳନ କରାଯାଇ ଗୃହ କାର୍ଯ୍ୟ ଚାଲୁଛି, ସେହିପରି ବିଧାନସଭାରେ ମଧ୍ୟ ସମାନ ନିୟମକୁ ଅନୁପାଳନ କରିବା ପାଇଁ ଆପାତତଃ ସ୍ଥିର କରାଯାଇଛି। ଏହି ଅଧିବେଶନରେ ପ୍ରଶ୍ନକାଳ ହେବନାହିଁ। ତେବେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ରହିବ କି ନାହିଁ ସେ ସମ୍ପର୍କରେ ବିରୋଧୀ ଓ ସରକାରୀ ଦଳର ନେତାମାନଙ୍କ ସହ ବିସ୍ତୃତ ଆଲୋଚନା ହେବ। ଗୃହ ଭିତରେ ବିଧାୟକମାନଙ୍କ ଆସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ସାମନାରେ ସ୍ବଚ୍ଛ ଫାଇବର୍‌ ଗ୍ଲାସ୍‌ ଲଗାଯାଉଛି। ବିଧାୟକ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଜେ ବାଚସ୍ପତି ଏହି କାର୍ଯ୍ୟକୁ ଯାଞ୍ଚ କରିଛନ୍ତି।

୨୦୨୦ ଏପ୍ରିଲ ମାସରୁ ଚଳିତମାସ ସୁଦ୍ଧା ବିଭିନ୍ନ ବିଭାଗର ୯ଟି ଅଧ୍ୟାଦେଶକୁ ସରକାର ବିଲ୍‌ ଆକାରରେ ଏହି ଅଧିବେଶନରେ ଗୃହରେ ପାରିତ କରାଇବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସେଥିରେ ସମବାୟ ବିଭାଗର ଚୁକ୍ତିଭିତ୍ତିକ କୃଷି (କଣ୍ଟ୍ରାକ୍ଟ୍‌ ଫାର୍ମିଂ) ବିଲ୍‌ ଓ ଓଡ଼ିଶା କୃଷି ଉତ୍ପାଦ ଓ ବିପଣନ (ଓଏପିଏମ୍‌)-୧୯୫୬କୁ ଉଚ୍ଛେଦ କରି ତା ସ୍ଥାନରେ ନୂଆ ଓଏପିଏମ୍‌ ବିଲ୍‌ ସରକାର ଆଣିବେ। ସେହିପରି ଅର୍ଥ ବିଭାଗର ଓଡ଼ିଶା ଦ୍ରବ୍ୟ ଓ ସେବାକର (ଓଜିଏସ୍‌ଟି) ଆଇନ ସଂଶୋଧନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମହାମାରୀ ଆଇନ-୧୮୯୭ରେ ସଂଶୋଧନ, ଶ୍ରମ ଓ ଇଏସଆଇ ବିଭାଗର ଓଡ଼ିଶା ପରିପ୍ରେକ୍ଷୀରେ ଲାଗୁ କରିବା ପାଇଁ ଶିଳ୍ପ ବିବାଦ ଅଧିନିୟମ-୧୯୪୭ରେ ଆବଶ୍ୟକ ସଂଶୋଧନ, ଉଚ୍ଚଶିକ୍ଷା ବିଭାଗର ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ ସଂଶୋଧନ ସହିତ ରେଭେନ୍‌ସା ବିଶ୍ବବିଦ୍ୟାଳୟ ଆଇନ ଉଚ୍ଛେଦ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ମହାନଗର ନିଗମ-୨୦୦୩ରେ ଆବଶ୍ୟକ ସଂଶୋଧନ କରାଯାଇ ଜାରି ଅଧ୍ୟାଦେଶ ବିଲ୍‌, ଆଇନ ବିଭାଗର କୋର୍ଟ ଫି ଆଇନ ସଂଶୋଧନ ଓ ଆଇନଜୀବୀଙ୍କ କଲ୍ୟାଣ ପାଣ୍ଠି ଆଇନ୧୯୮୭ରେ ସଂଶୋଧନ ସଂକ୍ରାନ୍ତ ବିଲଗୁଡ଼ିକୁ ଗୃହରେ ପାରିତ କରାଯିବ।

ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତ ୧୪ ତାରିଖରେ ଅନୁମତି ପ୍ରଦାନ କରିସାରିଛନ୍ତି। ନିୟମ ଦୃଷ୍ଟିରୁ ଅଧିବେଶନ ବସିବା ନେଇ ଧାର୍ଯ୍ୟ ତାରିଖ ଉପରେ ରାଜ୍ୟପାଳ ମୋହର ମାରିସାରିବା ପରେ ଆଉ କୌଣସି ଅଧ୍ୟାଦେଶକୁ ଗ୍ରହଣ କରାଯିବ ନାହିଁ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ମେ’ ଓ ଅଗଷ୍ଟ ମାସରୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ଯଥାକ୍ରମେ ଶ୍ରମ ଓ ଇଏସ୍‌ଆଇ ବିଭାଗର ସଂଶୋଧିତ ଫ୍ୟାକ୍ଟ୍ରିଜ୍‌ ଆଇନ-୧୯୪୮ ଅଧ୍ୟାଦେଶ ଓ ସଂଶୋଧିତ ଠିକା ଶ୍ରମିକ (କଣ୍ଟ୍ରାକ୍ଟ୍‌ ଲେବର)ଆଇନ-୧୯୭୦ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ସରକାର ପଠାଇଥିଲେ। ଯେହେତୁ ଏହି ଦୁଇଟି ଯାକ ଆଇନ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ହୋଇଛି ଏଥିରେ ଆବଶ୍ୟକ ସଂଶୋଧନ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ତର୍ଜମା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ ପଡ଼ିଥାଏ। ଏବେ ବିଧାନସଭା ଅଧିବେଶନ ଡକାଯିବା ପରେ ଦୁଇଟି ଯାକ ଅଧ୍ୟାଦେଶ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ସେଥିପାଇଁ ନିୟମ ଦୃଷ୍ଟିରୁ ଦୁଇଟି ଅଧ୍ୟାଦେଶ ସଂକ୍ରାନ୍ତ ବିଲ୍‌ ମୌସୁମୀ ଅଧିବେଶନରେ ଆସିପାରିବ ନାହିଁ ବୋଲି ରାଜଭବନ ପକ୍ଷରୁ ସରକାରଙ୍କୁ ଜଣାଇ ଦିଆଯାଇଛି।

ଅନ୍ୟପଟେ ବିଧାନସଭା ଅଧିବେଶନରେ ସାମ୍ବାଦିକମାନଙ୍କୁ ସମ୍ବାଦ ସଂଗ୍ରହ ପାଇଁ ବିଧାନସୌଧକୁ ଛଡ଼ାଯିବ କି ନାହିଁ, ସେ ନେଇ ଏବେ ବି ଚିତ୍ର ସ୍ପଷ୍ଟ ହୋଇପାରିନି। ମିଳିଥିବା ତଥ୍ୟ ଅନୁଯାୟୀ, ବିଧାନସଭା ହଲରେ ଥିବା ପ୍ରେସ୍‌ ଗ୍ୟାଲେରିକୁ ମଧ୍ୟ ସ୍ବଚ୍ଛ ଫାଇବର୍‌ ଗ୍ଲାସ୍‌ରେ ଆବଦ୍ଧ କରାଯାଉଛି। ରାଜ୍ୟର ପ୍ରତିଷ୍ଠିତ ଖବରକାଗଜର ୨୦ରୁ ୨୫ ଜଣ ସାମ୍ବାଦିକମାନଙ୍କୁ ଅଧିବେଶନ ସମୟରେ ଖବର ସଂଗ୍ରହ କରିବାକୁ ଅନୁମତି ଦିଆଯିବ। ଏଥିପାଇଁ ଗୋଟିଏ ପ୍ରସ୍ତାବ ବାଚସ୍ପତିଙ୍କ ବିଚାରାଧୀନ ଅଛି। ଏହାସହିତ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ବିଧାନସଭା ପୂର୍ବପଟ ଫାଟକ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ପଛପଟେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସେହିଠାରେ ହି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଭିଡିଓ ଚିତ୍ର ଆଦି ଯୋଗାଇ ଦିଆଯିବ। ଆବଶ୍ୟକପଡ଼ିଲେ ବିଧାୟକମାନେ ସେହିଠାରେ ପ୍ରତିକ୍ରିୟା ଦେଇପାରିବେ। ତେବେ ଏ ନେଇ ଆସନ୍ତା ଦିନେ ଦୁଇଦିନ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର