କରୋନା ମୁକାବିଲା ପାଇଁ ରାଜ୍ୟ ଆଉ ପାଦେ: ୧୭ରେ ସର୍ବଦଳୀୟ ବୈଠକ

କୋଭିଡ୍‌ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ବିରୋଧୀଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ ନରସିଂହ

ଭୁବନେଶ୍ବର : ନାକେଦମ୍‌ କଲାଣି କୋଭିଡ ଦ୍ବିତୀୟ ଲହରୀ ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦୈନିକ ପ୍ରାୟ ୧୦ ହଜାର ତଳକୁ ଖସୁନି। ଏଭଳି ସଂକଟ ସମୟରେ ବିରୋଧୀଙ୍କୁ ବିଶ୍ବାସକୁ ନେଇ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ମହାମାରୀର ମୁକାବିଲା କରିବାପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ୧୭ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବିଧାନସଭା ସମ୍ମିଳନୀ କକ୍ଷରେ ସବୁ ଦଳର ବିଧାୟକମାନେ ଭାଗନେବା ପାଇଁ ବ୍ୟବସ୍ଥା କରାଯାଇଛି। ଖୁବ୍‌ଶୀଘ୍ର ବିଧାନସଭା ସଚିବାଳୟ ପକ୍ଷରୁ ସବୁ ବିଧାୟକମାନଙ୍କୁ ଏ ସଂକ୍ରାନ୍ତ ଚିଠି ପଠାଯିବ। ତେବେ ସର୍ବଦଳୀୟ ବୈଠକ କେବଳ ଔପଚାରିକତାରେ ସୀମିତ ନ ରହୁ ବୋଲି ବିରୋଧୀ ମତ ରଖିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଲୋଚନାରେ ୧୪୬ ଜଣ ବିଧାୟକ ଭାଗ ନେବା ପାଇଁ ଭିଡିଓ କନଫରେନ୍‌ସିଂର ବ୍ୟବସ୍ଥା କରାଯାଇଛି। ଯଦି କୌଣସି ବିଧାୟକ ବିଧାନସଭା ସମ୍ମିଳନୀ କକ୍ଷକୁ ଆସି ନ ପାରିବେ, ତାହେଲେ ସେ ନିଜ ଜିଲ୍ଲା କିମ୍ବା ନିର୍ବାଚନମଣ୍ଡଳୀରେ ରହି ଭିଡିଓ କନଫରେନ୍‌ସିଂ ଜରିଆରେ ଭାଗ ନେଇ ନିଜ ଅଞ୍ଚଳରେ କୋଭିଡ୍‌ ମହାମାରୀର ପ୍ରକୋପ, ସ୍ବାସ୍ଥ୍ୟସେବା, ଔଷଧ, ଡାକ୍ତର, ନର୍ସ, ଅକ୍ସିଜେନ୍‌ ସୁବିଧା ଆଦି ଅଭାବ ଓ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିପାରିବେ। ଏହାସହିତ ଆଗକୁ କିପରି ଆହୁରି ଦକ୍ଷତା ଓ ସଫଳତାର ସହ ମହାମାରୀକୁ ସାମନା କରିହେବ, ସେ ନେଇ ସରକାରଙ୍କୁ ପରାମର୍ଶ ବି ଦେଇପାରିବେ।

ସର୍ବଦଳୀୟ ବୈଠକ ସମ୍ପର୍କରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଔପଚାରିକତା ଦୃଷ୍ଟିରୁ ବିରୋଧୀଙ୍କ ସହ ଆଲୋଚନା ପାଇଁ ଏପରି ବୈଠକ ଡାକିଦେଲେ ହେବନାହିଁ। ବାସ୍ତବରେ ସ୍ଥିତି ଅତି ଗମ୍ଭୀରରୁ ଗମ୍ଭୀରତର ହେବାକୁ ବସିଲାଣି। ଆମେମାନେ ଜନପ୍ରତିନିଧି। ଲୋକଙ୍କ ସମସ୍ୟା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନିଜ ନିଜ ଜିଲ୍ଲାରେ କିପରି ରହିଛି ସେ ସମ୍ପର୍କରେ ଭଲଭାବେ ପରିଚିତ ଅଛୁ। ଏହି ମହାମାରୀ ସମୟରେ କଣ କଲେ ସ୍ବାସ୍ଥ୍ୟସେବା ଲୋକଙ୍କୁ ସହଜ ଓ ସୁବିଧାରେ ମିଳିପାରିବ ସେ ନେଇ ସରକାରଙ୍କୁ ପରାମର୍ଶ ଦେବୁ। ସରକାର ଖାଲି ପରାମର୍ଶଗୁଡ଼ିକୁ ଶୁଣି ଓ ଲେଖି କରି ଫାଇଲରେ ରଖିଦେଲେ ହେବନାହିଁ। ବିରୋଧୀଙ୍କ ପରାମର୍ଶକୁ ଗୁରୁତ୍ବ ଦେଇ କାର୍ଯ୍ୟରେ ଲଗାଇବା ଉଚିତ୍‌। ତା’ହେଲେ ଯାଇ ସଫଳତାର ସହ ଏହି ମହାମାରୀରୁ ଲୋକଙ୍କ ଜୀବନ ବଞ୍ଚାଇହେବ। ମାଗଣା ଚାଉଳ ସହ ଗରିବଙ୍କୁ ମାସିକ ୨ ହଜାର ଟଙ୍କା ନଗଦ ବି ଦେବାକୁ ଶ୍ରୀ ମିଶ୍ର ପୂର୍ବରୁ କରିଥିବା ଦାବି ଦୋହରାଇଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଭିଯୋଗ କରି କହିଛନ୍ତି, ଏ ସରକାର କୋଭିଡ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଦୋଷ ଛଡ଼ାଇବାକୁ ବିରୋଧୀଙ୍କୁ ଡାକି ସର୍ବଦଳୀୟ ବୈଠକ କରୁଛନ୍ତି। ଏପରି କରି ସରକାର ବାହାବା ନେବେ ବୋଲି ଯୋଜନା କରିଛନ୍ତି। ଗତବର୍ଷ କୋଭିଡ ମହାମାରୀର ପ୍ରକୋପ ସମୟରେ ଏପରି ବୈଠକ ଡାକି ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ପରାମର୍ଶ ଓ ମତ ନେଇଥିଲେ। କିନ୍ତୁ କରୋନା ରୋଗୀଙ୍କ ସ୍ବାସ୍ଥ୍ୟ ସେବେଠୁ ଆରମ୍ଭ କରି ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ପର୍ଯ୍ୟନ୍ତ ଯାହା ବି ପ୍ରସ୍ତାବ ବିଧାୟକମାନେ ଦେଇଥିଲେ ତାକୁ ଜିଲ୍ଲା ପ୍ରଶାସନ ଗ୍ରହଣ କଲେନାହିଁ କି କାର୍ଯ୍ୟକାରୀ କଲେନାହିଁ।

ଚଳିତ ବର୍ଷ କୋଭିଡର ଦ୍ବିତୀୟ ଲହର ୨ ମାସ ତଳୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ଆରମ୍ଭ ହେଲା। ସେବେଠାରୁ ମୁଖ୍ୟମନ୍ତ୍ରୀ ସତର୍କ ହୋଇ ମହାମାରୀ ଦାଉରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବାର ଥିଲା। ଏବେ ପରିସ୍ଥିତି ଅସମ୍ଭାଳ ହେଲାଣି। ଜିଲ୍ଲା ସ୍ତରରେ ବିଧାୟକମାନଙ୍କୁ ପ୍ରଶାସନ ସହଯୋଗ କରୁନାହିଁ। ଟୋଲ୍‌ ଫ୍ରି ନମ୍ବର କାମ କରୁନାହିଁ। କୌଣସି ରୋଗୀଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ଡାକ୍ତକଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଗଲେ କୌଣସି ଉତ୍ତର ମିଳେନାହିଁ। ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି, ରାଜ୍ୟବାସୀଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ତାହେଲେ ସର୍ବଦଳୀୟ ବୈଠକର ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରନ୍ତୁ। ତା ନ ହେଲେ ଏପରି ବୈଠକ ଡାକି ଆଲୋଚନା କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଶ୍ରୀ ମାଝୀ ରୋକଠୋକ କହିଛନ୍ତି।

ସମ୍ବନ୍ଧିତ ଖବର