ଭୁବନେଶ୍ବର: ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଛଅଟି ଏଜେଣ୍ଡା ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି।ମଦମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏହି ବୈଠକରେ ପ୍ରସ୍ତାବ ଦେଇଛନ୍ତି। ତା’ସହିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୧ଲକ୍ଷ ୬୦ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ କରିବାକୁ ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି। ଏହା ପୂର୍ବରୁ ୮୦ହଜାର ଟଙ୍କା ଥିଲା ଖର୍ଚ୍ଚ ସୀମା।
ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇବା ଲାଗି ଦାବି ହୋଇଛି। ସେହିପରି ଭୋଟ ଗ୍ରହଣ ସମୟ ଅବଧି ବଢାଇବାକୁ ଦାବି ହୋଇଛି। ସଂଶୋଧିତ ଭୋଟର ତାଲିକାରେ ଯୁବବର୍ଗଙ୍କୁ ସାମିଲ କରିବା ସହ ନକଲି ଭୋଟର କାର୍ଡକୁ ଚିହ୍ନଟ କରି ନାକଚ କରିବାକୁ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ।