୩୧ ଯାଏ ଟ୍ରେନ୍ ବନ୍ଦ, ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ଲାଗିଲା କଟକଣା

ଭୁବନେଶ୍ବର : ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ଲାଗି ରେଳବାଇ ବୋର୍ଡ ଘୋଷଣା କରିଛି। ‌ତେବେ ବାଟରେ ଥିବା ଟ୍ରେନ୍‌କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନୁମତି ମିଳିଛି।

ରାଜ୍ୟରୁ ଯାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ମାର୍ଚ୍ଚ ୨୩ ତାରିଖ ପୂର୍ବାହ୍ନ ୧୧ଟା ପରେ ଓଡ଼ିଶାକୁ ବାହାର ରାଜ୍ୟର କୌଣସି ବସ୍୍‌କୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ମାର୍ଚ୍ଚ ୨୩ ତାରିଖ ପୂର୍ବାହ୍ନ ୧୧ଟା ପରେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ କୌଣସି ଆନ୍ତଃରାଜ୍ୟ ବସ୍ ଚଳାଚଳ କରିବ ନାହିଁ।

କେନ୍ଦ୍ର ସରକାରଙ୍କ ଏଭଳି ନିର୍ଦେଶନାମା ସହିତ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ନିର୍ଦେଶରେ ଆଜି ସମଗ୍ର ରାଜ୍ୟ ଜନତା କର୍ଫ୍ୟୁକୁ ଅନୁଶାସନ ଓ ଅତ୍ୟନ୍ତ ଶାଳୀନତାର ସହିତ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ସମ୍ପୁର୍ଣ୍ଣ ଲକ୍ ଡାଉନ୍ ବା ତାଲାବନ୍ଦ ପାଳନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଦ୍ରବ୍ୟ ଓ ସେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁଏକ ରାଜ୍ୟସ୍ତରୀୟ ମନିଟରିଂ ୟୁନିଟ୍ ଗଠନ କରିଛନ୍ତି। ଏହି କମିଟି ଆବଶ୍ୟକତା ଆକଳନ କରିବା ସହିତ ବିଭିନ୍ନ ଦ୍ରବ୍ୟର ପରିବହନକୁ ତଦାରଖ କରିବ।

ପ୍ରତିବନ୍ଧକ ଦୂର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହା ମଧ୍ୟ ବ୍ୟବସାୟୀ ଓ ପରିବହନପ୍ରାପ୍ତ ସାମଗ୍ରୀର ପରିବହନ ସହ ସଂପୃକ୍ତ ବ୍ୟକ୍ତି ବା ଟ୍ରାନ୍‌ସପୋର୍ଟରଙ୍କୁ ନିଜ ନିଜ ସମସ୍ୟା ଉପସ୍ଥାପନ ଏବଂ ସମାଧାନ ନିମନ୍ତେ ସୁଯୋଗ ଦେବ। ତେବେ କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ପରି ପରମିଟ୍‌ପ୍ରାପ୍ତ ସାମଗ୍ରୀର ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ପରମିଟ୍‌ପ୍ରାପ୍ତ ଯାନବାହନ ଗୁଡିକ ବିନା ବାଧାରେ ଚଳାଚଳ କରିପାରିବେ।

ଶ୍ରୀ ବାଗ୍‌ଚୀ ଆହୁରି କହିଛନ୍ତି ଯେ ଗହଳିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ପାଇକାରୀ ଦୋକାନ (ହୋଲସେଲ୍ ମାର୍କେଟ୍)କୁ ପର୍ଯ୍ୟାୟକ୍ରମେ ସମୟ ସାରଣୀ ମୁତାବକ ୨୪ ଘଣ୍ଟା ଖୋଲା ରଖାଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପୁଲିସ, ପରିବହନ ବିଭାଗର କ୍ଷେତ୍ର କର୍ମଚାରୀବୃନ୍ଦଙ୍କୁ ପରମିଟ୍‌ପ୍ରାପ୍ତ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଚଳାଚଳକୁ ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯେଉଁ ନିର୍ଦେଶନାମା ଜାରି କରିଛନ୍ତି, ସେ ଅନୁସାରେ ସେମାନେ କାର୍ଯ୍ୟ କରିବେ।

ବ୍ୟବସାୟୀ, ଦୋକାନୀ, ହୋଲସେଲରମାନେ ପରମିଟ୍‌ପ୍ରାପ୍ତ ସାମଗ୍ରୀ ପରିବହନ ବାବଦରେ କୌଣସି ସମସ୍ୟା ବା ଆପତ୍ତି ଅଭିଯୋଗ ନେଇ ସଂଯୋଗ ହେଲ୍‌ପଲାଇନ୍ ନିଃଶୁକ୍ଳ ନଂ-୧୫୫୩୩୫କୁ ବ୍ୟବହାର କରିପାରିବେ ବୋଲି ସୂଚନା ଦେଇ ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଏହି ହେଲ୍‌ପ ଲାଇନ୍ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଇ ସିଫ୍ଟ କାର୍ଯ୍ୟ କରିବ। ରୋଗୀଙ୍କ ସଂସ୍ପର୍ଶରେ ବର୍ତମାନ ୫୬ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୩ଜଣଙ୍କ ସହ ଯୋଗାଯୋଗ ହୋଇଛି। ଅନ୍ୟ ୩ଜଣଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା ଚାଲିଛି। ୯ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବର୍ତମାନ ସୁଦ୍ଧା ୩୪୭୪ଜଣ ୧୦୪ ହେଲ୍‌ପଲାଇନରେ ପଞ୍ଜୀକରଣ କରିଛନ୍ତି। କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୮ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ ବା ପୃଥକାବାସରେ ରଖାଯାଇଛି। ସେହିଭଳି ହୋମ୍ କ୍ବାରାଣ୍ଟିନ୍ ବା ସଙ୍ଗରୋଧ ମାର୍ଗଦର୍ଶିକା ପାଳନ କରୁନଥିବା ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକଳାପରେ ଜଡିତ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ନାମରେ କଟକର ପୁରୀ ଘାଟ ଥାନା ପୁଲିସ ଫୌଜଦାରୀ ମକଦ୍ଦମା ରୁଜୁ କରିଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ସୁରକ୍ଷା ଦୃଷ୍ଟିରୁ ପରିଚୟ ଗୋପନ ରଖାଯାଇଛି।

କ୍ରୀଡା ଓ ଯୁବ ସେବା ବିଭାଗ ଅଧୀନରେ ଥିବା ସମସ୍ତ ଛାତ୍ରାବାସ ମାର୍ଚ୍ଚ ୨୩ରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଅନ୍ତେବାସୀଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଭତ୍ତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବାକୁ ନିର୍ଦେଶ ଦିଆଯାଇଛି। ସୁରକ୍ଷିତ ଭାବେ ଗୃହକୁ ପ୍ରତ୍ୟାବର୍ତନ ପାଇଁ ସେମାନଙ୍କୁ ଖର୍ଚ୍ଚ ପ୍ରଦାନ କରାଯାଇଥିବା ଶ୍ରୀ ବାଗ୍‌ଚୀ କହିଛନ୍ତି।

ସମ୍ବନ୍ଧିତ ଖବର