ବିଶ୍ବଜିତ ଦାଶ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଏବେ ସବୁ ଯୋଜନା ବିଶ୍ବସ୍ତରୀୟ ହେଉଛି। ଯେଉଁଠି କିଛି ଗୋଟେ ବଡ଼ ପ୍ରକଳ୍ପର ଶିଳାନ୍ୟାସ ହେଉଛି ତାହା ବିଶ୍ବସ୍ତରୀୟ ହେବ ବୋଲି କୁହାଯାଉଛି। ରାଜ୍ୟ ସରକାର ସାରା ବିଶ୍ବରେ ଓଡ଼ିଶାର ନୂଆ ପରିଚୟ ସୃଷ୍ଟି କରିବା ପାଇଁ ଭୁବନେଶ୍ବର ଓ ରାଉରକେଲାରେ ଜାନୁଆରି ୨୦୨୩ରେ ହକି ବିଶ୍ବକପ୍ କରିବାକୁ ଯାଉଛନ୍ତି। ସାରା ବିଶ୍ବର ନାମୀ ଉଦ୍ୟୋଗପତିଙ୍କୁ ଆକୃଷ୍ଟ କରିବା ପାଇଁ ଦୁବାଇରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ନିବେଶକ ସମ୍ମିଳନୀ ହେଉଛି। ହେଲେ ଓଡ଼ିଶାକୁ ବିଶ୍ବର ଅନ୍ୟ ଦେଶ ସହ ସଂଯୋଗ କରିବାକୁ ରାଜ୍ୟ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିପାରୁନାହାନ୍ତି।
ପୂର୍ବ ଭାରତରେ ଝାଡ଼ଖଣ୍ଡ ପରେ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ଅନ୍ତର୍ଜାତୀୟ ବିମାନବନ୍ଦର ଅଛି, ହେଲେ ବିଦେଶକୁ ବିମାନ ଉଡ଼ାଣ ନାହିଁ। କେବଳ ଏତିକି ନୁହେଁ, ଝାଡ଼ଖଣ୍ଡ ତୁଳନାରେ ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଅଛି। ଝାଡ଼ଖଣ୍ଡ ତୁଳନାରେ ଓଡ଼ିଶାର ଅଧିକ ଲୋକ ବିଦେଶରେ ଅଛନ୍ତି। ଦୁବାଇରୁ ଆରମ୍ଭ କରି ବ୍ୟାଙ୍କକ୍ ପର୍ଯ୍ୟନ୍ତ ଯେଉଁଠିକୁ ବିମାନ ଉଡ଼ାଣ କଲେ ଯାତ୍ରୀ ହାଉଯାଉ ହେବେ। ହେଲେ ରାଜ୍ୟ ସରକାରଙ୍କର ଏନେଇ କିଛି ଯୋଜନା ନାହିଁ କି ଆଗ୍ରହ ନାହିଁ। ଫଳରେ ରାଜ୍ୟ ସରକାର ଦେଶ ଭିତରେ ଓଡ଼ିଶା ପର୍ଯ୍ୟଟନକୁ ନେଇ ଯେତେ ପ୍ରଚାର ପ୍ରସାର କଲେ ବି ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଓଡ଼ିଶା ଦୂରେଇ ଦୂରେଇ ଯାଉଛି।
ଦୁବାଇ ଓ ଆବୁଧାବିରେ ହଜାର ହଜାର ପ୍ରବାସୀ ଓଡ଼ିଆ ଅଛନ୍ତି। ବ୍ୟବସାୟୀ, ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପାଇପ୍ ମିସ୍ତ୍ରୀ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ଏହି ଦୁଇ ସହରରେ ଅଛନ୍ତି। ପ୍ରତିଦିନ ଏହି ଦୁଇ ସହରରୁ ବହୁ ଲୋକ ମୁମ୍ବାଇ ଓ ଦିଲ୍ଲୀ ହୋଇ ଭୁବନେଶ୍ବର ଆସୁଛନ୍ତି ଓ ଯାଉଛନ୍ତି। ଏପରିକି ଓଡ଼ିଶାର ବହୁ କାର୍ଗୋ, ସି ଫୁଡ୍ କୋଲକତା, ହାଇଦ୍ରାବାଦ, ବିଶାଖାପାଟଣା ଓ ବେଙ୍ଗାଲୁରୁ ବିମାନବନ୍ଦରରୁ ବିଦେଶକୁ ଯାଉଛି। କିନ୍ତୁ ଏଠାରୁ ସାମଗ୍ରୀ ନେବା ନେଇ କି ଆଣିବା ନେଇ କିଛି ବ୍ୟବସ୍ଥା ନାହିଁ। ଫଳରେ ବିଦେଶରୁ ଆସୁଥିବା ସାମଗ୍ରୀ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଏଠାରେ ଅଧିକ ଦାମ୍। ବହୁ ବ୍ୟବସାୟୀଙ୍କ ପାଖରେ ବିଦେଶକୁ ରତ୍ପାନି କଲା ଭଳି ସାମଗ୍ରୀ ଥିଲେ ବି ସେମାନଙ୍କ ପାଇଁ ସୁବିଧା ସୁଯୋଗ ନାହିଁ।
ବିଦେଶକୁ ବିମାନ ଉଡ଼ାଣ ସ୍ବପ୍ନ
ହକି ବିଶ୍ବକପ୍ ପାଇଁ ବିଦେଶୀ ପର୍ଯ୍ୟଟକ ଆସିବେ କେମିତି?
ବିଦେଶୀ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବାର ପ୍ରମୁଖ ବାଟ ବନ୍ଦ
ଦୁବାଇ କି ଆବୁଧାବିକୁ ବିମାନ ଉଡ଼ାଣ ହେଲେ ଭୁବନେଶ୍ବରରୁ ମଧ୍ୟ-ପୂର୍ବ ଦେଶ, ୟୁରୋପୀୟ ଦେଶସମୂହ, ଉତ୍ତର ଆମେରିକା, କାନଡା ଭଳି ଦେଶକୁ ଯୋଗାଯୋଗ ସୁବିଧା ହେବ। ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ସୁବିଧାରେ ଯାତାୟତ କରିପାରନ୍ତେ। ରାଜ୍ୟ ସରକାର ଦୁବାଇରେ ନିବେଶକ ସମ୍ମିଳନୀ କରିଥିଲେ ହେଁ ଯଦି ଦୁବାଇରୁ ଭୁବନେଶ୍ବରକୁ ସଂଯୋଗ କରି ବିମାନ ଚଳାଚଳ ନକରେ ତେବେ ସେଠାକାର ଉଦ୍ୟୋଗୀ ଆସିବା ସମ୍ଭାବନା କ୍ଷୀଣ। କେବଳ ଏତିକି ନୁହେଁ ବ୍ୟାଙ୍କକ୍ କି ସିଙ୍ଗାପୁରକୁ ବିମାନ ଯାତାୟତ କଲେ ବୌଦ୍ଧ ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶାକୁ ଯାତ୍ରୀ ଆସିବାର ସୁଯୋଗ ରହିଛି। ପୂର୍ବରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ଅଧିକ ଯାତ୍ରୀ ଯାଉଥିଲେ ହେଁ ରାଜ୍ୟ ସରକାରଙ୍କ ସହଯୋଗ ଅଭାବରୁ ଏହା ବନ୍ଦ ହୋଇଗଲା। ହେଲେ ଏହାକୁ ଚଳାଇବାକୁ କେହି ଉଦ୍ୟମ କଲେନି। ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ହେଲେ ଭୁବନେଶ୍ବରରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ, ଇଣ୍ଡୋନେସିଆ, ଆମେରିକା, ଆମେରିକା ପଶ୍ଚିମ ତଟବର୍ତ୍ତୀ ଅଞ୍ଚଳ, କାଲିଫର୍ଣ୍ଣିଆ, ଲସ୍ଆଞ୍ଜେଲ୍ସ ଭଳି ସହରକୁ ଯାତ୍ରୀମାନେ ସୁବିଧାରେ ଯାତାୟତ କରିପାରନ୍ତେ। ଏପରିକି କାଲିଫର୍ଣ୍ଣିଆ ଓ ଲସ୍ଆଞ୍ଜେଲ୍ସରେ ବହୁ ଓଡ଼ିଆ ଥିବାେବଳେ ସେମାନେ ସୁବିଧାରେ ଯାତାୟତ କରିପାରନ୍ତେ। ଅଷ୍ଟ୍ରେଲିଆକୁ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଧିକ ଖର୍ଚ୍ଚାନ୍ତ ହୁଏନ୍ତେନି।
ଅପରପକ୍ଷେ ରାଜ୍ୟ ସରକାର ଭୁବନେଶ୍ବରରୁ ପୁଣେକୁ ବିମାନ ଉଡ଼ାଣ ପାଇଁ ସବ୍ସିଡି ଦେଉଥିଲେ ହେଁ ବିଦେଶକୁ ଉଡ଼ାଣ ପାଇଁ ପଛଘୁଞ୍ଚା ଦେଉଛନ୍ତି। ରାଜ୍ୟ ସରକାରଙ୍କର ବିଦେଶକୁ ବିମାନ ଉଡ଼ାଣ କରିବା ନେଇ ଥିବା ମନୋଭାବ ଉପରେ ସନ୍ଦେହ ସୃଷ୍ଟି ହେବାର ବଡ଼ କାରଣ ହେଲା କୋଭିଡ ପାଇଁ ପ୍ରାୟ ଦୁଇ ବର୍ଷ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ଥିବାବେଳେ ବିମାନ କମ୍ପାନିଗୁଡ଼ିକ କ୍ଷତିରେ ଥିଲେ। ଏହି ସମୟରେ ରାଜ୍ୟ ସରକାର କୌଣସି ବିମାନ କମ୍ପାନି ସହ ଆଲୋଚନା କରିଥିଲେ ହୁଏତ କମ୍ ସବ୍ସିଡିରେ ସେମାନେ ରାଜି ହୋଇପାରିଥାନ୍ତେ। ରାଜ୍ୟ ସରକାର ବି ବିଭିନ୍ନ ସୁଯୋଗ ଦେଖାଇ ଆକର୍ଷଣ କରିପାରିଥାନ୍ତେ। କିନ୍ତୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଏତିକି ବି ହେଲାନି। ଭୁବନେଶ୍ବରକୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ହୋଟେଲ କ୍ରାଉନର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, କୋଭିଡ ଯୋଗୁଁ ବିଦେଶକୁ ବିମାନ ଚଳାଚଳ ବନ୍ଦ ଥିବାରୁ ଲୋକ ବାହାରକୁ ବୁଲିବାକୁ ଯାଇପାରିନଥିଲେ। ଏବେ ବହୁ ଲୋକ ବିଦେଶ ଟୁ୍ର୍ରେ ଯାଉଛନ୍ତି। ବିଭିନ୍ନ କମ୍ପାନି ସେମାନଙ୍କ ପ୍ରମୋସନ୍ ପାଇଁ ତାଙ୍କ ପ୍ରତିନିଧିଙ୍କୁ ନିୟମିତ ବିଦେଶ ପଠାଉଛନ୍ତି। ହେଲେ ସେମାନେ ବାହାର ରାଜ୍ୟରୁ ବିମାନରେ ଯାଉଛନ୍ତି। ଏପ୍ରିଲ ଓ ମେ’ ମାସରେ ଓଡ଼ିଶାରୁ ଅଧିକ ଲୋକ ବିଦେଶକୁ ବୁଲିବାକୁ ଯାଆନ୍ତି। ତେଣୁ ଏବେଠୁ ବିମାନ ଉଡ଼ାଣ ହେଲେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଯୋଜନା ସଫଳ ହୋଇପାରିବ। ପୂର୍ବରୁ ବ୍ୟାଙ୍କକ୍ ଏବଂ କ୍ବାଲାଲମ୍ପୁରକୁ ବିମାନ ସେବା ଚାଲିଥିବାବେଳେ ବହୁ ଲୋକ ବିଦେଶ ଯାଉଥିଲେ ଓ ବିଦେଶରୁ ବହୁ ଲୋକ ଆସୁଥିଲେ। ତେଣୁ ଏନେଇ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ କିଛି ପଦକ୍ଷେପ ନେବାକୁ ହେବ। ନଚେତ୍ ହକି ବିଶ୍ବକପ୍ରେ ଆଶାତୀତ ବିଦେଶୀ ପର୍ଯ୍ୟଟକ ହେବେନି। ମେକ୍ ଇନ୍ ଓଡ଼ିଶା କଲେ ବି ବିଦେଶୀ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବାକୁ ଅନ୍ତର୍ଜାତୀୟ ରୁଟ୍ରେ ବିମାନ ଉଡ଼ାଣ ରାଜ୍ୟ ସରକାରଙ୍କୁ ଦୁଇ ପାଦରେ ଆଗରେ ରଖିଥାନ୍ତା।