ବରଗଡ଼ : ବରଗଡ଼ ସଂସଦୀୟ କ୍ଷେତ୍ର ୨୦୧୮ ମସିହାରୁ ଚଳିତବର୍ଷ ମେ' ପର୍ଯ୍ୟନ୍ତ ୫ଟି ଉପନିର୍ବାଚନର ସମ୍ମୁଖୀନ ହୋଇସାରିଛି। ବିଜେପୁର ଦୁଇଟି, ପରେ ବ୍ରଜରାଜନଗର, ପଦ୍ମପୁର ଏବଂ ସଦ୍ୟ ଭାବେ ଝାରସୁଗୁଡ଼ାରେ ଉପନିର୍ବାଚନ ସରିଛି। ୨୦୧୯ରେ ସାଧାରଣ ନିର୍ବାଚନ। ପ୍ରତିଟି ଉପନିର୍ବାଚନ ବେଳେ ମହାନଦୀ ପାଣିକୁ ନେଇ ରାଜନୀତି ଜୋର ଧରିବ ବୋଲି ଆଶା କରାଯାଉଥିଲା। କିନ୍ତୁ କୌଣସି ଦଳର ପ୍ରାର୍ଥୀ ମହାନଦୀ ଜଳ ବିବାଦକୁ ନିଜ ଏଜେଣ୍ଡାରେ ସ୍ଥାନ ଦେଇନଥିଲେ। ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ଭୋଟର୍ମାନେ ପ୍ରାର୍ଥୀଙ୍କୁ ମହାନଦୀ ପ୍ରସଂଗ ଉପରେ ପ୍ରଶ୍ନ କରୁଥିଲେ। ହେଲେ ପ୍ରାର୍ଥୀମାନେ ଏହି ପ୍ରସଂଗରୁ ନିଜକୁ ଦୂରେଇ ରଖିବା ପାଇଁ ସୁରକ୍ଷିତ ମନେ କରିଥିଲେ। ଏହି ଧାରା ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ବି ଜାରି ରହିଥିଲା। ଝାରସୁଗୁଡ଼ା ଉପନିର୍ବାଚନ ଶେଷ ଯାଏଁ ଏହି ପ୍ରସଂଗକୁ କୌଣସି ପ୍ରାର୍ଥୀ ଉଠାଇବାକୁ ଦମ୍ଭ କରିନାହାନ୍ତି। ମହାନଦୀ ଜଳ ବିବାଦକୁ ନେଇ ଉଭୟ ଓଡ଼ିଶା ଏବ˚ ଛତିଶଗଡ଼ ସରକାର ମଧୢରେ ଶୀତଳ ଯୁଦ୍ଧ ଲାଗି ରହିଛି। ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟରେ ବିଳମ୍ବ ଯୋଗୁଁ ଏହି ଜଳ ବିବାଦ କ୍ରମଶଃ ଜଟିଳ ରୂପ ଧାରଣ କରୁଛି।
/sambad/media/post_attachments/wp-content/uploads/2023/04/Mahanadi-tribunal.jpg)
ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ସରଗରମ ଥିବାବେଳେ ଟ୍ରିବ୍ୟୁନାଲ୍ ଟିମ୍ ଦୁଇଥର କ୍ଷେତ୍ର ପରିଦର୍ଶନ କରି ଫେରିଯାଇଛନ୍ତି। କିନ୍ତୁ ମହାନଦୀ ପ୍ରସଂଗ ନେଇ କୌଣସି ଦଳ ବିବୃତି ରଖିନଥିଲେ କି ପ୍ରଚାର ବେଳେ ମୁହଁ ଖୋଲି ନଥିଲେ। ୨୦୧୮ ମସିହାରେ ବିଜେଡିର ମହାନଦୀ ମହାସ˚ଗ୍ରାମ ଗୋଟିଏ ଦିନରେ ଝାରସୁଗୁଡ଼ାର ଶୁଖାସୋଡ଼ା ଏବ˚ ବରଗଡ଼ ଜିଲ୍ଲାର ଚିଖିଲିରୁ ଆରମ୍ଭ ହୋଇଥିଲା। ଯାହା ଉପକୂଳ ଓଡ଼ିଶାରେ ଶେଷ ହୋଇଥିଲା। କଂଗ୍ରେସ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ଆୟୋଜନ କରି ପ୍ରସଂଗକୁ ଉଦ୍ଜୀବିତ କରିଥିଲା। ୨୦୧୯ ପୂର୍ବରୁ ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ ମହାନଦୀ ମାମଲା ନେଇ ଉଭୟ ବିଜେଡି ଏବଂ କଂଗ୍ରେସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଆନ୍ଦୋଳନ, ବିକ୍ଷୋଭ ଏବଂ ରାଲିରେ ବିଭିନ୍ନ ଜିଲ୍ଲା କମ୍ପି ଯାଇଥିଲା। ସେତିକିବେଳେ ବିଜେପି ପକ୍ଷରୁ କୌଣସି ଟିପ୍ପଣୀ ହେଉନଥିଲା।
ଛତିଶଗଡ଼ରେ କଂଗ୍ରେସ ଶାସନ ଆରମ୍ଭ ହେବା ପରେ ମହାନଦୀ ପ୍ରସଂଗ ନେଇ ପୁନର୍ବାର ଦ୍ବନ୍ଦ୍ବାତ୍ମକ ବାତାବରଣ ଲାଗି ରହିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜାରି ରହିଛି। ଛତିଶଗଡ଼ର କଂଗ୍ରେସ ସରକାର କିଛି ଠୋସ୍ ନିଷ୍ପତ୍ତି ନନେଲେ ବିଜେଡି ଏହାକୁ ନିର୍ବାଚନୀ ଇସ୍ୟୁ କରିବ ବୋଲି କହାଯାଉଥିଲା। କିନ୍ତୁ ବିଜେଡି କୌଣସି ନିର୍ବାଚନରେ ଏହାକୁ ପ୍ରସଂଗ କଲା ନାହିଁ। କଂଗ୍ରେସ ପ୍ରାର୍ଥୀମାନେ ମଧ୍ୟ ଅଯଥାରେ ଏଥିରେ ମୁଣ୍ଡ ନପୂରାଇ ଚୁପ୍ ରହିବା ଶ୍ରେୟସ୍କର ମନେ କଲେ। ଅନ୍ୟପକ୍ଷରେ ଏହି ବିବାଦୀୟ ଘଟଣାରେ ବିଜେପି ପୂର୍ବଭଳି ନିରବତା ଅବଲମ୍ବନ କଲା। ଫଳରେ ପ୍ରତିଟି ନିର୍ବାଚନ ଋତୁରେ ମହାନଦୀ ପ୍ରସଂଗ ରାଜନୀତି ଦୃଶ୍ୟପଟ୍ଟରୁ ସଂପୂର୍ଣ୍ଣ ଭାବେ ଉଭେଇ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/mahanadi-bkk.jpg)