ଗଞ୍ଜାମରେ ଜାନୁଆରି ୩ରୁ ଖୋଲିବ ସବୁ ଧର୍ମାନୁଷ୍ଠାନ

ଛତ୍ରପୁର/ବ୍ରହ୍ମପୁର : ଆସନ୍ତା ୩ତାରିଖରୁ ତାରାତାରିଣୀ ମନ୍ଦିର ସହିତ ଗଞ୍ଜାମର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବ। ତାରାତାରିଣୀ ମନ୍ଦିର ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍‌ଓପି ପ୍ରସ୍ତୁତ ହୋଇଛି। ଅନ୍ୟ ଧର୍ମାନୁଷ୍ଠାନ ନିମନ୍ତେ ଉପଜିଲ୍ଲାପାଳ ଓ ତହସିଲଦାର ମାନେ ସେବକ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏସ୍‌ଓପି ଜାରି କରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଆଜି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ମା’ ତାରାତାରିଣୀ ମନ୍ଦିର ଖୋଲିବା ସଂକ୍ରାନ୍ତରେ ଆଲୋଚନା ସହ ଏସ୍‌ଓପି ପ୍ରସ୍ତୁତ ହୋଇଥିଲା। ଜିଲ୍ଲାପାଳ କହିଛନ୍ତି, ତାରାତାରିଣୀ ମନ୍ଦିରରେ ଭକ୍ତଙ୍କ ନିମନ୍ତେ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗାଇଡ୍‌ଲାଇନ୍ ପ୍ରସ୍ତୁତ ହୋଇଛି। ଦର୍ଶନ ବେଳେ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଭିଡ଼ ରୋକିବାକୁ ମନ୍ଦିର କମିଟି ପକ୍ଷରୁ ବ୍ୟାରିକେଡ଼ିଂ ବ୍ୟବସ୍ଥା ହେବ। ହିଲଟପ୍‌କୁ (ମନ୍ଦିର ନିକଟକୁ) ଯାନବାହନ ଚଳାଚଳ ବନ୍ଦ ରହିବ। କେବଳ ସେବାୟତ ଏବଂ ମନ୍ଦିର ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ଗାଡ଼ିକୁ ହିଁ ଅନୁମତି ମିଳିବ। ଏଥିଲାଗି ସେବାୟତ ଏବଂ ଶ୍ରମିକଙ୍କୁ ପରିଚୟପତ୍ର ଦିଆଯିବ। ପାହାଡ଼ ଉପରକୁ ଦର୍ଶନ ପାଇଁ ଯିବା ଲାଗି ଭକ୍ତଙ୍କ ନିମନ୍ତେ ସ୍ବତନ୍ତ୍ର ବସ୍‌ ବ୍ୟବସ୍ଥା ହେବ। ବସ୍‌ ଭଡ଼ା ଆସନ୍ତା ଦୁଇ ଦିନ ମଧ୍ୟରେ ନିର୍ଦ୍ଧାରଣ ହେବ। ମନ୍ଦିର ତଳେ ଓ ଉପରେ ଭୋଜିଭାତ, ପିକ୍‌ନିକ୍‌ ପାଇଁ ଅନୁମତି ଦିଆଯିବ ନାହିଁ। ଏହାର କେହି ଖିଲାପ କଲେ ରୋଷେଇ ସାମଗ୍ରୀ ଜବତ କରାଯିବ।

ହିଲଟପ୍ ମନ୍ଦିର ନିକଟରେ ଏକ ଅସ୍ଥାୟୀ ପୁଲିସ୍‌ ବିଟ୍ ହେବ। ପରେ ତାହାକୁ ସ୍ଥାୟୀ କରାଯିବ। ଭକ୍ତଙ୍କ ନମନ୍ତେ ପାନୀୟ ଜଳ ବ୍ୟବସ୍ଥା ମନ୍ଦିର ଖୋଲିବା ପୂର୍ବରୁ କାର୍ଯ୍ୟକ୍ଷମ ହେବ। ସକାଳ ସାଢ଼େ ୬ଟାରେ ଦର୍ଶନ ଆରମ୍ଭ ହେବ। ଅପରାହ୍‌ଣ ସାଢ଼େ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ପୁଣି ୨ଟାରୁ ପରବର୍ତ୍ତୀ ନୀତିକାନ୍ତି ଓ ଦର୍ଶନ ଆରମ୍ଭ ହେବ। ପ୍ରଥମ ଦିନରେ ଭକ୍ତଙ୍କ ଲାଗି ମା’ଙ୍କ ଭୋଗପୁଡ଼ିଆ ବଣ୍ଟନ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ମନ୍ଦିର ଖୋଲିବା ପରେ ପ୍ରଶାସନ ଓ ପୁଲିସ ପକ୍ଷରୁ ଏକ ମାସ ଅନୁଧ୍ୟାନ କରାଯିବ। କରୋନା ମହାମାରୀ ସମୟରେ ମା’ଙ୍କ ଚୈତ୍ରଯାତ୍ରା ବନ୍ଦ କରିବାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିବାରୁ ସେବାୟତଙ୍କୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଥିଲେ। ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଅଛି। କରୋନାର ଦ୍ବିତୀୟ ପ୍ରବାହ ଯେଭଳି ନ ଗ୍ରାସେ ସେଥିଲାଗି ସତର୍କ ଓ ସଚେତନ ରହିବାକୁ ହେବ। ସେବାୟତ ସଂଘର ସଭାପତି ତପନ କୁମାର ରଣା ଓ ସଂପାଦକ ବାପୁଜୀ ରଣା ଜିଲ୍ଲା ପ୍ରଶାସନର ଗାଇଡ୍‌ଲାଇନ୍ ମଧ୍ୟରେ ମା’ଙ୍କ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯିବ ବୋଲି ବୈଠକରେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ପୁରୁଷୋମପୁର ବିଡିଓ ବିଜୟ କୁମାର ବେହେରା, ତହସିଲଦାର ନିତିଶ କୁମାର ତ୍ରିପାଠୀ, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ, ଥାନାଧିକାରୀ ଜଗନ୍ନାଥ ମଲ୍ଲିକ, ତାରାତାରିଣୀ ମନ୍ଦିର ପରିଚାଳନା କମିଟି ସଂପାଦକ ପ୍ରମୋଦ କୁମାର ପଣ୍ତା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଇନଜୀବୀ ଟି.କେ.ରେଡ୍ଡୀ, ମିଟୁ ରଣା ଓ ଧ୍ରୁବ ଚରଣ ରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର