କଟକ: କଟକ ନେତାଜୀ ବସ୍ ଷ୍ଟାଣ୍ଡ (ସିଏନ୍‌ବିଟି) ନିର୍ମାଣ ଦାୟିତ୍ବ ନେଇଛି ତାମିଲନାଡୁର ଠିକାସଂସ୍ଥା ୟୁଆର୍‌ସି।। ସିଏନ୍‌ବିଟିର ପରିଚାଳନା ଦାୟିତ୍ବ ପାଇଛି ମହାରାଷ୍ଟ୍ରର ଠିକାସଂସ୍ଥା ବିଭିଜି। ଏସ୍‌ସିବି ମେଡିକାଲ ଏମ୍‌ସ ପ୍ଲସ ନିର୍ମାଣ କାର୍ଯ୍ୟ କରୁଛି ଏଲ୍‌ ଆଣ୍ଡ ଟି ଓ ନାଗାର୍ଜୁନ କନଷ୍ଟ୍ରକସନ୍‌ କଂପାନି। ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟୀକରଣ କାମ କରୁଛି ମହାରାଷ୍ଟ୍ରର ସି​ଗ୍ନେଟ୍ ଏର୍ଣ୍ଣଟେକ୍‌। ନିର୍ମଳ ପ୍ଲସ ଯୋଜନାରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ସାମଗ୍ରିକ ସେବା ପ୍ରଦାନ ବ୍ୟବସ୍ଥା ଦାୟିତ୍ବ ନେଇଛି ଦିଲ୍ଲୀର ସଂସ୍ଥା କ୍ବିଏସ୍‌ କ୍ରପ୍‌।

Advertisment

ସିଏନ୍‌ବିଟି ନିର୍ମାଣ କାମ ହୋଇଛି ୯୦ କୋଟି ଟଙ୍କା ବ୍ୟୟରେ। ସିଏନବିଟିର ପରିଚାଳନା ଦାୟିତ୍ବ ଦିଆଯାଇଛି ୨ଶହ କୋଟି ଟଙ୍କାରେ। ଏସସିବି ଏମ୍‌ସ ପ୍ଲସ୍ କାମ ଚାଲିଛି ୩ ହଜାର କୋଟିରୁ ଅଧିକ ଟଙ୍କାରେ। ତାଳଦଣ୍ଡା କେନାଲ୍ ସୌନ୍ଦର୍ଯ୍ୟୀକରଣ କାମ ଚାଲିଛି ୬୨ କୋଟିରୁ ଅଧିକ ଟଙ୍କାରେ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସାମଗ୍ରିକ ସେବା ଯୋଗାଇବା କାମ ୩ ବର୍ଷ ପାଇଁ ଦିଆଯାଇଥିବା ବେଳେ ଏଥିପାଇଁ ଦିଲ୍ଲୀର ସଂସ୍ଥା ନେବ ୩୦ କୋଟି ୮୦ ଲକ୍ଷ ୧୦ ହଜାର ଟଙ୍କା। କଟକରେ ଚାଲିଥିବା ଏଭଳି ୩୦ କୋଟିରୁ ଆରମ୍ଭ କରି ୩ ହଜାର କୋଟି ଟଙ୍କାର କାମ କରୁଛନ୍ତି ରାଜ୍ୟ ବାହାରର ଅଣଓଡ଼ିଆ ଠିକା ସଂସ୍ଥା। କୋଟିକୋଟି ଟଙ୍କାର କାମ ହେଉଛି, ଏଥିପାଇଁ କଣ କୌଣସି ଯୋଗ୍ୟ ଓଡ଼ିଆ ଠିକା ସଂସ୍ଥା ନାହାନ୍ତି? ଏ ପ୍ରଶ୍ନ ଏବେ ଅନେକଙ୍କୁ ଆନ୍ଦୋଳିତ କରୁଛି।
ତଥ୍ୟ ଅନୁଯାୟୀ ବିଭିନ୍ନ କାମକୁ ଏଭଳି ପ୍ୟାକେଜ୍ କରି ଓ ସର୍ତ୍ତ ସ୍ଥିର କରି ଟେଣ୍ଡର ଡକାଯାଉଛି ଯେ ସେଥିରୁ ସ୍ବତଃ ଓଡ଼ିଆ ଠିକା ସଂସ୍ଥା ବାଦ ପଡ଼ି ଯାଉଛନ୍ତି। ନିର୍ଦ୍ଦିଷ୍ଟ ସଂସ୍ଥାଙ୍କୁ ଲକ୍ଷ୍ୟରେ ରଖି ଟେଣ୍ଡର ସର୍ତ୍ତ ଧାର୍ଯ୍ୟ କରାଯାଉଛି ବୋଲି ଏବେ ଅନେକ ଓଡ଼ିଆ ଠିକାଦାର ଅଭିଯୋଗ କରୁଛନ୍ତି। ଫଳରେ ଆଖି ସାମନାରେ ଶହେ, ହଜାର କୋଟିର କାମ ଚାଲିଥିଲେ ବି ଓଡ଼ିଆ ଠିକାଦାର ଲକ୍ଷେ ଅଥବା ଅଳ୍ପ କିଛି କୋଟିର କାମ ​ହାତେଇ ସ​ନ୍ତୁଷ୍ଟ ରହୁଛନ୍ତି। କିନ୍ତୁ ଏଭଳି ପ୍ରକ୍ରିୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଓଡ଼ିଆ ଠିକାଦାରମାନେ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତ ହୋଇ ପଡିଛନ୍ତି।

ନେତାଜୀ ବସ୍‌ଷ୍ଟାଣ୍ଡ, ତାଳଦଣ୍ଡା କେନାଲ, ଏସ୍‌ସିବି, ଆଚାର୍ଯ୍ୟ ହରିହର...
ସବୁଠି ଓଡ଼ିଶା ବାହାର ସଂସ୍ଥାଙ୍କ କବ୍‌ଜା

ସିଏନବିଟି ପରିଚାଳନା ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସାମଗ୍ରିକ ସେବା ପ୍ରଦାନ ପାଇଁ ହୋଇଥିବା ଟେଣ୍ଡର ହେଉଛି ଏହାର ଉଦାହରଣ। ଆଚାର୍ଯ୍ୟ ହରିହରରେ ବିଭିନ୍ନ କାମକୁ ଅଲଗା ଅଲଗା ଭାବେ ରାଜ୍ୟର ୪ଟି ସଂସ୍ଥା କରୁଥିଲେ। ସୁରକ୍ଷାକର୍ମୀ, ସଫେଇ, ଲଣ୍ଡ୍ରି, ଆଟେଣ୍ଡାଣ୍ଟ ସେବା ଭଳି କାମ ଅଲଗା ଅଲଗା ଓଡ଼ିଆ ଠିକା ସଂସ୍ଥା କରୁଥିଲେ। କିନ୍ତୁ ଏହି ସବୁ କାମକୁ ମିଶାଇ ଗୋଟିଏ କାମ କରି ଦିଆଗଲା। ଫଳରେ ନିର୍ଦ୍ଦିଷ୍ଟ କାମ କରୁଥିବା ଓଡ଼ିଆ ଠିକା ସଂସ୍ଥା ଆଉ ଟେଣ୍ଡର ଆବେଦନ କରିବାକୁ ଯୋଗ୍ୟ ହେଲେନି। କାରଣ କୌଣସି ଓଡ଼ିଆ ଠିକାସଂସ୍ଥାର ସବୁ କାମ କରିବା ଭିତ୍ତିଭୂମି ନଥିଲା। ନିର୍ମଳ ପ୍ଲସ୍‌ ପ୍ଲସ୍‌ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲ ପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇଥିଲା। ଏଥିରେ ୩ଟି ବାହାର ରାଜ୍ୟର ସଂସ୍ଥା ଟେଣ୍ଡର ପକାଇଥିଲେ। ସେଥିରୁ ଦିଲ୍ଲୀର କ୍ବିଏସ୍‌ କ୍ରପ୍‌ ଉଭୟ କର୍କଟ କେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲ ପାଇଁ ଟେଣ୍ଡର ପାଇଥିଲା।

ଏହି ସଂସ୍ଥା କର୍କଟ କେନ୍ଦ୍ରରେ ସୁରକ୍ଷାକର୍ମୀ, ସଫେଇ, ଲଣ୍ଡ୍ରି ଓ ଆଟେଣ୍ଡାଣ୍ଟ ଯୋଗାଇବା ପାଇଁ ତିନି ବର୍ଷକୁ ୩୦ କୋଟି ୮୦ ଲକ୍ଷ ୧୦ହଜାର ଟଙ୍କା ନେବ। କିନ୍ତୁ ଯେଉଁଠି ପୂର୍ବରୁ ୪ଟି ଓଡ଼ିଆ ଠିକାସଂସ୍ଥା ​ସବୁ କାମ ପାଇଁ ୨୦ କୋଟି ଟଙ୍କା ନେଉଥିଲେ, ସେହି କାମ ପାଇଁ ବାହାର ସଂସ୍ଥା ନେଉଛି ୩୦ କୋଟିରୁ ଅଧିକ ଟଙ୍କା। ଏବେ ଏସ୍‌ସିବିରେ ବି ନିର୍ମଳ ପ୍ଲସ୍‌ ପ୍ଲସ୍‌ ଯୋଜନା ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। ଏସସିବି ସମେତ ରାଜ୍ୟର ଅନ୍ୟ ମେଡିକାଲ ​କଲେଜରେ ଏହା କାର୍ଯ୍ୟକାରୀ କରାଗଲେ ପ୍ରାୟ ୫୦ଟି ଓଡ଼ିଆ ଠିକାସଂସ୍ଥା କାମରୁ ବାଦ ପଡ଼ିବେ ବୋଲି ଆଶଙ୍କା କରାଯାଉଛି। କଟକର ସିଏନବିଟି ପରିଚାଳନା ପାଇଁ ମଧ୍ୟ ସବୁ କାମକୁ ମିଶାଇ ଟେଣ୍ଡର ଡକାଯାଇଥିବାରୁ ମହାରାଷ୍ଟ୍ରର ଠିକାସଂସ୍ଥା କାମ ହାତେଇଛି। ସବୁଠୁ ଉଦବେଗର ପ୍ରସଙ୍ଗ ହେଉଛି ଯେ ଏହି ସବୁ ସଂସ୍ଥା ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ନଦେଇ ଶ୍ରମିକଙ୍କୁ ବି ବାହାରୁ ଆଣି ନିୟୋଜନ କରୁଛନ୍ତି। ଏଥିରେ ବାସ୍ତବରେ କାହା ସ୍ବାର୍ଥ ସାଧନ ହେଉଛି, ତାହା ଏବେ ବିତର୍କର ପ୍ରସଙ୍ଗ ହୋଇଛି।